ବାନ୍ଦିପୋରା,୪।୧: ଜମ୍ମୁ-କଶ୍ମୀରର ବାନ୍ଦିପୋରାରେ ଆର୍ମି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ। ସେନାର ଯବାନଙ୍କୁ ନେଇ ଯାଉଥିବା ବେଳେ ପାହାଡରୁ ତଳକୁ ଖସି ପଡିଥିଲା ଟ୍ରକ୍। ଫଳରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ଘଟଣା ବାନ୍ଦିପୋରାର ଭୁଲୁର ଭ୍ୟୁପଏଣ୍ଟ ନିକଟରେ ଘଟିଛି।
ଏହି ଦୁର୍ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ଟ୍ରକ୍ ଟର୍ଣ୍ଣିଂ ନେବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ଟ୍ରକ୍ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଟ୍ରକ୍ ସିଧା ଯାଇ ପାହାଡ ତଳେ ଖସି ପଡିଥିଲା। ଦୁର୍ଘଟଣାର ତୁରନ୍ତ ପରେ ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତ ବର୍ଷ ୨୪ ସେପ୍ଟେମ୍ବରରେ ମଧ୍ୟ ଜମ୍ମୁ-କଶ୍ମୀରରେ ସେନାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ପୁଞ୍ଛ ଜିଲ୍ଲାରେ ସେନାର ଏକ ବାହାନ ରାସ୍ତାରୁ ଖସି ୩୦୦ ଫୁଟ ତଳେ ପଡିଥିଲା। ଫଳରେ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁସାରେ, ଦୁର୍ଘଟଣାର କାରଣ ଜାଣିବାକୁ ଚେଷ୍ଟା ଚାଲିଛି, କିନ୍ତୁ ଲାଗୁଛି ଚାଳକ ଜଣକ ବାହନ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ।