ଧର୍ମଶାଳା, ୨୩।୧୧(ସ୍ୱପ୍ର): ଧର୍ମଶାଳା ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା କ୍ରମାଗତ ଭାବରେ ବିଭିନ୍ନ ମନ୍ଦିରରୁ ସାମଗ୍ରୀ ଚୋରି ଘଟଣାରେ ପୁଲିସକୁ ସଫଳତା ମିଳିଛି। ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ବିଭିନ୍ନ ପିତଳ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଧର୍ମଶାଳା, ବ୍ରହ୍ମବରଦା ଓ କୁଆଖିଆ ଥାନା ଅଞ୍ଚଳର ବୋଲି  ଧର୍ମଶାଳା ଥାନାରେ ଏସଡିପିଓ ଲକ୍ଷ୍ମୀଧର ସ୍ବାଇଁ  ସୂଚନା ଦେଇଛନ୍ତି।

ଏମାନେ ବିଶେଷ କରି ଧର୍ମଶାଳା ଥାନା ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରକୁ ଟାର୍ଗେଟ କରିଥାନ୍ତି। ମନ୍ଦିରରୁ ଲୁଟ ସାମଗ୍ରୀକୁ ନେଇ ଜାରକା ବଜାରରେ ଥିବା ଏକ ପିତ୍ତଳ ସାମଗ୍ରୀ ଦୋକାନରେ ବିକ୍ରୟ କରିଥାନ୍ତି। ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଶନିବାର ଜାରକା ବଜାରରେ ଥିବା ଉକ୍ତ ଦୋକାନ ଉପରେ ଚଢ଼ାଉ କରି ଚୋରି ସାମଗ୍ରୀକୁ ଜବତ କରିଥିଲେ। ଜବତ ସାମଗ୍ରୀ ମଧ୍ୟରେ ବହୁ ପିତ୍ତଳ ଓ ମୂଲ୍ୟବାନ ସାମଗ୍ରୀ ରହିଥିବା ବେଳେ ବ୍ୟବହୃତ ବାଇକ୍ ଓ ଦୁଇଟି ଗ୍ୟାସ ସିଲିଣ୍ଡର ରହିଛି। ଧରା ପଡିଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ଚୋର ହୋଇଥିବା ବେଳେ ଜଣେ କଂସା ବାସନ ବ୍ୟବସାୟୀ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଥାନାଧିକାରୀ ରମାକାନ୍ତ ନାୟକ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।