ଫୁଲବାଣୀ,୧/୪ :କନ୍ଧମାଳ ଜିଲ୍ଲାରେ ବନ୍ଦ ହେବାର ନାଁ ନେଉନାହିଁ ଗଞ୍ଜେଇ କାରବାର। ଟନ ଟନ ଧରୁଛି ପୁଲିସ, ଏକର ଏକର ଜାଗାରୁ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉଛି। ତଥାପି ଚାଲିଛି ଚୋରା ଚାଲାଣ। ମଙ୍ଗଳବାର ପୁଣି ସଦର ପୁଲିସ ହାତରେ ପଡିଛି ୪.୫ ଟନ ଗଞ୍ଜେଇ। ଜଙ୍ଗଲ ଭିତରେ ଚାଲାଣ ଉଦ୍ଦେଶ୍ୟରେ ରଖା ଯାଇଥିବା ଏହି ଗଞ୍ଜେଇ ପୁଲିସ ଜବତ କରିଛି।

ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ଅଧିକାରୀ ପ୍ରଦୀପ କୁମାର ଜେନା ଓ ସବ ଇନ୍ସପେକ୍ଟର ସମ୍ବିତ ବେହେରାଙ୍କ ନେତୃତ୍ବରେ ମଙ୍ଗଳବାର ରାତି ବିଲାବାଡି ଅଞ୍ଚଳରେ ଚଢାଉ କରାଯାଇଥିଲା। ଗ୍ରାମ ନିକଟସ୍ଥ ଜଙ୍ଗଲରେ ପ୍ରାୟ ୨୦୦ ବସ୍ତାରେ ଭର୍ତ୍ତି କରି ରଖା ଯାଇଥିବା ଏହି ଗଞ୍ଜେଇ ପୁଲିସ ହାତରେ ପଡିଥିଲା। ତେବେ ପୁଲିସ ଆସୁଥିବା ଜାଣିପାରି ଚାଲାଣକାରୀ ଚମ୍ପଟ ମାରିଥିଲେ। ଏ ନେଇ ସଦର ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।