କୋରେଇ,୨୧/୧୦ : କୋରେଇ ଥାନା ଅନ୍ତର୍ଗତ ପାଟରଙ୍ଗା ପଞ୍ଚାୟତ ଭାଲୁକାହୁଡ଼ି ଆଦିବାସୀ ବସ୍ତିର ପିତା ଦାସୀରାମ କିସ୍କୁ ଓ ମାତା ସିନଗ କିସ୍କୁଙ୍କ ୪ବର୍ଷର ଶିଶୁପୁତ୍ର ଲେଖେଇ କିସ୍କୁର ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ଘରେ କେହି ନ ଥିବା ସମୟରେ ଲେଖେଇ ପ୍ରତିଦିନ ପରି ମଙ୍ଗଳବାର ପ୍ରାୟ ଦିନ ୨ଟା ସମୟରେ ଘର ପଛପଟେ ଜେଆଇସିକେ(ଜାପାନ ଇଣ୍ଟରନ୍ୟାଶନାଲ୍ କୋଅପରେଟିଭ ଏଜେନ୍ସି )ବା' ଜାଇକା ଅଧିନରେ ଚାଲୁଥିବା ବାମପାର୍ଶ୍ୱ ବହୁମୁଖୀ ରେଙ୍ଗାଲୀ ପ୍ରକଳ୍ପ ନିକଟରେ ଖେଳୁଥିଲା।
ସେଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଛୋଟ ପିଲାଟି କେନାଲ ମଧ୍ୟକୁ ଗଳିପଡ଼ିଥିଲା । କେନାଲରେ ପ୍ରାୟ ୧୫ଫୁଟର ପାଣି ଥିବାରୁ ଶିଶୁ ଟିର ମୃତ୍ୟୁ ଘଟିଥିଲା । ବହୁ ଖୋଜାଖୋଜି କରିବା ପରେ ପରିବାର ଲୋକ ଶିଶୁପୁତ୍ରର ଶବ ପାଇଥିଲେ । ଏ ନେଇ ୧୦୦ରୁ ଊର୍ଦ୍ଧ୍ବ ଆଦିବାସୀ ଲୋକ ଉତ୍ତ୍ୟକ୍ତ ହୋଇ ରେଙ୍ଗାଲୀ ବହୁମୁଖୀ ପ୍ରକଳ୍ପର କ୍ୟାମ୍ପ ନିକଟରେ ଧାରଣା ଦେଇଥିଲେ । ଖବରପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଶିଶୁଟିର ଶବ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ବନ୍ଦୋବସ୍ତ କରିଥିବା ସୂଚନା ମିଳିଛି ।