ମୁମ୍ବାଇ: ମୁମ୍ବାଇର ଡଙ୍ଗାବୁଡି ଘଟଣା ମନରୁ ଲିଭି ନଥିଲା ବେଳେ ମୁମ୍ବାଇରେ ଫୁଣି ଘଟିଛି ଏକ ବଡ ଅଘଟଣ। ଜଣେ ୧୯ ବର୍ଷିୟ କାର ଚାଳକଙ୍କ ଧକ୍କାରେ ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହି ଘଟଣା ମୁମ୍ବାଇର ୱାଡ଼ଲାର ଆମ୍ବେଦକର କଲେଜ ପାଖରେ ଘଟିଛି ବୋଲି ପୋଲିସ ସୁଚନା ଦେଇଛି। ମୃତ୍ୟୁ ଘଟିଥିବା ଛୁଆର ନାମ ଆୟୁସ ଲକ୍ଷଣ କିନୱାଡେ ହୋଇଥିଲା ବେଳେ ସେ ପାଭେମେଣ୍ଟ ଅଞ୍ଚଳର ବାସିନ୍ଦା ହୋଇଥିବା ନେଇ ସୁଚନା ମିଳିଛି। 

ଭିଲେ ପାର୍ଲେ ଅଞ୍ଚଳର ଭୂଷଣ ସନ୍ଦିପ ଗୋଲେ ନାମକ ଏହି କାର ଚାଳକ ଏକ ହ୍ୟୁଣ୍ଡାଇ କ୍ରେଟା ଚଲାଇ ଯାଉଥିବା ବେଳେ ଉକ୍ତ ଶିଶୁଟିକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ହିଁ ପିଲାଟିର ମୃତ୍ୟୁ ହୋଇଥିଲା। ତେବେ ପୋଲିସ ଘଟଣାସ୍ଥଳରୁ ଆରୋପିକୁ ଗିରଫ କରିଛି। ଅନ୍ୟପଟେ ଆରୋପି ଜଣଙ୍କ କାର ଚଲାଉଥିବା ବେଳେ କୌଣସି ମାଦକଦ୍ରବ୍ୟର ସେବନ କରିଥିଲେ କି ନାହିଁ ତାହା ଜାଣିବାକୁ ପୋଲିସ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛି। 

ସୂଚନା ମୁତାବକ, ରବିବାର ସନ୍ଧ୍ୟା ୫ଟା ବେଳେ ପିଲାଟି ଘର ନିକଟରେ ଖେଳୁଥିଲା। ଏହି ସମୟରେ କାର ଚାଳକ ଜଣକ ନିଜ କାର ଉପରୁ ନିୟନ୍ତ୍ରଣ ହରାଇ ପିଲାଟିକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଆୟୁସଙ୍କ ଜୀବନ ଚାଲିଯାଇଥିଲା। 

ଘଟଣାସ୍ତଳରେ ପୋଲିସ ପହଞ୍ଚିବା ସହ ପିଲାଟିର ମୃତଶରୀରକୁ ଜବତ କରି ପୋଷ୍ଟମର୍ଟମ ପାଇଁ କେଇଏମ ଡାକ୍ତରଖାନାକୁ ପଠାଇଥିଲା। ଅମାନିଆ ଗାଡି ଚାଳନା ପାଇଁ ପୋଲିସ କାର ଚଲାଉଥିବା ଭୂଷଣ ସନ୍ଦିପଙ୍କୁ ଗିରଫ କରିଛି। ଅନ୍ୟପଟେ ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ଆରୋପିକୁ ପଚରାଉଚରା କରୁଥିବା ନେଇ ସୁଚନା ମିଳିଛି।