ନୂଆଦିଲ୍ଲୀ ୦୪/୧୧: ହରିଆଣାର କୈଥଲ ଜିଲ୍ଲା ସଡ଼କରେ କିଛି ଦିନ ହେଲା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ‘ବାହୁବଳୀ’ ଟ୍ରକ୍ । ଏହି ଟ୍ରକ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗୁଛି । ଟ୍ରକ୍ରେ ରହିଛି ୪ ଶହ ଟାୟାର । ଲୋକେ ଏହାକୁ ବାହୁବଳୀ ଟ୍ରକ୍ କହୁଥିଲେ ହେଁ ଏହାର ଗତି ବେଶ୍ ମନ୍ଥର । ଟ୍ରକ୍ଟି ପ୍ରାୟ ବର୍ଷେ ତଳେ ଗୁଜରାଟରୁ ବାହାରିଥିବାବେଳେ ଏବେ ହରିଆଣାର କୈଥଲ ପହଞ୍ଚିଛି । ଏହା ପାନିପତ୍କୁ ଯିବ। ୨୦୨୩ ଅକ୍ଟୋବରରେ ଏହା କାଣ୍ଟଲା ବନ୍ଦର ବଏଲର ପାର୍ଟ୍ସ ନେଇ ପାନିପତ୍ର ଥିବା ଏକ ରିଫାଇନାରୀ ଅଭିମୁଖେ ବାହାରିଥିଲା।
ଟ୍ରକ୍ରେ ଲୋଡ୍ ହୋଇଥିଲା ବଏଲର ସମେତ ଏହାର ଓଜନ ୮୦୦ ଟନ୍ ରହିଛି । ସମତଳ ରାସ୍ତାରେ ଟ୍ରେନ୍ ପୁଲର୍ ଏହାକୁ ଟାଣୁଥିବାବେଳେ କୌଣସି ବ୍ରିଜ୍ କିମ୍ବା ଉଚ୍ଚ ରାସ୍ତା ଆସିଲେ ସେଥିରେ ୪ରୁ ୫ ପୁଲର ଲଗାଯାଉଛି । ବାହୁବଳୀ ଟ୍ରକ୍ରେ ପ୍ରାୟ ୨ଶହ ଜଣିଆ ଟିମ୍ ବିଭିନ୍ନ କାମ ପାଇଁ ରହିଛନ୍ତି । ଏଥିସହ ପୁଲର ଟ୍ରକ୍ ବି ରହିଛି । ପୁଲର ଟ୍ରକ୍ରେ ଡ୍ରାଇଭର, ହେଲ୍ପରଙ୍କ ସମେତ ୪ରୁ ୫ କର୍ମଚାରୀ ରହିଛନ୍ତି । ବାହୁବଳୀ ଟ୍ରକ୍ ଦିନକୁ ୧୫ରୁ ୨୦ କିମି ଯାଉଛି । ବର୍ଷକର ଯାତ୍ରା ଭିତରେ ଟ୍ରକ୍ର ପ୍ରାୟ ୨ଶହ ଟାୟାର ଫାଟିସାରିଲାଣି । ଫଳରେ ସେଗୁଡ଼ିକୁ ବଦଳାଯାଇଛି । ଟ୍ରକ୍ର ମରାମତି ପାଇଁ ଟେକ୍ନିକାଲ ଟିମ୍ ବି ରହିଛନ୍ତି । ଟ୍ରକ୍ ଚାଲିବା ବେଳେ ପୂର୍ବରୁ ପ୍ରାୟ ୧୫/୨୦ କିମି ପର୍ଯ୍ୟନ୍ତ ରାସ୍ତା ଖାଲି କରାଯାଇଥାଏ ।