ଭୁବନେଶ୍ୱର, ୨୩/୧୦ : ମାଡ଼ି ଆସୁଛି ବାତ୍ୟା । ୨୪ ତାରିଖ ମଧ୍ୟ ରାତିରେ ଏହା ଓଡ଼ିଶା ଉପକୂଳ ଛୁଇଁପାରେ । ଆଇଏମ୍‌ଡି ଆକଳନ ଅନୁସାରେ ଭୁବନେଶ୍ୱର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆସୁଛି । ସବୁଠୁ ବେଶି ଭୟ ଘନେଇଛି ବସ୍ତିକୁ । ପବନ ଓ ତୁହାକୁ ତୁହା ବର୍ଷା ବସ୍ତିର କଚ୍ଚା ଘରକୁ ଭାଙ୍ଗିଦେବାର ଆଶଙ୍କା ଅଧିକ । ଏଥିପାଇଁ ସଜାଗ ହୋଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) । ସମ୍ବେଦନଶୀଳ ବସ୍ତି ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତତ୍କାଳ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଯେ।।ଜନା ହୋଇଛି । ଗୁରୁବାରଠାରୁ ସ୍ଥାନାନ୍ତରଣ ଆରମ୍ଭ କରିବାକୁ ୱାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ବିଏମସି ତିଆରି କରିଥିବା ସମ୍ବେଦନଶୀଳ ବସ୍ତି ତାଲିକାରେ ରହିଛି ୧୦୦ରୁ ଅଧିକ ବସ୍ତି । ଏ ସବୁ ବସ୍ତିରେ ଲୋକେ ମାଟି ଘର ବା ପାଲ/ପଲିଥିନ ପାଲ ଟାଣି ରହୁଛନ୍ତି । ଲଗାଣ ବର୍ଷା ସାଙ୍ଗକୁ ଜୋର୍‌ରେ ପବନ ଝଟ୍‌କା ଦେଲେ ଏ ସବୁ ଘରର କାନ୍ଥ ମାଟିରେ ଶୋଇ ପଡ଼ିବ । ବାତ୍ୟା ହେଲେ ଭୁବନେଶ୍ୱରରେ ୭୦ରୁ ୮୦ କିମି ବେଗରେ ପବନ ବହିପାରେ । ପବନର ଝଟ୍‌କା(ଗଷ୍ଟିଙ୍ଗ୍‌) ୯୦କିମି ଯାଏ ଯାଇପାରେ ବୋଲି ଆଇଏମଡି ଆକଳନ କରୁଛି । ପୁଣି ୨୪ ଓ ୨୫ ତାରିଖ ରାଜଧାନୀରେ ଭୀଷଣ ବର୍ଷା ହେବ । ପବନ ଓ ବର୍ଷାରେ ବସ୍ତି ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏଥିପାଇଁ ବସ୍ତିରେ ରହୁଥିବା ପ୍ରାୟ ୪୦ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି । ବାତ୍ୟା ପାଇଁ ମେୟର ସୁଲୋଚନା ଦାସ ଆଜି ସବୁ କର୍ପୋରେଟରଙ୍କୁ ନେଇ ଏକ ଜରୁରୀ ବୈଠକ କରିଥିଲେ । ଏଥିରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

ସହରରେ ମୋଟ ୮୨ଟ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଦକ୍ଷିଣ- ପୂର୍ବ ଜୋନ୍‌ରେ ୨୯, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୩୦ ଓ ଉତ୍ତର ଜୋନ୍‌ରେ ୨୧ଟି ଆଶ୍ରୟସ୍ଥଳୀ ହେବ । ଅଧିକ ଜନସଂଖ୍ୟା ଥିବା ୱାର୍ଡରେ ଦୁଇଟି ଲେଖାଏଁ ବାତ୍ୟା ଆଶ୍ରୟସ୍ଥଳୀ ରହିବ । ୱାର୍ଡରେ ଥିବା ସ୍କୁଲ, କଲ୍ୟାଣମଣ୍ଡପକୁ ଆଶ୍ରୟସ୍ଥଳୀ କରାଯିବ । ପ୍ରତି ଆଶ୍ରୟସ୍ଥଳୀରେ ପ୍ରାୟ ୫୦୦ ଲୋକ ରହିବା ପାଇଁ ସୁବିଧା କରାଯିବ । ଆସନ୍ତା ୨୪ ତାରିଖରେ ବାତ୍ୟାର ପ୍ରଭାବ ଓ ବର୍ଷା ସ୍ଥିତିକୁ ଦେଖି ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ବରିଷ୍ଠ ନାଗରିକ, ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯିବ । ଲଗାଣ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ । ଜଳବନ୍ଦୀ ପାଇଁ ସମ୍ବେଦନଶୀଳ ଥିବା ୭୯ଟି ସ୍ଥାନ ଚିହ୍ନଟ ହୋଇଛି । ବନଫୁଲ ବସ୍ତି, ଶିଖରଚଣ୍ଡି ବସ୍ତି, ନୀଳପଡ଼ିଆ ବସ୍ତି, ସୁବାସ ବସ୍ତି, ଗୌତମ ନଗର, କଳ୍ପନା ଲେବର କଲୋନୀ, ପାନବରଜ ବସ୍ତି, ରାମପୁର ବସ୍ତି, ମଙ୍ଗଳା ବସ୍ତି, ଦୟା କେନାଲ ବସ୍ତି, ମାଳି କଲୋନୀ, ଇସ୍କନ, ପଣ୍ଡାକୁଦିଆ, ସୌଭାଗ୍ୟନଗର, ପଞ୍ଚସଖାନଗର ବସ୍ତି ସମ୍ବେଦନଶୀଳ ଥିବାରୁ ଏଠାରେ ପମ୍ପସେଟ୍‌ ରଖାଯାଇଛି। 

ଆଶ୍ରୟସ୍ଥଳୀରେ ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ ରଖାଯିବ । ସ୍ଥାନାନ୍ତରଣ ପରେ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ । ଏହା ସହ ମୋଟ୍‌ ୩ଟି ଓଡ୍ରାଫ୍‌ ଟିମ୍‌ ଏବଂ ଅଗ୍ନିଶମ କର୍ମଚାରୀ ନିୟୋଜିତ ହେବେ । ଏହି ସବୁ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିବେ । ଏଥିପାଇଁ ମୋଟ୍‌ ୩ଟି ରବର ବୋଟ୍‌ ଏବଂ ୧୦ଟି କଟର ମେସିନ୍‌ ରହିଛି । ୱାର୍ଡରେ କର୍ପୋରେଟରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଜାଗ୍ରତ ରହିବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି । କର୍ପୋରେଟର, ନୋଡାଲ ଅଫିସର, ଦାୟିତ୍ୱରେ ଥିବା ଅଧିକାରୀ ମିଶି କାମ କରିବେ । ତିନି ଜୋନ୍‌ ସହ ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିଛି । ଟୋଲ୍‌ ଫ୍ରି ନମ୍ବର ୧୯୨୯ ସହ ୧୦ଟି ଲାଇଫ ଲାଇନ୍‌ ରହିବ । ଏହି ସବୁ ଫୋନ୍‌ ଲାଇନରେ ୩ ସିଫ୍‌ଟରେ ୧୦ ଜଣ ଲେଖାଏଁ କର୍ମଚାରୀ ରହିବେ । ମୁକୁଳା ଡ୍ରେନ୍‌ରେ ବୁଧବାର ସୁଦ୍ଧା ସ୍ଲାବ ପକାଇବା ବା ବ୍ୟାରିକେଡ୍‌ ଘେରାଇବାକୁ ନିର୍ଦେଶ ଦେଇଛନ୍ତି ମେୟର । ଖାଲୁଆ ଅଞ୍ଚଳ ଏବଂ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ ତିନି ଜୋନ୍‌ର ଜୋନାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆଜି ସନ୍ଧ୍ୟାରେ ବିଧାୟକ ବାବୁ ସିଂ ୧ନଂ ହାଟ ବୁଲି ଆଳୁ ଓ ଓ ପିଆଜର ଦର ସହିତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ତଦାରଖ କରିଛନ୍ତି ।

ବୁଲା ଗୋରୁଙ୍କ ସୁରକ୍ଷାକୁ ଗୁରୁତ୍ଵ

ବୁଲୁଥିବା ବୁଲା ଗାଈ ଗୋରୁ ଏବଂ ବିଭିନ୍ନ ପଶୁ ମାନଙ୍କର ସୁରକ୍ଷା ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ଗୁରୁତ୍ୱାରୋପ କରିଛି । ଜିଲ୍ଲାର ସମସ୍ତ ପୌର ପରିଷଦ, ପୌର ବିଜ୍ଞାପିତ ଅଞ୍ଚଳ , ଭୁବନେଶ୍ୱର ମହାନଗର ନିଗମ, ଜଙ୍ଗଲ ବିଭାଗ, ପଶୁ ସେବା ବିଭାଗ, ସମସ୍ତ ଇଂଜିନିୟରିଂ ବିଭାଗ ସହ ଜିଲ୍ଲା ପ୍ରଶାସନ ଅଧୀନ ସମସ୍ତ ବିଭାଗ ଓ କାର୍ଯ୍ୟାଳୟ ଅଧିକାରୀ ମାନଙ୍କୁ ବୁଲା ଗାଈ ଗୋରୁ ଓ ସମସ୍ତ ପଶୁମାନଙ୍କୁ ବାତ୍ୟା ଦାନା ଓ ବର୍ଷାରୁ ସୁରକ୍ଷା ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଶ୍ରୀ ରାଣା କହିଛନ୍ତି, ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟ ପରିସରରେ ଥିବା ତଥା ସେମାନଙ୍କ ଅଧୀନରେ ଥିବା ସୁରକ୍ଷିତ ସ୍ଥାନ, ସର୍ବସାଧାରଣ ଓ ସରକାରୀ ବିଲ୍ଡିଂ, ଗୋଶାଳା, ଗ୍ୟାରେଜ ଗୁଡ଼ିକୁ ଉକ୍ତ ୩ ଦିନ ବୁଲା ଗାଈ ଗୋରୁ ଷଣ୍ଢ ଛେଳିମେଣ୍ଢା ଓ ସମସ୍ତ ପଶୁମାନଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବେ । 

ବିଦ୍ୟୁତ୍‌ କଟିଲେ ବି ମିଳିବ ପିଇବା ପାଣି

ବାତ୍ୟା ସମୟରେ ପିଇବା ପାଣି ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି । ବିଦ୍ୟୁତ୍‌ ନ ଥିଲେ ବି ସବୁ ପମ୍ପ ହାଉସରୁ ଜଳ ଯୋଗାଣ କରାଯିବ । ଏଥିପାଇଁ ୯୦ରୁ ଅଧିକ ଡିଜି ପ୍ରସ୍ତୁତ ରହିଛି । ଏହାବାଦ ବଡ଼ ବଡ଼ ପାଣି ଟ୍ୟାଙ୍କର, ଟ୍ରାକ୍ଟର ସାହାଯ୍ୟରେ ଜଳ ଯୋଗାଣ କରାଯିବ । ସବୁ ବାତ୍ୟା ଆଶ୍ରୟସ୍ଥଳୀରେ ପିଇବା ପାଣି ଯୋଗାଇ ଦିଆଯିବ । ୱାଟ୍‌କୋ ପକ୍ଷରୁ ବିଭିନ୍ନ ସ୍ଥାନରେ ପିଇବା ପାଣି ମହଜୁଦ ରଖାଯାଇଛି । 

ବିଦ୍ୟୁତ୍‌ ଭିତ୍ତିଭୂମି ମରାମତି ପାଇଁ ୨ ହଜାର କର୍ମଚାରୀ

ବାତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନିରବଚ୍ଛିନ୍‌ ବିଦ୍ୟୁତ୍‌ ଯୋଗାଣ ପାଇଁ ଅତିରିକ୍ତ ୧୦୦୦ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ଟାଟାପାୱାରର କର୍ମଚାରୀ ଏବଂ ଶ୍ରମିକଙ୍କୁ ମିଶାଇ ମୋଟ୍‌ ୨ ହଜାର କର୍ମଚାରୀ କାମ କରିବେ । ସେହିପରି ଆଜିଠୁ ବିଭିନ୍ନ ସ୍ଥାନରେ ଦୁର୍ବଳ ବିଦ୍ୟୁତ ଖୁଣ୍ଟକୁ ଚିହ୍ନଟ କରାଯାଇ ମରାମତି ଆରମ୍ଭ ହୋଇଛି । ଅତିରିକ୍ତ ଟ୍ରାନ୍ସଫର୍ମର, ତାର ମହଜୁଦ ରଖାଯାଇଛି ।