ଭୁବନେଶ୍ୱର,୧୫/୦୭: ନୂଆ  ୧୦୮ ଆମ୍ବୁଲାନ୍ସ କିଣିବା ପାଇଁ ସରିଲା ଟେଣ୍ଡର ପ୍ରକ୍ରିୟା । କାଗଜପତ୍ର ପାଇଁ ଲାଗିବ  ଆଉ ଏକ ସପ୍ତାହ । ଟେଣ୍ଡର ସରିବାର ୬୦  ଦିନରେ ଆସିବ ୪୩୨ଟି ନୂଆ ଆମ୍ବୁଲାନ୍ସ ।  ଏମ୍ରି ଗ୍ରୀନ୍‌ ହେଲ୍‌ଥ ସର୍ଭିସ ସଂସ୍ଥା ୧୦୮  ଆମ୍ବୁଲାନ୍ସ ଓଡ଼ିଶା ମୁଖ୍ୟ ସବ୍ୟସାଚୀ  ବିଶ୍ୱାଳ ଏହି ସୂଚନା ଦେଇଛନ୍ତି । 

ରାଜ୍ୟରେ ୧୦୮ ଆମ୍ବୁଲାନ୍ସର ସ୍ଥିତି  ଦୟନୀୟ ଥିବା ଅଭିଯୋଗ ହେଉଥିଲା ।  ବର୍ତ୍ତମାନ ରାଜ୍ୟରେ ୮୬୦ଟି ୧୦୮  ଆମ୍ବୁଲାନ୍ସ ଗଡୁଛି । ସେଥିରୁ ୪୨୦ଟି  ଆମ୍ବୁଲାନ୍ସ ଦଦରା ଅବସ୍ଥାକୁ ଆସିଗଲାଣି ।  ରୋଗୀ ଆମ୍ବୁଲାନ୍ସରେ ବସିଲେ ଭୟ  କରୁଛନ୍ତି । ହେଲେ ସ୍ୱାସ୍ଥ୍ୟ ବିଭାଗ ନୂଆ ଆମ୍ବୁଲାନ୍ସ ଆଣିବା କ୍ଷେତ୍ରରେ ମନ୍ଥରତା  ପ୍ରକାଶ କରୁଥିବା ଅଭିଯୋଗ ହୋଇଥିଲା ।  ରାସ୍ତାରେ ରୁଗ୍‌ଣ ଅବସ୍ଥାରେ ଗଡ଼ୁଥିବା  ୧୦୮ ଆମ୍ବୁଲାନ୍ସକୁ ଦେଖିଲେ ଲୋକେ  ଭୟ କରୁଛନ୍ତି । କେତେକ ଆମ୍ବୁଲାନ୍ସ  କଳଙ୍କି ଲାଗିଗଲାଣି । ରୋଗୀ ନେଇ  ଯାଉଥିଲା ବେଳେ ଅଧା ବାଟରେ ଗାଡ଼ି  ଖରାପ ହୋଇଯାଉଛି । ରାଜ୍ୟବାସୀ ବହୁ  ମାତ୍ରାରେ ୧୦୮ ଆମ୍ବୁଲାନ୍ସ ଉପରେ ନିର୍ଭର  କରୁଛନ୍ତି । ସେଥିପାଇଁ ଦୈନିକ ୨୪ ଘଣ୍ଟା  ରୋଗୀଙ୍କ ପାଇଁ ଦୌଡୁଛି ଏହି ଆମ୍ବୁଲାନ୍ସ ।  

ଗୋଟିଏ ଆମ୍ବୁଲାନ୍ସ ୫ବର୍ଷ କିମ୍ବା ୫ଲକ୍ଷ  କିମି ଚାଲିବା ପରେ ଏହାକୁ ବଦଳାଇବା  ନିୟମ ରହିଛି । ରାଜ୍ୟ ସରକାର ଆମ୍ବୁଲାନ୍ସ  ପ୍ରଦାନ କରିବେ । ଏହାକୁ ପରିଚାଳନା  କରୁଥିବା ସଂସ୍ଥା ଏହାର ରକ୍ଷଣାବେକ୍ଷଣ  କରିବ । ରାଜ୍ୟରେ ନିକଟରେ ଏମ୍ରି  ଗ୍ରୀନ୍‌ ହେଲ୍‌ଥ ସର୍ଭିସ ସଂସ୍ଥା ଆମ୍ବୁଲାନ୍ସ  ପରିଚାଳନା ଦାୟିତ୍ୱ ନେଇଛି । ହେଲେ  ଆମ୍ବୁଲାନ୍ସଗୁଡ଼ିକ ଦଦରା ଅବସ୍ଥାରେ ରହିଛି ।  ଯେତେ ମରାମତି କଲେ ବି ଅଳ୍ପଦିନରେ ପୁଣି ସେହି ଦଦରା ଅବସ୍ଥାକୁ ଆସିଯାଉଛି ।