କୋଣାର୍କ,୩୧/୧୨ : କୋଣାର୍କ ଏନ୍ଏସି ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ନୀତି ସମ୍ପାଦନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁୟାରୀ ୨୪ ଓ ୨୫ ତାରିଖ ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼ । ପୂର୍ବ ରାତି ମାଘ ଷଷ୍ଠୀ ଶନିବାର ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଅନୁମାନ କରାଯାଉଛି। ପଞ୍ଜିକାନୁଯାୟୀ ତିନି ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥକୁ ଶୋଭାଯାତ୍ରା ଓ ସ୍ନାନ ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ଜାନୁୟାରୀ ୨୪ତାରିଖ ମାଘ ଶୁକ୍ଳ ଷଷ୍ଠୀ ରାତି ୮ଟା୧୦ରୁ ମାଧିପୁର ଗ୍ରାମର ଶ୍ରୀଶ୍ରୀ ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ଇଶାଣେଶ୍ବର, କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିବେ। ତିନି ଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ପ୍ରଥମେ କୋଣାର୍କ ଏନଏସି ମଣ୍ଡପ ଓ ପରେ ଅତିରିକ୍ତ ତହସିଲ କାର୍ଯ୍ୟାଳୟ, ଆଇବି ପରିସରରେ ପୂଜାର୍ଚ୍ଚନା କରାଯିବ।
ପୂଜା ସମାପନ ପରେ ଶୋଭାଯାତ୍ରାରେ ବାହାରି ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଁଚିବେ । ଏଠାରେ ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ସରିଲେ ୨୫ତାରିଖ ସପ୍ତମୀ ତୀଥିରେ ମାହେନ୍ଦ୍ରବେଳା ୪ଟା୪୧ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନି ଠାକୁର ସ୍ନାନ କରିବେ । ରାତି ୪ଟା୪୧ରୁ ସାଧୁସନ୍ଥ ଓ ଅପେକ୍ଷା ରଥ ଶ୍ରଦ୍ଧାଳୁମାନେ ସ୍ନାନ କରିବାର ସୁଯୋଗ ପାଇବେ । ସେବାୟତଙ୍କ କେତେକ ସମସ୍ୟା ସମାଧାନ ହୋଇ ନ ଥିବାରୁ ଗତ ୨୯ତାରିଖରେ ଅନୁଷ୍ଠିତ ବୈଠକରେ ତିନି ଠାକୁରଙ୍କ ଶୋଭାଯାତ୍ରା ଓ ସ୍ନାନ ନୀତି ନିର୍ଘଣ୍ଟ ସ୍ଥଗିତ ରଖାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା ପତି, ଅସ୍ତରଙ୍ଗ ତହସିଲଦାର ପ୍ରୀୟଙ୍କା ପ୍ରୀୟଦର୍ଶନୀ, କୋଣାର୍କ ଏନଏସି ଅଧ୍ୟକ୍ଷା ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ସଞ୍ଜୟ ରାଉତରାୟ, ତିନି ଠାକୁରଙ୍କ ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ ।