ବୌଦ୍ଧ,୧୧/୦୮: ବୌଦ୍ଧ ପୁଲିସକୁ ବଡ଼ ସଫଳତା । ଡକାୟତି ଗୋଷ୍ଠୀକୁ ଚେକ୍ ଦେଇଛି ଜିଲ୍ଲା ପୁଲିସ । ଏକ ଡକାୟତି ଘଟଣାରେ ଜଣେ ନାବାକଳ ସମେତ ୫ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୁଲିସ ଅଭିଯୁକ୍ତମାନଙ୍କ ପାଖରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରୀ, ଗୋଟିଏ ମୋବାଇଲ ଫୋନ ଓ ୨୮ ହଜାର ୫୦୦ ଟଙ୍କା ନଗଦ ସହିତ କିଛି ଲୁଗାପଟା ଜବତ କରିଛି । ଏନେଇ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ । 

ସୂଚନା ମୁତାବକ, ଚଳିତ ମାସ ୫ତାରିଖରେ କୁଲତାଖଲି ଗାଁର ରାଜକିଶୋର ନାୟକ ଓ ତାଙ୍କ ଭାଇ ଏକ ମୋଟର ସାଇକେଲରେ ଘରକୁ ଫେରୁଥିଲେ । ତେଲିବନ୍ଧ- ମୁଣ୍ଡାପଡା ରାସ୍ତାର ତୁଳସୀପୁର ଠାରେ ୪ଜଣ ଯୁବକ ତାଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିଥିଲେ । ସେମାନଙ୍କ ଠାରୁ ମୋବାଇଲ, ଏକ ଲକ୍ଷ ୭ ହଜାର ଟଙ୍କା ହଜାର ଟଙ୍କା, ସୁନା ଚେନ୍‌, ବ୍ୟାଗ୍ ନେଇ ଯାଇଥିଲେ । ଏନେଇ ରାଜ କିଶୋର ଗତ ୬ତାରିଖ ଦିନ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଏହି ଘଟଣାରେ ଜଣେ ନାବାଳକ ସମେତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲା ପନଖିମାଳ ଗାଁର ଦିଲିପ କଲତା ( ୩୨ ବର୍ଷ), ମୁଣ୍ଡାପଡା ଗାଁର ସୁଧା ଓରଫ ସୁଦାମ ମହାନନ୍ଦିଆ ( ୩୨ ବର୍ଷ), ବନ୍ଧାପଥର ଗାଁର ଶକ୍ତି ଓରଫ ତୁଷାରକାନ୍ତ ବେହେରା (୧୯ ବର୍ଷ), ବନ୍ଧାପଥର ଗାଁର ସିଦ୍ଧାନ୍ତ ଭବସାଗର (୧୯ ବର୍ଷ) ଓ ଜଣେ ନାବାଳକ ବୋଲି ଜଣାପଡ଼ିଛି । 

ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ମାରଣାସ୍ତ୍ର, ଗୋଟିଏ ମୋବାଇଲ ,୨୮ ହଜାର ୫୦୦ ଟଙ୍କା ନଗଦ ଓ କିଛି  ଲୁଗାପଟା ଜବତ କରିଥିଲା । ଗିରଫ ପରେ ଅଭିଯୁକ୍ତମାନକୁ କୋର୍ଟ ଚାଲାଣ କରାଯାଇଛି ।  ଏହା ସହ ୫ଟି ଚୋରି ମାମଲାରେ ମଧ୍ୟ ପୁଲିସ ଜଣେ ନାବାଳକୁ ଗିରଫ କରିଛି । ନାବାଳକ ଠାରୁ ଲାପଟପ୍, ସୁନାମୁଦି, ଟାବଲେଟ୍, ପାଣିପମ୍ପ, ନଗଦ ୨ଲକ୍ଷ ୨୮ ହଜାର, ୟୁପିଏସ, ମନିଟର ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ପୁଲିସ ।