ସାଲେପୁର, ୨୧।୨ : ଦିନରେ ଘୁଷୁରୀ ଚରାନ୍ତି ନ ହେଲେ ଭିକ୍ଷା କରନ୍ତି । ଏହି ସମୟରେ ଗାଁ ଗାଁ ବୁଲି ଚୋରି ପାଇଁ ବ୍ଲୁପ୍ରିଣ୍ଟ ତିଆରି କରନ୍ତି । ଆଉ ରାତି ହେଲେ ଯୋଜନା ମୁତାବକ ଡକାୟତି କରନ୍ତି। ଘରୁ ଲୁଟନ୍ତି ଲକ୍ଷ ଲକ୍ଷ ଟଙ୍କା। ଆଉ ଏହି ସମୟରେ ସେମାନଙ୍କୁ ପ୍ରତିହତ କଲେ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରନ୍ତି। ଏଭଳି ଏକ ଡକାୟତି ଗ୍ୟାଙ୍ଗ କଟକ ଜିଲ୍ଲା ଭଦରେଶ୍ୱର ପୋଲିସ ହାତରେ ଧରାପଡିଛନ୍ତି। ଡକାୟତି ଗ୍ୟାଙ୍ଗରେ ୫ ଜଣ ଅଛନ୍ତି। ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ପୁଲିସ ଜବତ କରିଛି।

ଗତ ମାସ ୨୪ ତାରିଖ ରାତିରେ ଭଦରେଶ୍ୱର ଥାନା ସିନ୍ଧୁପୁର ଗାଁର ଭୀମସେନ ଖଟୁଆଙ୍କ ଘରୁ ଡକାୟତି ହୋଇଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସ ଏହି ମାମଲାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଡେରାବିଶ ଅଞ୍ଚଳର ବିକାଶ ଦାସ, ସୁବ୍ରତ ଦାସ, ଚିତ୍ତରଞ୍ଜନ ଦାସ, ବିଚିତ୍ରାନନ୍ଦ କୁଣ୍ଡୁ ଓ ଯାଜପୁର ଅଞ୍ଚଳର ଗୋପୀନାଥ ଦାସ। ସେମାନଙ୍କ ଠାରୁ ୬୧ଗ୍ରାମ ସୁନା ଅଳଙ୍କାର, ୩୮୬ଗ୍ରାମ ରୁପା, ୪ଟି ମୋବାଇଲ ,ଗୋଟିଏ ଶାବଳ ଓ ଗୋଟିଏ ଲୁହା ରଡ଼ ଜବତ ହୋଇଛି। ଏମାନଙ୍କ ନାମରେ ରାଜ୍ୟର ଅନେକ ଥାନାରେ ମଧ୍ୟ ବହୁ ମାମଲା ଥିବା ସାଲେପୁର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଲେପୁର ଏସଡିପିଓ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ସାଲେପୁର ଥାନା ଅଧିକାରୀ ମହେଶ୍ବର ବେହେରା, ମାହାଙ୍ଗା ଥାନା ଅଧିକାରୀ ଯୁଗଳ କିଶୋର ଦାସ ଓ ଭନ୍ଦ୍ରେଶ୍ଵର ଥାନା ଅଧିକାରୀ ଉପସ୍ଥିତ ଥିଲେ।