ପାଟଣାଗଡ଼,୨/୧୧  ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା କୁଆବାଉଁଶ ଗାଁରେ ଗତ ମାସ ୧୭ ତାରିଖ ବିଳମ୍ବିତ ରାତ୍ରିରେ ରମାକାନ୍ତ ସରାପଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା।ଏହି ଘଟଣାରେ ପୁଲିସ ରବିବାର ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ରୋହିତ ସରାପ, ମହାଦେବ ଚାନ୍ଦ, ରାହୁଲ କୁମ୍ଭାର, ଗଣେଶ ଭୋଇ ଓ ଧନେଶ୍ୱର ନାଗ।ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇ ଜଣ ପାଇକମାଲ ଅଞ୍ଚଳର ହୋଇଥିବାବେଳେ ଅନ୍ୟ ତିନିଜଣ ଖପ୍ରାଖୋଲ ଓ ଅଇଁଳାପାଲି ଗାଁର ।  ଏକ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୁଲିସ ଅଧିକାରୀ ସଦାନନ୍ଦ ପୁଝାରୀ ଏ ନେଇ  ସୂଚନା ଦେଇଛନ୍ତି।ଏଥିସହ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ସୁନାଚେନ, କାନଫୁଲ, ନଗଦ ହଜାରେ ଟଙ୍କା, ଜମି ଜମା ସମ୍ପର୍କିତ କାଗଜପତ୍ର ସହ ସେମାନେ ବ୍ୟବହୃତ କରିଥିବା ଦୁଇଗୋଟି ଛୁରୀ ଓ ଚାରିଗୋଟି ମୋବାଇଲ ପୁଲିସ ଜବତ କରିଛି।

ପାଟଣାଗଡ଼ ଥାନା କୁଆବାଉଁଶ ଗାଁରେ ଗତ ୧୭ ତାରିଖ ରାତ୍ରିରେ ଦଣ୍ଡ ନୃତ୍ୟ ଚାଲିଥିଲା।ଗାଁ ଲୋକେ ଦଣ୍ଡ ନୃତ୍ୟ ଦେଖିବାକୁ ଯାଇଥିବାରୁ ଏହାର ସୁଯୋଗ ନେଇ ରମାକାନ୍ତ ସରାପଙ୍କ ଅନୁପସ୍ଥିତିରେ ଚାରିଜଣ ଅଭିଯୁକ୍ତ ତାଙ୍କ ଘରେ ପଶିଥିଲେ। ରମାକାନ୍ତଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ଓ ପୁଅ କୁ ପ୍ରଥମେ ଛୁରୀ ଦେଖାଇ ଭୟଭୀତ କରାଇ ଏକ ରଶିରେ ବାନ୍ଧି ଦେଇ ଆଲମିରା ଚାବି ମାଗିନେଇ ସୁନାଗହଣା ସହ ଟଙ୍କା ଲୁଟ କରି ଫେରାର ମାରିଥିଲେ।ଏ ଘଟଣାକୁ ନେଇ ରମାକାନ୍ତଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ସରାପ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିଲା।  ବଲାଙ୍ଗିର ଏସପି ଅଭିଳାଷ ଜି ଙ୍କ ନିର୍ଦ୍ଦେଶରେ ଏସଡ଼ିପିଓ ଶ୍ରୀ ପୁଝାରୀ ଙ୍କ ତତ୍ତ୍ୱବଧାନରେ ଥାନାଧିକାରୀ ହରିବନ୍ଧୁ ଗଡ଼ତ୍ୟାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଅପରପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଆହୁରି ଦୁଇ ଜଣ ଫେରାର ଅଭିଯୁକ୍ତକୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ପୁଝାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।