ଭୁବନେଶ୍ବର, ୧୨।୧୨ : କଟଜ ସହର ଭିତରେ ଆଉ ୫ ଟି ବକ୍ସ ଡ୍ରେନ ନିର୍ମାଣ କରିବାଲାଗି ଯୋଜନା କରିଛି ସିଏମସି। ଏନେଇ ୩ ଶହ ୩୯ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ ହୋଇ ସାରିଛି ଏବଂ ସରକାରଙ୍କ ମଞ୍ଜୁରୀ ଲାଗି ପଠାଯାଇଛି ବୋଲି ଆଜି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ସିଏମସି କର୍ତ୍ତୃପକ୍ଷ। କଟଜ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଗୁରୁବାର ଏହି ତଥ୍ୟ ରଖିଛନ୍ତି ସିଏମସି ସିଟି ଇଞ୍ଜିନିୟର। 

ସେହିପରି ତାଳଦଣ୍ଡା କେନାଲକୁ ପ୍ରଦୂଷଣ ମୁକ୍ତ ରଖିବା ଲାଗି ୩୨ କୋଟି ଟଙ୍କାର ନୂଆ ପ୍ରକଳ୍ପ କରାଯିବ ବୋଲି ସିଏମସି ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ତେଣେ ବଜ୍ରକବାଟୀ ବକ୍ସଡ୍ରେନକୁ ମାତୃ ଭବନ ପର୍ଯ୍ୟନ୍ତ ସାମ୍ପ୍ରସାରିତ କରାଯିବା ନେଇ ପ୍ରସ୍ତାବ ରହିଛି ବୋଲି ଆଜି ୱାଟକୋ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। 

ତେବେ ଶିଶୁ ଭବନରେ ଲାଗି ରହିଥିବା ସମସ୍ୟାକୁ ନେଇ ହାଇକୋର୍ଟ ଖୁବ ବିରକ୍ତି ପ୍ରକାଶ କରିଛନ୍ତି। ଶିଶୁ ଭବନ ଭିତରେ ହୋଇଥିବା ସମସ୍ତ ଜବର ଦଖଲ ତୁରନ୍ତ ହଟାଇବାକୁ କହିଛନ୍ତି। ଯେପରି ଆମ୍ବୁଲାନ୍ସ ଯାତାୟାତରେ କୌଣସି ସମସ୍ୟା ଦେଖା ନଦେବ, ସେ ନେଇ ତ୍ୱରିତ ପଦକ୍ଷେପ ନେବାଲାଗି ଉଭୟ ସିଡିଏ ଏବଂ ସିଏମସିକୁ ହାଇକୋର୍ଟ ନିର୍ଦେଶ ଦେଇଚନ୍ତି।  ଅନ୍ୟପଟେ ସତ୍ୟବ୍ରତ ଷ୍ଟାଡିୟମକୁ ବ୍ୟବହାର ଯୋଗ୍ୟ କରାଇବା ଲାଗି ମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହାର ଉନ୍ନତି ଲାଗି ଯାହା ଯାହା ଆବଶ୍ୟକ ସେ ନେଇ ଏଏସଆଇ ସହିତ ସମନ୍ୱୟ ରକ୍ଷା କରି ନିର୍ମାଣ କାର୍ଯ୍ୟ କରିବାକୁ ଆଜି ସିଏମସିକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।