ଭୁବନେଶ୍ୱର,୨୫/୧୨ : ନୌପରିବହନକୁ ଉତ୍ସାହିତ କରିବା ଲାଗି ବ୍ୟାପକ କାର୍ଯ୍ୟପନ୍ଥା ଗ୍ରହଣ କରୁଛି ଓଡ଼ିଶା । ଉପକୂଳ ନୌପରିବହନ ଏବଂ ଆନ୍ତଃ ଜଳପଥ ବିକାଶ ଦ୍ୱାରା ସାମଗ୍ରୀ ପରିବହନ ଧାରା ଦୃଢ଼ୀକରଣ କରାଯାଉଛି । ଏ ଦିଗରେ ଏବେ ସୁବର୍ଣ୍ଣରେଖା, ପାଲୁର, ମହାନଦୀରେ ନଦୀ ଭିତ୍ତିକ ବନ୍ଦର ସହ ୧୪ ଅଣ-ପ୍ରମୁଖ ବନ୍ଦର ବିକାଶ ଯୋଜନା କାର୍ଯ୍ୟକାରୀ ହୋଇଛି । ମିଳିତ ଭାବେ ଏହି ବନ୍ଦରଗୁଡ଼ିକର ବିକାଶ ଦ୍ୱାରା ଆଗାମୀ ଦଶନ୍ଧି ସୁଦ୍ଧା ରାଜ୍ୟ ୫୦ ହଜାର କୋଟିର ନିବେଶ ଟାଣିବ।
ରାଜ୍ୟ ଶିଳ୍ପ ବିଭାଗ ସୂଚନା ମୁତାବକ, ସମୁଦ୍ର ପଥରେ ସାମଗ୍ରୀ ପରିବହନ ଏବେ ୨୦% ରହିଛି । ଏହାକୁ ୨୦୩୦ ସୁଦ୍ଧା ୪୦%କୁ ବଢ଼ାଇବା ଲକ୍ଷ୍ୟ । ଓଡ଼ିଶାକୁ ନୌପରିବହନ କ୍ଷେତ୍ରରେ ଏକ ଲିଡର ଭାବେ ଗଢ଼ି ତୋଳିବାକୁ ବିଭିନ୍ନ ଯୋଜନା ଏବେ କାର୍ଯ୍ୟକାରୀ ହେଉଛି । ଏହି ବନ୍ଦରଗୁଡ଼ିକ ଏ କ୍ଷେତ୍ରରେ ପ୍ରମୁଖ ଯୋଗଦାନ ଦେଇପାରିବ । ବନ୍ଦରଗୁଡ଼ିକୁ ଶିଳ୍ପ କ୍ଲଷ୍ଟର ଯୋଡ଼ିବା କାମ ତ୍ୱରାନ୍ୱିତ ହେଉଛି । ବାଲେଶ୍ୱର ଜିଲାର ସୁବର୍ଣ୍ଣରେଖା ବନ୍ଦରରୁ ବାର୍ଷିକ ୫୫ ନିୟୁତ ଟନ୍ ମାଲ୍ ପରିବହନ ଲାଗି ଡିଜାଇନ କରାଯାଇଛି । ରାଜ୍ୟର ରପ୍ତାନିରେ ଏହା ଏକ ପ୍ରମୁଖ ବନ୍ଦର ଭାବେ ଉଭା ହେଉଛି । ଟାଟା ଗ୍ରୁପ ଏହି ବନ୍ଦରଟିକୁ ବିକଶିତ କରୁଛି । ଏଠାରୁ ଲୁହାପଥର, ଇସ୍ପାତ ଏବଂ କୋଇଲା ରପ୍ତାନି ହେଉଛି । ଡିପ୍ ଡ୍ରାଫ୍ଟ ସୁବିଧା ଦ୍ୱାରା ବଡ଼ ଜାହାଜଗୁଡିକର ପରିବହନ ନେଇ ଏଠାରେ ବ୍ୟବସ୍ଥା ହୋଇଛି । ଏହା ଦ୍ୱାରା ଲଜିଷ୍ଟିକ୍ସ ଖର୍ଚ୍ଚ କମିବ । ଏହି ବନ୍ଦର ବିକାଶ ଦ୍ୱାରା ପ୍ରାୟ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି ।
ସେହିଭଳି ପୁରୀ ଜିଲାର ଅସ୍ତରଙ୍ଗ ବନ୍ଦର ବିକାଶ ଦ୍ୱାରା ରାଜ୍ୟର ନୌବାଣିଜ୍ୟ ନେଟ୍ୱର୍କକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି । ଏଠାରେ ବଲ୍କ କାର୍ଗୋ, କଣ୍ଟେନର ଯୋଗେ ସାମଗ୍ରୀ ରପ୍ତାନି ଏବଂ ଅକ୍ଷୟ ଶକ୍ତି କମ୍ପୋନେଣ୍ଟ କ୍ଷେତ୍ରରେ କାମ ହେଉଛି । କେନ୍ଦ୍ର ଏବଂ ଦକ୍ଷିଣ ଓଡ଼ିଶା ଶିଳ୍ପ ଜୋନ ପାଇଁ ଏହି ବନ୍ଦରଟି ଅପେକ୍ଷାକୃତ ପାଖରେ ରହିଛି । ଏଠାରେ ଗ୍ରୀନ୍ ଲଜିଷ୍ଟିକ୍ସ, ଇଲେକ୍ଟ୍ରିକ କାର୍ଗୋ ହ୍ୟାଣ୍ଡ୍ଲିଂ ଯନ୍ତ୍ରାଂଶ ଏବଂ ପରିବେଶ ଉପଯୋଗୀ ଭିତ୍ତିଭୂମି ରହିଛି । ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୨୫ ନିୟୁତ ଟନ୍ ସାମଗ୍ରୀ ପରିଚାଳନା ରଖାଯାଇଛି। ଗଞ୍ଜାମ ଜିଲାର ପାଲୁର ବନ୍ଦର ମଲ୍ଟି କମୋଡିଟି ବନ୍ଦର ଭାବେ ଉଭା ହେଊଛି । ଏଠାରୁ କୃଷି ଭିତ୍ତିକ ଉତ୍ପାଦ, ଖଣିଜ ଏବଂ କଣ୍ଟେନର ସାମଗ୍ରୀ ପରିଚାଳନା ଲକ୍ଷ୍ୟ ରଖାଯାଇଛି ।
ଏହା ଦକ୍ଷିଣ ଓଡ଼ିଶାର ଶିଳ୍ପ ବିକାଶରେ ଯୋଗଦାନ ଦେବ ବୋଲି କୁହାଯାଉଛି । ଏହା ସାମୁଦ୍ରିକ ପର୍ଯ୍ୟଟନ ଏବଂ ମତ୍ସ୍ୟ ଶିଳ୍ପ ବିକାଶରେ ମଧ୍ୟ ସହାୟକ ହେବ । ରାଜ୍ୟ ସରକାର ଏହି ବନ୍ଦରକୁ କୋଲ୍ଡ ଷ୍ଟୋରେଜ ଚେନ୍ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରୋସେସିଂ ଶିଳ୍ପ ସହ ଯୋଡ଼ିବା ଉପରେ ଏବେ ଧ୍ୟାନକେନ୍ଦ୍ରୀତ କରିଛନ୍ତି । ରାଜ୍ୟରେ ପ୍ରଥମ ଥର ଲାଗି ମହାନଦୀରେ ନଦୀଭିତ୍ତିକ ବନ୍ଦର ବିକାଶ ଉପରେ ମଧ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ଏଠାରେ ଆନ୍ତଃ ଜଳ ପରିବହନ କରିଡର ବିକଶିତ ହେବ । ପାରାଦୀପ ନିକଟରେ ଏହି ଫାସିଲିଟି ବିକଶିତ ହେବ । ଏଠାରୁ ୪୫ ନିୟୁତ ଟନ୍ କାର୍ଗୋ ପରିବହନ ଲକ୍ଷ୍ୟ ରଖାଯାଇଛି । ଏହି ନଦୀଭିତ୍ତିକ ବନ୍ଦର କୋଇଲା, ଇସ୍ପାତ, ସିମେଣ୍ଟ ଏବଂ ସାର ଭଳି ଶିଳ୍ପ ଗୁଡ଼ିକ ଲାଗି ଗେମ୍ଚେଞ୍ଜର ସାବ୍ୟସ୍ତ ହେବ । ଏହାକୁ ଜାତୀୟ ରାଜପଥ ୫ ସହ ସଂଯୋଗ କରାଯିବ । ଏହାବାଦ ସରକାର ସାମୁଦ୍ରିକ ଇକୋସିଷ୍ଟମ କ୍ଷେତ୍ରରେ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରୁଛନ୍ତି । ମେରାଇନ ବାୟୋଟେକ୍ନୋଲୋଜି ପାର୍କ, ଜାହାଜ ଉତ୍ପାଦନ ଏବଂ ପରିଚାଳନାରେ ୨ ହଜାର କୋଟିର ନିବେଶ ସହ ଉପକୂଳ ପର୍ଯ୍ୟଟନ ବିକାଶ ଭଳି ଦିଗ ଉପରେ ଧ୍ୟାନ ରଖିଛନ୍ତି । ଏ କ୍ଷେତ୍ରରେ ନୂଆ ନୀତି ସହ ଘରୋଇ କ୍ଷେତ୍ରକୁ ନିବେଶକୁ ପ୍ରୋତ୍ସାହିତ କରାଯାଇଛି ।
ନିବେଶକଙ୍କୁ ସୁବିଧାରେ ଜମି ଯୋଗାଣ, ଟିକସ ରିହାତି ଏବଂ ଜରୁରୀ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରିତ କରାଯାଇଛି । ଏହା କେବଳ ରାଜ୍ୟର ଶିଳ୍ପ କ୍ଷେତ୍ର ଲାଗି ସହାୟକ ହେବନି, ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ଯୋଗଦାନ ହେବ । ବନ୍ଦରଗୁଡିକ ଲଜିଷ୍ଟିକ୍ସ, ୱେୟାର ହାଉସିଂ, ପର୍ଯ୍ୟଟନ ଏବଂ ମତ୍ସ୍ୟ କ୍ଷେତ୍ରର ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ । ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସାମାଜିକ ଓ ଆର୍ôଥକ ବିକାଶ କ୍ଷେତ୍ରରେ ଏହା ଯୋଗଦାନ ଦେଇପାରିବ । ନୌବାଣିଜ୍ୟ କ୍ଷେତ୍ରରେ ରାଜ୍ୟ ଏକ ପ୍ରମୁଖ ସ୍ଥାନରେ ରହିଛି । ନୂଆ ବନ୍ଦର ଗୁଡିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏହା ଦ୍ୱାରା ନୌପରିବହନ ଇକୋସିଷ୍ଟମ, ବାଣିଜ୍ୟ, ଶିଳ୍ପ ଏବଂ ଆଞ୍ଚଳିକ ବିକାଶ ସାଧନ ହୋଇପାରିବ । ନୌବାଣିଜ୍ୟରେ ଓଡ଼ିଶାର ରହିଥିବା ସମୃଦ୍ଧ ପରମ୍ପରାକୁ ମଧ୍ୟ ଏହା ଦୃଢ଼ କରିବ । ବନ୍ଦର ବିକାଶ କାର୍ଯ୍ୟକ୍ରମ କେବଳ ଭିତ୍ତିଭୂମି ପ୍ରକଳ୍ପ ନୁହେଁ ଏହା ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ଜୀବନ ଧାରା ରୂପାନ୍ତରଣର ପ୍ରମୁଖ ମଙ୍ଗୁଆଳ ହେବ । ରାଜ୍ୟର ସୁଦୀର୍ଘ ବେଳାଭୂମି ଦେଶ ବିକାଶର ଲାଇଫ୍ ଲାଇନ ହେବ । ଏହି ପରିପ୍ରେକ୍ଷୀରେ ଇପିକଲ୍ର ଏମ୍ଡି ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି, ରାଜ୍ୟରେ ଏବେ ୩ଟି ପ୍ରମୁଖ ବନ୍ଦର କାର୍ଯ୍ୟକ୍ଷମ ରହିଛି । ଆହୁରି ଅନେକ ବନ୍ଦର ଆସୁଛି । ଏହି ବନ୍ଦରଗୁଡିକ ନୌପରିବହନକୁ ତ୍ୱରାନ୍ୱିତ କରିବ ।