ଭୁବନେଶ୍ୱର,୨୫/୧୦: ବାତ୍ୟା ଯୋଗୁଁ କୌଣସି  ଯାତ୍ରୀଙ୍କ ଯେମିତି ଧନ ଓ ଜୀବନ କ୍ଷତି ନ ହେଉ ତାହାକୁ  ଧ୍ୟାନ ଦେବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ଦେଶ  ଦେଇଛନ୍ତି । ସେଥିପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟ୍ରେନ୍‌  ଚଳାଚଳକୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି । 

ଶ୍ରୀ ଫୁଙ୍କୱାଲ କହିଛନ୍ତି, ବାତ୍ୟା ସମୟରେ ଯାତ୍ରୀ  ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ବାତ୍ୟା ପରେ କିଭଳି ରେଳ  ଚଳାଚଳ ବିଶେଷ ଭାବେ ବାଧାପ୍ରାପ୍ତ ହେବନି, ସେ ନେଇ  ରେଳମନ୍ତ୍ରୀ ସମୀକ୍ଷା କରିଛନ୍ତି । ପଶ୍ଚିମବଙ୍ଗ ଓ ଓଡ଼ିଶାର  ବିଭିନ୍ନ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।  ବାତ୍ୟା ମୁକାବିଲା ପାଇଁ ରେଳବୋର୍ଡ଼ରେ ଗୋଟିଏ ୱାର୍‌  ରୁମ ଖୋଲାଯାଇଛି । ଏହା ବ୍ୟତୀତ ପୂର୍ବତଟ ରେଳପଥ  ମୁଖ୍ୟାଳୟ, ସମ୍ବଲପୁର ଡିଭିଜନ୍‌, ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌,  ଚକ୍ରଧରପୁର, ୱାଲଟିୟର୍‌ ଓ ଖଡ଼ଗପୁର ଡିଭିଜନରେ ମଧ୍ୟ  ୱାରରୁମ୍‌ ଖୋଲିଛି । ତୁରନ୍ତ ଟ୍ରାକ୍‌ ମରାମତି, ସିଗନାଲ୍‌ ଓ  ବିଦ୍ୟୁତ ବ୍ୟବସ୍ଥା ସଜାଡିବା ପାଇଁ ପ୍ରସ୍ତୁତି ସରିଛି । ଟ୍ରଲି,  କୋଚ୍‌ ଓ ଟାୱାର ୱାଗନ୍‌ ସମେତ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ  ହୋଇ ରହିଛି ବୋଲି ମହାପ୍ରବନ୍ଧକ କହିଛନ୍ତି । 

ଗୁରୁବାର ପୂର୍ବତଟ ରେଳପଥ ଓ ଦକ୍ଷିଣ ପୂର୍ବ  ରେଳପଥ ଅଞ୍ଚଳରେ ୧୦୩ଟି ଟ୍ରେନ୍‌ ବାତିଲ ହୋଇଥିବାରୁ  ବିଭିନ୍ନ ଷ୍ଟେସନରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ପୂର୍ବରୁ ଯାତ୍ରା  ପାଇଁ ଯୋଜନା କରିଥିବା ବହୁ ଯାତ୍ରୀ ବିଭିନ୍ନ ଷ୍ଟେସନରେ  ପହଞ୍ଚିବା ପରେ ହା ହତାଶ ହୋଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା  କରିଛନ୍ତି । ଟ୍ରେନ୍‌ ଆସୁନଥିବାରୁ ଷ୍ଟେସନରେ ଯାହା ମିଳୁଛି  ତାହା ଖାଇ କେବେ ପରିସ୍ଥିତି ସୁଧୁରିବ, ସେହି ସମୟକୁ ଅପେକ୍ଷା କରିଛନ୍ତି । ସେହିପରି ଶୁକ୍ରବାର ୫୪ ଟ୍ରେନ୍‌ ବାତିଲ  ରହିବ । ଶନିବାର ୧୦ଟି ଟ୍ରେନ୍‌ ଓ ୨୭ ତାରିଖରେ ୩ ଓ  ୨୯ରେ ମଧ୍ୟ ୩ଟି ଟ୍ରେନ୍‌ ବାତିଲ ରହିବ ବୋଲି ପୂର୍ବତଟ  ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।