ବୁର୍ଲା,୧୧/୧୧: ଭିମ୍ସାର ମେଡିକାଲରେ ବର୍ଷ ବର୍ଷ ଧରି ପଡ଼ି ରହୁଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ଦୁଇ ବର୍ଷରୁ ଅଧିକ କାଳ ହେଲା ୫୦୦ରୁ ଅଧିକ ବ୍ୟବଚ୍ଛେଦ ରିପୋର୍ଟ ଡାକ୍ତରଖାନା କର୍ତ୍ତୃପକ୍ଷ ଅଟକାଇ ରଖିଛନ୍ତି । କାହିଁକି ଅଟକାଇ ରଖିଛନ୍ତି ତାହା କାହାକୁ ଜଣାନାହିଁ । ଭିମ୍ସାର ପ୍ରଶାସନ ଜାଣିଶୁଣି ଏଭଳି ବିଳମ୍ବ କରି ଚାଲିଛନ୍ତି ନା ଚରମ ଅବହେଳା, ତାହା ଏବେ ଚର୍ଚ୍ଚା ପରିସରରେ ରହିଛି । ଏପରି କି ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ମଧ୍ୟ ଭିମ୍ସାର ଉପରେ ଖପ୍ପା । ଏଣେ ଆତ୍ମୀୟଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଭିମ୍ସାର ଧାଇଁ ଧାଇଁ ନୟାନ୍ତ ହେଲେଣି ଅନେକ ପରିବାର । ଠିକଣା ସମୟରେ ବ୍ୟବଚ୍ଛେଦ ରିପୋର୍ଟ ନ ପାଇ ମୃତକଙ୍କ ସମ୍ପର୍କୀୟମାନେ ମୃତ୍ୟୁ ପ୍ରମାଣପତ୍ର ପାଇପାରୁ ନାହାନ୍ତି, ଯାହା ମୃତ୍ୟୁ ପରବର୍ତ୍ତୀ ବିଭିନ୍ନ ସରକାରୀ କାମରେ ବାଧକ ସାଜୁଛି ।
ପ୍ରକାଶ ଯେ, ଭିମ୍ସାର ମେଡିକାଲରେ ଅପମୃତ୍ୟୁ, ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ଶବ ବ୍ୟବଚ୍ଛେଦ କରାଯାଏ । ଏଫ୍ଏମ୍ଟି ବିଭାଗ ଡାକ୍ତରମାନେ ଶବ ବ୍ୟବଚ୍ଛେଦ କରି କିଛି ଦିନ ମଧ୍ୟରେ ରିପୋର୍ଟ ମାମଲା ଦାଏର ହୋଇଥିବା ସମ୍ପୃକ୍ତ ଥାନାକୁ ଦେଇଥାନ୍ତି । ପରେ ତାହା ମୃତକଙ୍କ ସମ୍ପର୍କୀୟଙ୍କ ପାଖକୁ ଯାଇଥାଏ । ମାତ୍ର ବୁର୍ଲା ମେଡିକାଲ ପୁଲିସ ଫାଣ୍ଡି ଅଧୀନରେ ୨୦୨୨ ଜାନୁୟାରୀରୁ ୨୦୨୪ ନଭେମ୍ବର ୮ତାରିଖ ମଧ୍ୟରେ ହୋଇଥିବା ଅପମୃତ୍ୟୁ ମାମଲା, ଦୁର୍ଘଟଣା ମୃତ୍ୟୁ ମାମଲାରେ ୫୧୨ ଜଣଙ୍କ ରିପୋର୍ଟ ପୁଲିସର ହସ୍ତଗତ ହୋଇନାହିଁ । ସେଥିରେ ୨୦୨୨ ମସିହାର ୧୦୪ଟି, ୨୦୨୩ର ୧୦୫ଟି ଏବଂ ଚଳିତ ବର୍ଷ ଅର୍ଥାତ୍ ୨୦୨୪ ନଭେମ୍ବର ୮ ତାରିଖ ଯାଏ ୩୦୩ ମାମଲା ରହିଛି । ସବୁତକ ଏଫ୍ଏମ୍ଟି ବିଭାଗରେ ପଡ଼ି ରହିଥିବା ପୁଲିସ କହୁଛି । ତେବେ ଏଫ୍ଏମ୍ଟି ବିଭାଗ କାହିଁକି ଅଟକାଇ ରଖିଛି ତାର ଉତ୍ତର କାହା ପାଖରେ ନାହିଁ । ବ୍ୟବଚ୍ଛେଦ ରିପୋର୍ଟ ନ ଆସିବାରୁ ଉପରୋକ୍ତ ସବୁତକ ମୃତ୍ୟୁର କାରଣ ଏବେ ବି ରହସ୍ୟ ଘେରରେ ରହିଛି । କାହାର କେଉଁ ସମୟରେ, କେଉଁ କାରଣରୁ ମୃତ୍ୟୁ ହେଲା ସେ ବିଷୟରେ ନା ମୃତକଙ୍କ ପରିବାର ଲୋକ ଜାଣିପାରୁଛନ୍ତି ନା ତଦନ୍ତକାରୀ ବିଭାଗ ଜାଣିପାରୁଛି ।
ପଡ଼ି ରହିଥିବା ୫୧୨ଟି ମାମଲାରୁ ଯଦି କିଛି ହତ୍ୟା, ଆତ୍ମହତ୍ୟା କି ତଦନ୍ତ ସାପେକ୍ଷ ମାମଲା ଥାଏ, ତେବେ ତଦନ୍ତ ପ୍ରକ୍ରିୟା କିଭଳି ଆଗେଇ ପାରିବ ତାହା ସହଜେ ଅନୁମେୟ । ମାମଲା ପଡ଼ି ରହିଥିବାରୁ ପୁଲିସ ବି ହାତ ବାନ୍ଧି ବସିରହିଛି । ଅନ୍ୟପକ୍ଷେ ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଯଦି ଏସ୍ଏମ୍ସିରେ ମୃତ୍ୟୁ ଦିନର ଏକମାସରୁ ଅଧିକ ସମୟ ମଧ୍ୟ ଜମା କରା ନଯାଏ ତା’ହେଲେ ମୃତ୍ୟୁ ପ୍ରମାଣ ପତ୍ର ଆବେଦନରେ ମଧ୍ୟ ବିଳମ୍ବ ହୋଇଥାଏ । ଏଭଳି ବିଳମ୍ବ ଯୋଗୁଁ ଅନେକ ମୃତକଙ୍କ ପରିବାର ରିପୋର୍ଟ ପାଇଁ ଭିମ୍ସାର ଦୌଡ଼ି ଦୌଡି ନୟାନ୍ତ ହେଉଥିବା ବେଳେ ରିପୋର୍ଟ ବିଳମ୍ବ ଯୋଗୁଁ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି, ସମ୍ପତ୍ତି ଭାଗବଣ୍ଟା ହୋଇପାରୁ ନାହିଁ, ବିଭିନ୍ନ ଆଇନଗତ ପ୍ରକ୍ରିୟରେ ବି ବାଧକ ସାଜୁଛି ।
ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାଞ୍ଚଳର ଜାନୁୟାରୀ ମାସର ଏକ ବ୍ୟବଚ୍ଛେଦ ରିପୋର୍ଟ ପରିବାର ଲୋକେ ନପାଇବା ଘଟଣା ଦୁଇଦିନ ତଳେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ । ତୁରନ୍ତ ଅଭିଯୋଗର ରିପୋର୍ଟ ଦାଖଲ କରିବାକୁ ଜିଲ୍ଲା ପ୍ରଶାସନ ଭିମ୍ସାର କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରିଥିଲେ ।
ତେବେ କିଭଳି ମୃତ୍ୟୁର ସାତଦିନ ମଧ୍ୟରେ ମୃତକଙ୍କ ପରିବାରକୁ ବ୍ୟବଚ୍ଛେଦ ରିପୋର୍ଟ ମିଳିପାରିବ ସେ ଦିଗରେ ଭିମ୍ସାର୍ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର୍ ଧରିଛି । ଏନେଇ ଭିମ୍ସାର୍ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଭାବଗ୍ରାହୀ ରଥଙ୍କୁ ପଚାରିବାରୁ କିଛି କାଗଜପତ୍ରରେ ସମସ୍ୟା ଯୋଗୁଁ ରିପୋର୍ଟ ପ୍ରସ୍ତୁତ କରିବାରେ ବିଳମ୍ବ ହେଉଥିଲା ଏବଂ କିଭଳି ଲୋକଙ୍କୁ ରିପୋର୍ଟ ଯଥାଶୀଘ୍ର ମିଳିବ ଆମେ ସେ ଦିଗରେ ପଦକ୍ଷେପ ନେଉଛୁ ବୋଲି କହିଛନ୍ତି