ମାଲକାନଗିରି, ୬/୧୧(ଆପ୍ର ) : ବେଆଇନ ଭାବେ କଇଁଛ ବିକ୍ରି ହେଉଥିବା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୫୧ଟି ଜୀବନ୍ତ କଇଁଛ ଜବତ କରାଯାଇଛି। ଏଥିସହ ବନବିଭାଗ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମୋଟୁ ଥାନା ଏମପିଭି ୪୭ ଗ୍ରାମର ସୁରଜ ମଣ୍ଡଳ (୨୪), ଏମଭି୮୧ ଗ୍ରାମର ଜୟନ୍ତ ବଛାଡ଼ (୨୮)।

କଇଁଛର ଅବୈଧ ପରିବହନ ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ଆଧାରରେ, ମୋଟୁ ବନ କର୍ମଚାରୀ ଏବଂ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ଏକ ମିଳିତ ଦଳ ଗଠନ କରାଯାଇଥିଲା। ଏହି ଟିମ  ପଡିଆ ଥାନା କମାରଗୁଡ଼ା ଗ୍ରାମ କଲଭର୍ଟ ନିକଟରେ ଏକ ମୋଟରସାଇକେଲ ଆରୋହୀକୁ ଅଟକାଇଥିଲେ। ଯାଞ୍ଚ ବେଳେ  ୫୧ଟି ଜୀବନ୍ତ ଭାରତୀୟ ଫ୍ଲାପ୍ ସେଲ୍ କଇଁଛ ଜବତ କରାଯାଇଥିଲା।  ତଦନ୍ତ ପରେ ଜଣାପଡି ଥିଲା ଯେ ଅଭିଯୁକ୍ତମାନେ ଭେମୁଲାରାଇ (ଆନ୍ଧ୍ର ପ୍ରଦେଶ)ରୁ ଜଣେ ବିକ୍ରେତାଙ୍କଠାରୁ ଜୀବନ୍ତ ଫ୍ଲାପ୍ ସେଲ୍ କଇଁଛ କିଣିଥିଲେ। ସେମାନେ ଡଙ୍ଗା ଯୋଗେ ଓଡ଼ିଶା ସୀମା ପାର ହୋଇ କୁର୍ସନପାଲି ନଦୀ ଘାଟକୁ ଆସିଥିଲେ। ଘାଟ ଅଞ୍ଚଳରେ ପହଞ୍ଚିବା ପରେ ସେମାନେ ମୋଟରସାଇକେଲରେ କଇଁଛ ଥିବା ଦୁଇଟି ବସ୍ତା ଲୋଡ୍ କରି ଏମପିଭି-୪୭ ଅଭିମୁଖେ ବିକ୍ରି କରିବା ପାଇଁ ଯାଉଥିଲେ। ସହକାରୀ ବନସଂରକ୍ଷକ ମୁନସୁନ ଖେମୁଣ୍ଡୁ ଏ ନେଇ ସୂଚନା ଦେଇଛନ୍ତି।