ଭଦ୍ରକ, ୦୮/୦୮: ଭଦ୍ରକ ଅବକାରୀ ବିଭାଗର ଚଢ଼ାଉ । ଏହି ଚଢାଉରେ ୫୧୦ ଲିଟର ଦେଶୀ ମଦ ଜବତ ହୋଇଛି । ଏହା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ଏକ ବାଇକ୍‌ ଏବଂ ଏକ ସ୍କୁଟି ଜବତ କରାଯାଇଛି ।

ସୂଚନା ମୁତାବକ, ଭଦ୍ରକ ଅବକାରୀ ଉପ-ଅଧିକ୍ଷକ ସୁଚରିତା ମିଶ୍ରଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁ ଓ ଷ୍ଟାଫମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠିନ କରାଯାଇଥିଲା । ଏହି ଟିମ୍‌ ବନ୍ତ ଥାନା ଅଞ୍ଚଳରେ ଚଢ଼ାଉ କରିଛି । ଗଭରପୁର ଏବଂ ଛୟାଳସିଂ ଗ୍ରାମ ଅଞ୍ଚଳରେ ଚଢ଼ାଉ କରି ୫୧୦ ଲିଟର ଦେଶୀ ମଦ ସହିତ ଗୋଟିଏ ବାଇକ୍‌ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି । ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କ ସହିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ମଦ ସହ ମୋଟର ସାଇକେଲ ଏବଂ ସ୍କୁଟିର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ସହକାରୀ ଉପ-ନିରୀକ୍ଷକ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ସୁଦର୍ଶନ ପଲେଇ, ପରେଶ ଟୁଡୁ, ଜେମାମଣୀ ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୩ଟି ମାମଲା ରୁଜୁ କରାଯାଇଛି ।