କଟକ, ୧୨/୧୧ : ଚଳିତ ବର୍ଷ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ଦର୍ଶକ ବା ଯାତ୍ରୀ ହଜିବା ଘଟଣା ସାମ୍ନାକୁ ଆସିଛି । ଯାତ୍ରାର ପ୍ରଥମ ୬ ଦିନ ମଧ୍ୟରେ ୫୨୨ ଜଣ ପଡ଼ିଆ ଭିତରେ ନିଜ ସମ୍ପର୍କୀୟଙ୍କଠାରୁ ଅଲଗା ହୋଇଯାଇଥିଲେ । ଅବଶ୍ୟ ଆଶ୍ୱାସନାର ବିଷୟ, ସେହି ରାତିରେ ସମସ୍ତେ ମିଳିଯାଇଥିଲେ । ପଡ଼ିଆ ବିସ୍ତୃତ ହୋଇଥିବାରୁ ଏଭଳି ନିଖୋଜ ଘଟଣା ଏବର୍ଷ ବଢ଼ିଥିବା କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ ହେଉଛି ଖାଲି ଯାତ୍ରୀ ହଜି ନାହାନ୍ତି, ଗାଡ଼ି ଚାବି, ମୋବାଇଲ୍, ପର୍ସ ଓ ବ୍ୟାଗ୍ ହଜିବା ମଧ୍ୟ ଏବର୍ଷ ରେକର୍ଡ କରିଛି । ତେବେ ହଜିଥିବା ୫୦ରୁ ଅଧିକ ମୋବାଇଲ୍ ଫୋନ୍ ପାଇ ଯାତ୍ରୀମାନେ ସ୍ୱତଃପ୍ରବୃତ ଭାବେ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଏହା ବି ସାଧୁତାର ଏକ ଅନନ୍ୟ ରେକର୍ଡ ।
ଗତ ୫ ତାରିଖ ବୁଧବାରଠାରୁ ବାଲିଯାତ୍ରା ଆରମ୍ଭ ହେଲାଣି । ଚଳିତ ବର୍ଷ ଯାତ୍ରାରେ ହୋଇଥିବା ଷ୍ଟଲ୍ ବା ବ୍ୟବସାୟ ପ୍ରତିଷ୍ଠାନରୁ ପ୍ରାୟ ୯୫ ପ୍ରତିଶତ ତଳ ପଡ଼ିଆରେ ହୋଇଥିବା ବେଳେ ଉପର ପଡ଼ିଆରେ ମାତ୍ର ୫ ପ୍ରତିଶତରୁ କମ୍ ଷ୍ଟଲ୍ ହୋଇଛି । ଯାତ୍ରା ଆରମ୍ଭ ହେବା ଦିନଠାରୁ ୧୦ ତାରିଖ ସୋମବାର ରାତି ପର୍ଯ୍ୟନ୍ତ ପଡ଼ିଆରେ ୪୦ରୁ ୪୫ ଲକ୍ଷ ଲୋକ ବୁଲିସାରିଲେଣି । ଆଉ ଏହି ୬ ଦିନ ମଧ୍ୟରେ ପଡ଼ିଆ ଭିତରେ ମୋଟ୍ ୫୨୨ ଜଣ ଯାତ୍ରୀ ନିଖୋଜ ହେବା ବା ପଡ଼ିଆ ଭିତରେ ସମ୍ପର୍କୀୟଙ୍କଠାରୁ ଅଲଗା ହୋଇଯିବା ଭଳି ଘଟଣା ଘଟିଥିବା ପୁଲିସ ଓ ପ୍ରଶାସନର ରେକର୍ଡକୁ ଆସିଛି । ପ୍ରଥମ ଦିନ ଅର୍ଥାତ୍ ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ମୋଟ୍ ୪୪ ଜଣ ଦେଖଣାହାରୀ ନିଖୋଜ ହୋଇଥିଲେ । ଆଉ ସବୁଠୁ ଅଧିକ ନିଖୋଜ ବା ହଜିବା ଘଟଣା ଗତ ରବିବାର ୧୧ ତାରିଖରେ ଦେଖିବାକୁ ମିଳିଛି । କୁହାଯାଉଛି ଏହି ଦିନ ଯାତ୍ରା ପଡ଼ିଆରେ ସକାଳୁ ସନ୍ଧ୍ୟା ମଧ୍ୟରେ ପ୍ରାୟ ୨୦ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । ଆଉ ଏହା ମଧ୍ୟରେ ୧୫୧ ଜଣ ନିଖୋଜ ହୋଇଥିଲେ । ସମ୍ପର୍କୀୟମାନେ ପଡ଼ିଆରେ ନିକଟ ପୁଲିସ ସହାୟତା କେନ୍ଦ୍ରରେ ଜଣାଇବା ପରେ ନିଖୋଜ ନେଇ ମାଇକ୍ ଯୋଗେ ପ୍ରଚାର କରାଯିବା ପରେ ଅନେକ ମିଳିଯାଉଥିଲେ । ସମ୍ପର୍କୀୟମାନେ ଆସି ପୁଲିସ ଏଡ୍ପୋଷ୍ଟରୁ ସେମାନଙ୍କୁ ନେଇଯାଉଥିଲେ ।
ତଥ୍ୟ କହୁଛି, ୨୦୨୪ ବାଲିଯାତ୍ରରେ ପ୍ରଥମ ୬ ଦିନରେ ମାତ୍ର ୩୨୦ ଜଣ ନିଖୋଜ ହୋଇଥିଲେ । ଏହି ସମୟରେ ଉଭୟ ପଡ଼ିଆରେ ଯାତ୍ରା ହେଉଥିଲା । ଅନ୍ୟ ପଟେ ଗତ ବର୍ଷ ତୁଳନାରେ ଏବର୍ଷ ଗାଡ଼ି ଚାବି, ମନି ପର୍ସ ଓ ବ୍ୟାଗ୍ ମଧ୍ୟ ବହୁଳ ମାତ୍ରାରେ ହଜିଛି । ଏହି ୬ ଦିନରେ ୧୪୨ଟି ଗାଡ଼ି ଚାବି ହଜିବା ନେଇ ପୁଲିସ ପାଖରେ ଅଭିଯୋଗ ହୋଇଛି । ସେହିପରି ୩୩ଟି ଛୋଟ ବ୍ୟାଗ୍, ୬୬ଟି ପର୍ସ ବା ଭ୍ୟାନିଟି ଓ ୭୮ଟି ମୋବାଇଲ୍ ଫୋନ୍ ହଜିବା ଅଭିଯୋଗ ହୋଇଛି । ତେବେ ଗତବର୍ଷ ମୋଟ୍ ୫୧ଟି ପର୍ସ ଓ ବ୍ୟାଗ୍ ହଜିବା ନେଇ ରିପୋର୍ଟ ହୋଇଥିଲା । ଚଳିତ ବର୍ଷ ଯେଉଁ ୭୮ଟି ଫୋନ୍ ହଜିବା ନେଇ ଅଭିଯୋଗ ହୋଇଛି ସେଥିରୁ ୫୦ରୁ ଅଧିକ ଫୋନ୍କୁ ବହୁ ଯାତ୍ରୀ ଆଣି ପୁଲିସ ଏଡ୍ପୋଷ୍ଟରେ ଦାଖଲ କରିଛନ୍ତି ଯାହାକୁ ପରେ ସଂପୃକ୍ତ ମାଲିକଙ୍କୁ ଫେରସ୍ତ କରାଯାଇଛି । ଏହାବାଦ୍ ଶତାଧିକ ଫୋନ୍ ଚୋରି ହୋଇଛି ଯାହାକୁ ନେଇ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ତଦନ୍ତ ମଧ୍ୟ କରୁଛି ।