ଲକ୍ଷ୍ନୌ ୨୩/୦୫: ଉତ୍ତରପ୍ରଦେଶରେ ବୁଧବାର ରାତିରେ  କାଳବୈଶାଖୀ ତାଣ୍ଡବ ରଚିଛି । ସନ୍ଧ୍ୟାରୁ ଜୋର୍‌ରେ ବର୍ଷା,  ଝଡ଼ତୋଫାନ ଲାଗି ରହିଥିଲା । ଭିନ୍ନ ଭିନ୍ନ ଘଟଣାରେ ଜଣେ  ଆପ୍‌ ନେତା, ଡାକ୍ତର, ସୁରକ୍ଷାକର୍ମୀଙ୍କ ସମେତ ୨୮ ଜିଲ୍ଲାରେ ୫୮  ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆପ୍‌ ନେତା ମନିଷ ବର୍ଷାରୁ  ସୁରକ୍ଷିତ ରହିବା ଲାଗି ଏକ କୋଠା ତଳେ ଛିଡ଼ା ହୋଇଥିବାବେଳେ  ସେଠାରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଭଗ୍ନାବଶେଷ ତଳେ ଚାପି  ହୋଇ ତାଙ୍କର ମୃତ୍ୟୁ ଘଟିଥିଲା । ୨୧ ଦିନ ତଳେ ତାଙ୍କର ବିବାହ  ହୋଇଥିବା ବୋଲି ଜଣାପଡ଼ିଛି । 

ସେହିପରି କାସଗଞ୍ଜରେ ୫,  ଫତେପୁରରେ ୫, ମିରଟରେ ୪, ବୁଲନ୍ଦସହର, ଗାଜିଆବାଦ,  ଲଖିମପୁର, ଇଟାୱାରେ ୩ ଜଣ ଲେଖାଏଙ୍କ ମୃତ୍ୟୁ ଘଟିଛି । ଗତ  ୨୪ ଘଣ୍ଟାରେ ଲକ୍ଷ୍ନୌ, ଗାଜିଆବାଦ, ନୋଏଡା ସମେତ ୨୫  ଜିଲ୍ଲାରେ ମୂଷଳ ଧାରା ବର୍ଷା ହୋଇଛି । ମିରଟ-ବାଗପତରେ  କୁଆପଥର ବର୍ଷା ହୋଇଥିଲା । ଗୋରଖପୁରରେ ସର୍ବାଧିକ ୭୪  ମିମି ବର୍ଷା ରେକର୍ଡ କରାଯାଇଛି । ରାସ୍ତାଘାଟରେ ପାଣି ଜମିଛି । ନୋଏଡାରେ ଘଣ୍ଟାପ୍ରତି ୮୦ କିମି ବେଗରେ ପବନ ବହିଥିଲା ।  ଗଛ, ହୋର୍ଡିଂ, ବିଦ୍ୟୁତ୍‌ ଖୁଣ୍ଟ ଆଦି ଉପୁଡ଼ି ରାସ୍ତାରେ ପଡ଼ିଛି । ମିରଟରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ନୋଏଡାରେ  ଜଣେ ଆଈମା’ ଏବଂ ତାଙ୍କ ନାତୁଣୀ ଉପରେ ଗ୍ରୀଲ୍‌ ପଡ଼ିଥିଲା ।  ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଗ୍ରୀଲ ଏତେ ଜୋରରେ  ପଡ଼ିଥିଲା ଯେ ବୃଦ୍ଧାଙ୍କ ବେକ କଟି ଅଲଗା ହୋଇଯାଇଥିଲା ।  ତେବେ ୟୁପି ରିଲିଫ୍‌ କମିଶନରଙ୍କ ସୂଚନା ଅନୁସାରେ ୪୯  ଜଣଙ୍କ ମୃତ୍ୟୁ ଘଟିଛି । ୭୧ ପଶୁଙ୍କ ଜୀବନ ଯାଇଛି ।