ପୁରୀ, ୯।୪ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦ୍ବିତୀୟ ଦିନର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି। ଆଜି ଦିନ ୧୨ ଟା ୧୦ ରୁ ସନ୍ଧ୍ୟା ୬ଟା ୧୦ ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ରତ୍ନ ଅଳଙ୍କାର ଏବଂ ମୋତି ମାଣିକ୍ୟର ଚିହ୍ନଟ ଏବଂ ଓଜନ ପାଇଁ ଶ୍ରୀମନ୍ଦିର ବଣିଆ ସେବକ, ରତ୍ନ ବିଶାରଦ, ଆରବିଆଇ ଅଧିକାରୀ ଉପସ୍ଥିତ ରହି ଏହି କାର୍ଯ୍ୟ କରିଥିଲେ। ସମସ୍ତ ରତ୍ନ ଅଳଙ୍କାରର ଥ୍ରୀଡି ମ୍ୟାପିଙ୍ଗ କରାଯାଇଛି। ସମ୍ପୂର୍ଣ୍ଣ ସ୍ବଚ୍ଛତା ଏବଂ ନିର୍ଭୁଲ ଭାବରେ ଏହି ଗଣତି ମଣତି କାର୍ଯ୍ୟ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଏଣୁ ଗଣତି ମଣତି କାର୍ଯ୍ୟ ଏକ ସମୟ ସାପେକ୍ଷ କାର୍ଯ୍ୟ। କେବେ ନିର୍ଦ୍ଦିଷ୍ଟ ଭାବରେ ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି ଶେଷ ହେବ ଏବେ କହିବା ଠିକ୍ ହେବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଶେଷ ହେବା ପରେ ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯିବ। ମହାପ୍ରଭୁଙ୍କ କୃପାରୁ ସବୁକିଛି ସୁରୁଖୁରୁରେ ଗଣତି ମଣତି କାର୍ଯ୍ୟ ହେବ ବୋଲି ଆମର ଆଶା ରହିଛି। ତେବେ ଭିତର ଚନ୍ଦନଯାତ୍ରା ସମୟରେ ଯେଉଁ ସ୍ବଳ୍ପ ସମୟ ମିଳିବ ସେହି ଭିତରେ ଗଣତି ମଣତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

ସେପଟେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର କହିଛନ୍ତି ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ସମସ୍ତ କାର୍ଯ୍ୟ କରାଯାଉଛି। ତେବେ ଦୁଇଦିନ ଭିତରେ ୪୦ ରୁ ଉର୍ଦ୍ଧ୍ବ ପ୍ରକାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଛି।