କଟକ, ୦୭/୧୨: ଦୁର୍ଗାପୂଜା ଓ ଭସାଣି ବେଳେ  ୬୦ ପ୍ଲାଟୁନ୍‌ ଫୋର୍ସ ସୁରକ୍ଷାରେ ନିୟୋଜିତ ହେବେ ।  ସେହିପରି ପ୍ରାୟ ୪ ଶହ ଅଫିସର ମଧ୍ୟ ସୁରକ୍ଷା ତଦାରଖ  କରିବେ । ମହାଷଷ୍ଠୀର ସନ୍ଧ୍ୟାରୁ ଫୋର୍ସଙ୍କୁ ନିୟୋଜିତ  କରାଯିବ । ଦଶହରା ୫ ଦିନ ଓ ଭସାଣି ଗୋଟିଏ ଦିନ ପାଇଁ କଟକ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି ।  ମୋଟ୍‌ ୬୦ରୁ ୬୫ ପ୍ଲାଟୁନ୍‌ ମଧ୍ୟରେ ଫୋର୍ସ ନିୟୋଜିତ  ହେବେ । ଗଣେଶ ପୂଜା ସମୟରୁ ସହରରେ ପ୍ରାୟ ୨୦  ପ୍ଲାଟୁନ୍‌ ଫୋର୍ସ ରହିଥିଲେ । ଏବେ ଆଉ ୪୦ରୁ ୪୫  ପ୍ଲାଟୁନ୍‌ ଫୋର୍ସ ଅନ୍ୟ ଜିଲ୍ଲାରୁ ଆସି ପହଞ୍ଚିଛନ୍ତି । 

ସେହିପରି  ବିଭିନ୍ନ ଜିଲ୍ଲା, ପୁଲିସର ଅନୁଷ୍ଠାନ ଓ ଟ୍ରେନିଂ ଅନୁଷ୍ଠାନରୁ  ମଧ୍ୟ ୧୫୦ ଜଣ ଏଏସ୍‌ଆଇ, ୧୨୦ ଜଣ ଏସ୍‌ଆଇ ଓ  ୬୦ରୁ ଅଧିକ ଇନ୍ସପେକ୍ଟର, ଡିଏସ୍‌ପି ଓ ଅତିରିକ୍ତ  ଏସ୍‌ପି ଦଶହରା ଡ୍ୟୁଟି କରିବା ପାଇଁ ଆସିବେ । ଏହି  କ୍ରମରେ ଦୁଇ କମ୍ପାନୀ ସିଆର୍‌ପିଏଫ୍‌ ବା କେନ୍ଦ୍ରୀୟ ପୁଲିସ  ବଳ ଆସି କଟକରେ ପହଞ୍ଚିଛନ୍ତି । ରବିବାର ରାତିରୁ  ପ୍ରାଥମିକ ଭାବେ ଏହି ଫୋର୍ସ ପାଟ୍ରୋଲିଂ ମଧ୍ୟ ଆରମ୍ଭ  କରିଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ସହରର ୭୨ଟି ସ୍ଥାନରେ ଏଡ୍‌ପୋଷ୍ଟ ବା ଭିଏଚ୍‌ଏଫ୍‌ ପୋଷ୍ଟ କରାଯିବ । 

ମୁତୟନ  ହେବାକୁ ଥିବା ଫୋର୍ସ ମଧ୍ୟରୁ ପ୍ରାୟ ୬ରୁ ୮ ପ୍ଲାଟୁନ୍‌ ଫୋର୍ସ  ଟ୍ରାଫିକ୍‌ ନିୟନ୍ତ୍ରଣରେ ସହଯୋଗ କରିବେ । ସବୁ ଥାନାରେ  ଗୋଟିଏ କରି ସେକ୍ସନ୍‌ ଷ୍ଟ୍ରାଇକିଂ ଫୋର୍ସ ରହିବେ । କିଛି  ଜରୁରି ପରିସ୍ଥିତିରେ ଥାନା ଅଧିକାରୀଙ୍କୁ ଏହି ଫୋର୍ସ  ସହଯୋଗ କରିବ । ଏହାକୁ ବାଦ୍‌ ଦେଲେ କଟକରେ  ଥିବା ସମସ୍ତ ହୋମ୍‌ଗାର୍ଡ, ଟ୍ରାଫିକ୍‌ କର୍ମଚାରୀ, ଥାନା  ଏଏସ୍‌ଆଇ ଓ ଏସ୍‌ଆଇ ସୁରକ୍ଷା ଦାୟିତରେ ରହିବେ ।  କଟକର ସମସ୍ତ ଇନ୍ସପେକ୍ଟର ଓ ଏସିପି ସେକ୍ଟର ୱାରୀ  ସୁରକ୍ଷା ବୁଝିବେ । ଖୋଦ୍‌ ଡିସିପି ଜଗମୋହନ ମୀନା  ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ମହାଷଷ୍ଠୀର  ସକାଳେ ଏକ ବ୍ରିଫିଂ କାର୍ଯ୍ୟକ୍ରମ ଆୟୋଜିତ ହେବ । 

ସହରରେ ଥିବା ତିନିଟି ସ୍ଥାୟୀ ଦମକଳକେନ୍ଦ୍ର  ବକ୍ସିବଜାର, ଚାଉଳିଆଗଞ୍ଜ ଓ ସିଡିଏ ବା ବିଡ଼ାନାସୀକୁ  ଛାଡ଼ି ଦଶହରା ପାଇଁ ୬ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର  ଖୋଲାଯିବ । ଲାଲବାଗ,  ସିଏମସି ଅଫିସ ନିକଟଚୌଧୁରୀ ବଜାର, ନେତାଜୀ  ବସ୍‌ ଟର୍ମିନାଲ୍‌ ସମ୍ମୁଖ, ଖାନନଗର ପାଖରେ,  କଲେଜ ଛକ ଓ ଯୋବ୍ରା ପାଖରେ କରାଯିବ । ପ୍ରତି  କେନ୍ଦ୍ରରେ ଜଣେ ଲେଖାଏଁ ଅଗ୍ନିଶମ ଅଧିକାରୀ,  ଜଣେ ହାବିଲଦାର, ଦମକଳ ଗାଡ଼ି ଡ୍ରାଇଭର  ଦୁଇ ଜଣ, ଫାୟାର ମ୍ୟାନ୍‌ ଚାରି ଜଣ ଓ ଗୋଟିଏ  କରି ଦମକଳ ଗାଡ଼ି ନିୟୋଜିତ ହେବ । ଏହାଛଡ଼ା  ସହରର ଗଳି ରାସ୍ତାରେ ଦୁଇଟି ଛୋଟ ଅଗ୍ନିଶମ  ଗାଡ଼ି ଓ ଦୁଇଟି ବାଇକ୍‌ ପାଟ୍ରୋଲିଂ ଗାଡ଼ି ବୁଲିବ । 

୬ଟି ଅସ୍ଥାୟୀ ଦମକଳ କେନ୍ଦ୍ର

ଏହି ସବୁ ଗାଡ଼ି ୨୪ ଘଣ୍ଟିଆ ପାଟ୍ରୋଲିଂ କରିବ ।  ଜରୁରିକାଳନୀ ପରିସ୍ଥିତିରେ ପାଣି ଲୋଡିଂ ପାଇଁ  ରାଣୀହାଟ ଘଣ୍ଟା ଘର ନିକଟ ଓ ଗଡ଼ଗଡ଼ିଆ  ଘାଟ ନିକଟରେ ଦୁଇଟି ଉଚ୍ଚ  କ୍ଷମତା ସଂପର୍ଣ୍ଣ ପମ୍ପ୍‌ ରହିବ ।  ଏଥିସହିତ ସବୁ ପୂଜା ମଣ୍ଡପ  ଓ ସାଂସ୍କୃତିକ ମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ର  ରଖିବା ବାଧ୍ୟତାମୂଳକ । ସେହିପରି ମଣ୍ଡପରେ  ବ୍ୟବହାର ହେଉଥିବା ବିଦ୍ୟୁତ୍‌ ତାର ଗୁଡ଼ିକର ମାନ  ଉନ୍ନତମାନର ହେବା ସହିତ କଟାଫଟା ହୋଇନଥିବା  ଦରକାର । ଏହି କ୍ରମରେ ପୂଜା ମଣ୍ଡପରେ ପାଣି ଓ  ବାଲିକୁ ପର୍ଯ୍ୟାପ୍ତ ପରିମାଣରେ ରଖିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା କଟକ  ଏଏଫ୍‌ଓ ସଂଜିବ ବେହେରା ସୂଚନା ଦେଇଛନ୍ତି ।