ପାଟନା, ୧୯।୧: କୁହାଯାଏ ପ୍ରେମ ବୟସ ଦେଖେନି । ସାମାଜିକ ରୀତିନୀତି ଏବଂ ବୟସ ପାର୍ଥକ୍ୟକୁ ଅଣଦେଖା କରି ପ୍ରେମୀଯୁଗଳ ପରସ୍ପରକୁ ଭଲ ପାଇ ବସନ୍ତି । ବିହାରର ବାଙ୍କା ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଉଭୟ ପ୍ରେମୀଯୁଗଳ ବୟସ ଦେଖିନାହାନ୍ତି, କିନ୍ତୁ, ସମାଜ ତାଙ୍କ ଭଲପାଇବାକୁ ସ୍ୱୀକାର କରିବାକୁ ଅରାଜି । ଜଣେ ୬୦ ବର୍ଷୀୟ ମହିଳା ତାଙ୍କ ୩୫ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡ଼ିଗଲେ । ରବିବାର ଅମରପୁର ବସ୍ ଷ୍ଟାଣ୍ଡରେ ଉଭୟଙ୍କୁ ଧରିଲେ ମହିଳାଙ୍କ ସ୍ୱାମୀ ଓ ପୁଅ ।
ବସ୍ ଷ୍ଟାଣ୍ଡରେ ହାଇ-ଭୋଲଟେଜ୍ ଡ୍ରାମା ପରେ ନିର୍ଦ୍ଧୁମ ମାଡ଼:
ଏହି ଘଟଣାଟି ଅମରପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ରିପୋର୍ଟ ଅନୁସାରେ, ଜଣେ ୬୦ ବର୍ଷୀୟ ମହିଳା ଏବଂ ଆରାର ବାସିନ୍ଦା ୩୫ ବର୍ଷୀୟ ଯୁବକ ଓକିଲ ମିଶ୍ରଙ୍କ ପ୍ରେମରେ ପଡ଼ିଥିଲେ । ରବିବାର ଯେତେବେଳେ ଦୁହେଁ ଅମରପୁର ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ, ମହିଳାଙ୍କ ପରିବାର ସେ ବିଷୟରେ ଜାଣିପାରିଥିଲେ । ମହିଳାଙ୍କ ସ୍ୱାମୀ ଏବଂ ପୁଅ ସେଠାରେ ପହଞ୍ଚି ଯୁବକଙ୍କୁ ନିଷ୍ଠୁର ମାଡ଼ ମାରିଲେ । ଯାହା ପରେ ବସ୍ ଷ୍ଟାଣ୍ଡରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା ।
'ରଙ୍ଗ୍ ନମ୍ବର'ରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ:
ପୁଲିସ ଷ୍ଟେସନରେ ପଚରାଉଚରା ଏବଂ ହଙ୍ଗାମା ମଧ୍ୟରେ, ମହିଳା ଜଣକ ତାଙ୍କ ପ୍ରେମ କାହାଣୀ ବିଷୟରେ କହିଥିଲେ । ମହିଳାଙ୍କ କହିବାନୁସାରେ, ସେ ପ୍ରାୟ ୪ ମାସ ପୂର୍ବେ ଆରା ବାସିନ୍ଦା ଓକିଲ ମିଶ୍ରଙ୍କ ସହ ଏକ ଫୋନ୍ କଲ୍ ମାଧ୍ୟମରେ କଥାବାର୍ତ୍ତା ଆରମ୍ଭ କରିଥିଲେ । ଓକିଲ ମିଶ୍ରଙ୍କ ପାଖକୁ ପ୍ରଥମେ ଭୁଲ୍ରେ କଲ୍ ଲାଗିଥିଲା । ଫୋନ୍ରେ କଥାବାର୍ତ୍ତା ପରେ ପ୍ରେମରେ ପରିଣତ ହେଲା ଏବଂ ଦୁହେଁ ଭାଗଲପୁର ରେଳ ଷ୍ଟେସନରେ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଇଥିଲେ । ମହିଳା ଜଣକ ଦାବି କରିଛନ୍ତି ଯେ, ସେଠାରୁ ସେମାନେ ଲୁଧିଆନା ଚାଲିଯାଇଥିଲେ, ଯେଉଁଠାରେ ସେମାନେ ପାରସ୍ପରିକ ସମ୍ମତିରେ ବିବାହ କରିଥିଲେ ଏବଂ ସ୍ୱାମୀ-ସ୍ତ୍ରୀ ଭାବରେ ରହିବାକାୁ ଲାଗିଲେ । ମହିଳା ଜଣକ କହିଛନ୍ତି, "ଆମେ ଦୁହେଁ ପରସ୍ପରକୁ ଭଲ ପାଉଥିଲୁ ଏବଂ ଉଭୟେ ଲୁଧିଆନାରେ ବିବାହ କରିଥିଲୁ ।"
ପୁଲିସ ହେପାଜତରେ ପ୍ରେମୀ ଯୁଗଳ:
ଉଭୟ ପ୍ରେମୀଯୁଗଳଙ୍କୁ ପରିବାରଠୁ ସୁରକ୍ଷା ଦେବା ଲାଗି, ସ୍ଥାନୀୟ ଲୋକେ ହସ୍ତକ୍ଷେପ କରି ସେମାନଙ୍କୁ ଅମରପୁର ପୋଲିସ ଷ୍ଟେସନକୁ ନେଇଯାଇଥିଲେ । ମହିଳାଙ୍କ ସ୍ୱାମୀ ଏବଂ ପିଲାମାନେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରିବାକୁ ରାଜି ନୁହଁନ୍ତି । ଷ୍ଟେସନ ହାଉସ ଅଫିସର ପଙ୍କଜ କୁମାର ଝା କହିଛନ୍ତି, "ପ୍ରେମୀଯୁଗଳଙ୍କୁ ପୁଲିସ ହେପାଜତରେ ରଖାଯାଇଛି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଛି । ଉଭୟ ପକ୍ଷଙ୍କୁ ଶୁଣିବା ସହ ଆଇନଗତ ଯାଞ୍ଚ କରିବା ପରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"