ବାରଙ୍ଗ,୩୦/୦୯: ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗୀବନ୍ତ ଦୁର୍ଗା ପୂଜା କମିଟି ପକ୍ଷରୁ ଚଳିତବର୍ଷ ମା’ଦୁର୍ଗାଙ୍କ ୬୨ ଫୁଟ୍ ଉଚ୍ଚ ମୂର୍ତ୍ତି ହୋଇଛି । ଚଳିତ ବର୍ଷ କମିଟି ଅଷ୍ଟମ ବର୍ଷରେ ମା’ଙ୍କ ପୂଜା କରୁଛି । ଆଜି ମହାଷ୍ଟମୀ ପୂଜାରେ ଚଣ୍ଡିପାଠରେ କମ୍ପୁଛି ମଣ୍ଡପ। ମାଙ୍କୁ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।
ସୋମବାର କଳସ ଯାତ୍ରାରେ କୁଆଖାଇ ନଦୀରୁ ପାଣି ଆଣିବା ପରେ ମଣ୍ଡପରେ ମା’ଙ୍କ ସପ୍ତମୀ ପୂଜା ଆରମ୍ଭ ହୋଇଥିଲା । ପୂଜା କାର୍ଯ୍ୟ ବେଣୁଧର ଆଚାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜାକୁ ଆକର୍ଷଣୀୟ କରିବା ପାଇଁ ମଣ୍ଡପର ତୋରଣକୁ ୭୫ ଫୁଟ ଉଚ୍ଚ କରିବା ସହିତ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ମିନାବଜାର, ଦୋଳି ସହିତ ଚଟପଟି ଖାଦ୍ୟର ପସରା ମେଲିଛି ।
ଚଳିତ ବର୍ଷ ଭସାଣିରେ କମିସନରେଟ ପୁଲିସର ନିୟମ ଅନୁଯାଇ ଡିଜେ, ବାଣ ଓ ପୂଜାକୁ ପଲିଥିନ ମୁକ୍ତ କରାଯିବ ବୋଲି ସଭାପତି କମିଟିର ସଭାପତି ବିରେନ୍ଦ୍ର ଜେନା କରିଛନ୍ତି । ଭଷାଣିରେ ସାମିଲ ହେବା ପାଇଁ କମିଟି ପକ୍ଷରୁ ମା’ଙ୍କ ଛୋଟ ମୂର୍ତ୍ତି ନିର୍ମାଣ କରାଯାଇଛି ।