ନୂଆଦିଲ୍ଲୀ, ୧୮/୦୩ : ଭାରତର ଏକ ପ୍ରମୁଖ ବାଣିଜ୍ୟିକ ସହଯୋଗୀ ହେଉଛି ପଶ୍ଚିମ ଏସିଆ । ଯୁଦ୍ଧ ଯୋଗୁ ସେଠାକୁ ରପ୍ତାନି ବଡ଼ ଆକାରରେ ବ୍ୟାହତ ହୋଇଛି । ଇରାନ ପକ୍ଷରୁ ହୋର୍ମୁଜ ଜଳପଥ ବନ୍ଦ ହେବା ଦ୍ୱାରା ଭାରତରୁ ପଶ୍ଚିମ ଏସିଆକୁ ପ୍ରାୟ ୬୬ ବିଲିୟନ ଡଲାର ମୂଲ୍ୟର ରପ୍ତାନି ବାଧା ପାଇଛି । ଫଳରେ ଚିନ୍ତାଗ୍ରସ୍ତ ରପ୍ତାନିକାରୀ ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଋଣ ପରିଶୋଧ କ୍ଷେତ୍ରରେ ୬ ମାସର ବିରତି ବା ମୋରାଟୋରିୟମ ପ୍ରଦାନ କରିବା ପାଇଁ ଏମାନେ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଦାବି କରିଛନ୍ତି । ଏହାସହିତ ଋଣ ସୀମା ବଢ଼ାଇବା ସହ ଋଣ ଅବଧିକୁ ଲମ୍ବା କରିବାକୁ ଅନୁରୋଧ କରିଛନ୍ତି ।
ସୂତ୍ରରୁ ଜଣାପଡ଼ିଛି ଯେ, ବର୍ତ୍ତମାନର ଆହ୍ୱାନ ସ୍ଥିତିରେ ବ୍ୟବସାୟଗୁଡ଼ିକୁ ଏକ ସହାୟତା ପ୍ୟାକେଜ୍ ପ୍ରଦାନ କରିବାକୁ ବିଚାର କରୁଛନ୍ତି ନୀତି ନିର୍ଦ୍ଧାରଣକାରୀ । ଖୁବ୍ଶୀଘ୍ର ବାଣିଜ୍ୟ ସଚିବ ସହାୟତା ପ୍ୟାକେଜ୍ ଘୋଷଣା କରିପାରନ୍ତି । ଆର୍ବିଆଇ ସହିତ ରପ୍ତାନିକାରୀଙ୍କ ଏକ ବୈଠକ ହୋଇଯାଇଛି । ଗତବର୍ଷ ଆମେରିକାର ୫୦% ଟାରିଫ୍ ଲାଗୁ ହେବା ପରେ ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଥିଲା । ବର୍ତ୍ତମାନ ମଧ୍ୟ ସମାନ ଧରଣ ପଦକ୍ଷେପ ନେବା ପାଇଁ ରପ୍ତାନିକାରୀମାନେ ଅନୁରୋଧ କରିଛନ୍ତି । ସାମ୍ପ୍ରତିକ ସ୍ଥିତିରେ ଅନେକ ରପ୍ତାନିଭିତ୍ତିକ କ୍ଷେତ୍ର ଲଜିଷ୍ଟିକ୍ସ ସମସ୍ୟାର ସାମ୍ନା କରୁଛନ୍ତି । ୨୦୨୬ର ପ୍ରଥମ ଏବଂ ଦ୍ୱିତୀୟ ତ୍ରୟମାସ ପାଇଁ ଋଣ ବିରତି ପ୍ରଦାନ କରାଗଲେ, ଏସବୁ କ୍ଷେତ୍ର ଉପକୃତ ହେବେ ବୋଲି ରପ୍ତାନିକାରୀମାନେ ପ୍ରକାଶ କରିଛନ୍ତି । ଅସ୍ଥାୟୀ ନଗଦ ଚାପକୁ ଏଡ଼ାଇବା ପାଇଁ ସ୍ୱଳ୍ପମିଆଦୀ ରପ୍ତାନି ଋଣ ପାଇଁ ଏକ ଅଧିକ ସହଜ ଢାଞ୍ଚା ଆଣିବା ପାଇଁ ଏମାନେ ଅନୁରୋଧ କରିଛନ୍ତି । ରପ୍ତାନିକାରୀଙ୍କୁ ସହାୟତା ପାଇଁ ବାଣିଜ୍ୟ ବିଭାଗ ବୀମାସମ୍ବନ୍ଧୀୟ ପଦକ୍ଷେପ ନେଇ ବିଚାର କରୁଛି ।
ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି ଯେ, ବର୍ତ୍ତମାନର ଆହ୍ୱାନମୂଳକ ସମୟରେ ଏଇ ସପ୍ତାହରେ ସହାୟତା ପଦକ୍ଷେପ ଘୋଷଣା କରାଯାଇପାରେ । ପ୍ରକାଶଯୋଗ୍ୟ, ୟୁରୋପୀୟ ସଂଘ ପରେ ଭାରତର ଦ୍ୱିତୀୟ ବୃହତ୍ ରପ୍ତାନି ସ୍ଥଳ ହେଉଛି ପଶ୍ଚିମ ଏସିଆ । ଦେଶର ମୋଟ ରପ୍ତାନିରେ ଏହାର ଅଂଶ ୧୫%ରୁ ଅଧିକ ରହିଛି । ୨୦୨୫ରେ ଏହି ପ୍ରାନ୍ତକୁ ପାଖାପାଖି ୬୬ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି ହୋଇଥିଲା ।
ଏହି ଖବରଟିକୁ ପଢନ୍ତୁ- ଯୁଦ୍ଧର ଘନଘଟା ଭିତରେ ୟୁଏଇ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପିଏମ ମୋଦୀ, ହରମୁଜ୍ ପ୍ରଣାଳୀକୁ ନେଇ ହେଲା ଆଲୋଚନା…