ଭୁବନେଶ୍ୱର,୦୪/୧୦: ଓଡ଼ିଶାରେ ମୋଟ ୬୯୬ କଲରାପତରିଆ ବାଘ ଅଛନ୍ତି । ସେଥିରୁ ମାତ୍ର ୪ଟି କଲରାପତରିଆ କଳାବାଘ (ମେଲାନିଷ୍ଟିକ୍) ପ୍ରଜାତିର । ଏମାନେ ୩ଟି ବନଖଣ୍ଡରେ ବୁଲୁଛନ୍ତି । ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଏହି ସୂଚନା ମିଳିଛି ।
ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ (ଡବ୍ଲୁଆଇଆଇ) ଓ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ଦ୍ୱାରା ୨୦୧୮ରେ ଗଣନା ଅନୁସାରେ ରାଜ୍ୟରେ ୭୬୦ଟି କଲରାପତରିଆ ଥିଲେ । ଅର୍ଥାତ ୬ ବର୍ଷରେ ରାଜ୍ୟରେ ୬୪ଟି କଲରାପତରିଆ କମିଛି ।
ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନ ବିଭାଗ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶାନ୍ତ ନନ୍ଦ କହିଛନ୍ତି, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ହେଉଛି କଲରାପତରିଆଙ୍କ ପାଇଁ ଭୂସ୍ୱର୍ଗ । ମୟୂରଭଞ୍ଜ-କେନ୍ଦୁଝର ଲ୍ୟାଣ୍ଡସ୍କେପ୍ରେ ସର୍ବାଧିକ ୨୦୦ କଲରାପତରିଆ ଅଛନ୍ତି । ଏମାନେ ଶିମିଳିପାଳରୁ ହଦଗଡ଼ ଓ କୁଳଡିହ ଅଭୟାରଣ୍ୟ ଭିତରେ ବିଚରଣ କରୁଛନ୍ତି । ତା’ତଳକୁ ଅଛି ସାତକୋଶିଆ- ଆଠମଲ୍ଲିକ-ବୌଦ୍ଧ ଲ୍ୟାଣ୍ଡସ୍କେପ୍ । ଏହି କରିଡରରେ ପ୍ରାୟ ୧୫୦/୧୬୦ଟି ବାଘ ଅଛନ୍ତି ।
ଶ୍ରୀ ନନ୍ଦ କହିଛନ୍ତି, ନୂଆପଡ଼ା, ଖରିଆର, ଢ଼େଙ୍କାନାଳ, ବଲାଙ୍ଗୀର, ସମ୍ବଲପୁର ଭଳି ଅଭୟାରଣ୍ୟ ବାହାର ଅଞ୍ଚଳରେ ପାଖାପାଖି ୪୫% କଲରାପତରିଆ ବିଚରଣ କରୁଥିବା କ୍ୟାମେରା ଟ୍ରାପ୍ରୁ ଜଣାପଡି଼ଛି । ହୀରାକୁଦ- ରେଢ଼ାଖୋଲ-ସମ୍ବଲପୁର ଲ୍ୟାଣ୍ଡସ୍କେପ୍ରେ ୭୦/୮୦ଟି ଏବଂ ଖରିଆର-ସୁନାବେଡ଼ା ଅଞ୍ଚଳରେ ୪୦/୫୦ଟି ବାଘ ବୁଲୁଛନ୍ତି । ଢେଙ୍କାନାଳ ଅଞ୍ଚଳରେ ପ୍ରାୟ ୨୦ଟି ଓ ବଲାଙ୍ଗିରରେ ୧୦ଟି କଲରାପତରିଆ ରହିଛନ୍ତି ।
ଏଥର ରାଜ୍ୟ ସରକାରଙ୍କ ନିଜସ୍ୱ ଗଣନା ବେଳେ ୪୭ଟି ଡିଭିଜନରେ ପାଖାପାଖି ୫୦୦୦ଟି କ୍ୟାମେରା ଲଗାଯାଇଥିଲା ।ଏସବୁ କ୍ୟାମେରା ଟ୍ରାପ୍ରେ ୨୮୪ଟି ବିରଳ (ୟୁନିଟ୍) କଲରାପତରିଆ ଚିହ୍ନଟ ହୋଇଛନ୍ତି । ୨୦୧୮ ଗଣନା ବେଳେ ଏଭଳି ବାଘ ସଂଖ୍ୟା ୧୦୦ରୁ ବି କମ୍ ଥିଲା । ଓଡି଼ଶାରେ ଘଞ୍ଚ ଜଙ୍ଗଲ ଥିବାରୁ କଲରାପତରିଆ ସଂଖ୍ୟା ୭୦୦ରୁ ୮୦୦ରେ ସୀମିତ ରହିବ ବୋଲି ପିସିସିଏଫ୍ ଆକଳନ କରିଛନ୍ତି । ଆଗାମୀ ବର୍ଷଠାରୁ ପ୍ରତିବର୍ଷ କ୍ୟାମେରା ଟ୍ରାପ୍ ଯୋଗେ ବାଘ ଗଣନା ଚାଲିବ ବୋଲି ସେ ସୂଚାଇଛନ୍ତି ।
ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ (ଡବ୍ଲୁଆଇଆଇ) ଓ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ଦ୍ୱାରା ୨୦୧୮ ମସିହାରେ ହୋଇଥିବା ଗଣନା ଅନୁସାରେ ରାଜ୍ୟରେ ୭୬୦ଟି କଲରାପତରିଆ ଥିଲେ । ୨୦୨୨ରେ ଏହି ସଂଖ୍ୟା ୫୬୮କୁ କମିଥିଲା । ୨୦୧୮ ଓ ୨୦୨୨ରେ ଡବ୍ଲୁଆଇଆଇ ଓ ଏନ୍ଟିସିଏର ଗଣନା ଷ୍ଟାଟିଷ୍ଟିକାଲ ମଡେଲ ଥିଲା । ସେତେବେଳେ କେବଳ ଶିମିଳିପାଳ ଓ ସାତକୋଶିଆ ଭଳି ସୀମିତ ଜଙ୍ଗଲରେ କ୍ୟାମେରା ଲଗାଯାଉଥିଲା । ୨୦୧୮ ଗଣନାରେ ୩୫% ଓ ୨୦୧୬ରେ ୩୩% ପରିସଂଖ୍ୟାନ ଭୁଲ୍ ବାହାରିଥିଲା । ଚଳିତ ଗଣନାରେ ଅଧିକ କ୍ୟାମେରା ଖଞ୍ଜାଯାଇଥିବାରୁ ଆନୁମାନିକ ପରିସଂଖ୍ୟାନ ଭୁଲ ୧୦% ରୁ କମ୍ ରହିବ ।