ଭୁବନେଶ୍ୱର,୦୫/୦୭: ଖୋର୍ଦ୍ଧା ଜିଲ୍ଲା  ବାଣପୁର ବ୍ଲକ୍‌ର ନୀଳାଦ୍ରିପ୍ରସାଦ ପଞ୍ଚାୟତର  ପୁଞ୍ଜିଆମା ଗାଁରେ ଥିବା ଷଷ୍ଠ ଶତାବ୍ଦୀର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ  ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସଂରକ୍ଷିତ  ସ୍ମାରକୀ ଭାବେ ଘୋଷଣା କରାଯାଇଛି । ଓଡ଼ିଶାର  ଐତିହ୍ୟକୁ ଏହି ବିଶେଷ ଅବଦାନ ପାଇଁ ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର  ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌, ପୂର୍ବତନ  କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡୀ ଓ ବରିଷ୍ଠ  ରାଜନେତା ସମୀର ମହାନ୍ତିଙ୍କୁ ଅଶେଷ ଧନ୍ୟବାଦ  ଜଣାଇଛନ୍ତି ।   

ସୂଚନାଯୋଗ୍ୟ, ଶୈଳୋଦ୍ଭବଙ୍କ ସାମ୍ରାଜ୍ୟ  ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର  ବାଣପୁର ବ୍ଲକ୍‌ର ନୀଳାଦ୍ରିପ୍ରସାଦ ପଞ୍ଚାୟତର  ପୁଞ୍ଜିଆମାରେ ସ୍ୱପ୍ନେଶ୍ୱର ମହାଦେବ ପ୍ରତିଷ୍ଠା  ହୋଇଥିଲେ । ପୁରାତନ କୀର୍ତ୍ତିରାଜିରେ ଭରପୂର  ତଥା ଐତିହ୍ୟ ସମ୍ପନ୍ନ ଏହି ମନ୍ଦିରର ସୁରକ୍ଷା ପାଇଁ  ୧୯୭୭-୭୮ ମସିହାରେ ସେତେବେଳର ସଂସ୍କୃତି  ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଗେଇ ଆସିବା ସହ  ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଦାୟିତ୍ୱ ଦେଇଥିଲେ ।  ପରବର୍ତ୍ତୀ ସମୟରେ ଏହା ଅବହେଳିତ ଅବସ୍ଥାକୁ  ଆସିଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଆସିବା ପରେ ଏହାର ଗୁରୁତ୍ୱ ଉପଲବ୍ଧି  କରି ଏଏସ୍‌ଆଇକୁ ଏହାର ଦାୟିତ୍ୱ ବହନ  କରିବାର ପ୍ରକ୍ରିୟା ଆରମ୍ଭ କରାଇଥିଲେ । 

୨୦୨୪ରେ  ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ହେବା  ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏହି କାର୍ଯ୍ୟ  ଆହୁରି ତ୍ୱରାନ୍ୱିତ ହୋଇଥିଲା । ଫଳରେ ଏଏସ୍‌ଆଇ  ଏହି ଐତିହ୍ୟସ୍ଥଳୀକୁ ନିକଟରେ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରିଛି । ‘ଓଡ଼ିଆ ଅସ୍ମିତା’ର  ପରିଚୟ ସ୍ୱରୂପ ଏହି କୀର୍ତ୍ତିରାଜିର ସୁରକ୍ଷା ଲାଗି  ଏଏସ୍‌ଆଇର ଘୋଷଣା ରାଜ୍ୟ ଲାଗି ଖୁସିର ବିଷୟ  ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।