ବ୍ରହ୍ମପୁର,୨୬ା୩(ବ୍ୟୁରୋ): ଓଡ଼ିଶାରେ ୩ଟି ସୁନା ଲୁଟେରା ମହିଳା ଗ୍ୟାଙ୍ଗ୍‌ ସକ୍ରିୟ । ପର୍ବପର୍ବାଣୀ ହେଲେ ଆସୁଥିଲେ । ମନ୍ଦିର ଓ ଗହଳି ଜାଗାରେ ସୁନା ଚେନ୍‌ କାଟି ନେଇଯାଉଥିଲେ । ବ୍ରହ୍ମପୁର ପୁଲିସ ଗୋଟିଏ ଗ୍ୟାଙ୍ଗ୍‌ର ୭ଜଣଙ୍କୁ ଗିରଫ କରିଛି । ଆହୁରି ୨ଟି ଗ୍ୟାଙ୍ଗ ଓଡ଼ିଶାରେ ଅଛନ୍ତି ବୋଲି ବ୍ରହ୍ମପୁର ଏସ୍‌ପି ଡା.ସର୍‌ବଣା ବିବେକ ଏମ୍‌ ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

ରାଜ୍ୟର ବିଭିନ୍ନ ସହରରେ ଏହି ଗ୍ୟାଙ୍ଗ୍‌ ସୁନା ଚେନ୍‌ ଲୁଟ୍‌ କରୁଥିଲା । ମୁଖ୍ୟ ଅଭିଯୁକ୍ତ କଟକର ରାଜା ଫେରାର ଥିବା ବେଳେ ଗ୍ୟାଙ୍ଗର ସମସ୍ତେ ଗିରଫ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି । କାର୍‌ ଡ୍ରାଇଭର କଟକର ବିଜୟ ଜେନା(୨୮), ନାଗୁ ବେହେରା(୪୬), ଏସ୍‌.ପୁଷ୍ପା(୫୦), ଭଦ୍ରକର ବାସନ୍ତୀ ରାଓ(୬୨), ସବିତା ସାହୁ(୩୨), ବାଲେଶ୍ୱରର ମୀନା ରାଓ(୪୩) ଓ ତାମିଲନାଡ଼ ୁର ଏଚ୍‌. ପୁଷ୍ପା(୫୦)ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ଲୁଟ୍‌ରେ ବ୍ୟବହୃତ କାର୍‌, ଗୋଟିଏ ସୁନା ଚେନ୍‌, ୪ଟି ଇମିଟେସନ୍‌ ଚେନ୍‌ ଓ ୨୫ ହଜାର ଟଙ୍କା ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ କଟକରେ ଘର ଭଡ଼ାରେ ରଖିଛନ୍ତି । ସେହି ଘରେ ସମସ୍ତେ ଏକାଠି ହୋଇ ଲୁଟ୍‌ ଯୋଜନା କରୁଥିଲେ । ଲୁଟ୍‌ରେ ବିଜୟଙ୍କ କାର୍‌ ବ୍ୟବହାର କରୁଥିଲେ । ବିଜୟ ମହିଳା ଲୁଟେରାଙ୍କୁ କାର୍‌ରେ ନେଇ ସହର ବାହାରେ ରହୁଥିଲେ । ମହିଳାମାନେ ସେଠାରୁ ଭଡ଼ା ଅଟୋରେ ତାଙ୍କ ଟାର୍ଗେଟ୍‌ ଜାଗାକୁ ଯାଉଥିଲେ । ବରିଷ୍ଠ ମହିଳାଙ୍କୁ ଟାର୍ଗେଟ୍‌ କରୁଥିଲେ । ସୁନା ଚେନ୍‌ କାଟିବା ପାଇଁ ଛୋଟ କଟୁରି ରଖିଥିଲେ । ସୁନା ଚେନ୍‌ କାଟିବା ପରେ ଆଉ ଜଣେ ତାହା କୌଶଳ କ୍ରମେ ନେଇଯାଉଥିଲେ । ଜଣକ ପରେ ଜଣକ ହାତକୁ ହୋଇ କିଛି ସମୟ ଭିତରେ ସୁନା ଲୁଟ୍‌ ହୋଇଥିବା ସ୍ଥାନରୁ ଗାଏବ୍‌ କରିଦେଉଥିଲେ । ପୁଣି ସେମାନେ ଅଟୋ ଭଡ଼ା କରି କାର୍‌ ପାଖକୁ ଆସୁଥିଲେ । 

ସେଠାରୁ କଟକ ଯିବା ପରେ ମୁଖ୍ୟ ଅଭିଯୁକ୍ତ ଲୁଟ୍‌ ହୋଇଥିବା ସୁନା ବିକ୍ରି କରି ସମସ୍ତଙ୍କ ଭିତରେ ଭାଗ କରୁଥିଲେ । କେବଳ ଏହି ଗ୍ୟାଙ୍ଗ୍‌ ନୁହେଁ, ଆଉ ଦୁଇଟି ଗ୍ୟାଙ୍ଗ୍‌ ରାଜ୍ୟରେ କାମ କରୁଛନ୍ତି । ସେମାନେ ବିଭିନ୍ନ ଜିଲ୍ଲା ବୁଲି ଲୁଟ୍‌ କରୁଛନ୍ତି ସେ କହିଛନ୍ତି । ଏସ୍‌ପିଙ୍କ ସୂଚନା ପ୍ରକାରେ ଫେବ୍ରୁଆରୀ ୮ ତାରିଖ ସକାଳେ ବଡ଼ ଏକାଦଶୀ କାରଣରୁ କୋର୍ଟପେଟା ଜଗନ୍ନାଥ ମନ୍ଦିରରେ ଭିଡ଼ ହୋଇଥିଲା । ଏହି ସମୟରେ ଜଣେ ମହିଳାଙ୍କ ବେକରୁ ଲୁଟେରା ଗ୍ୟାଙ୍ଗ୍‌ର ଜଣେ ସଦସ୍ୟ ସୁନା ଚେନ୍‌ ଝାମ୍ପିଥିଲା । ବୈଦ୍ୟନାଥପୁର ଥାନାରେ ଅଭିଯୋଗ ପରେ ପୁଲିସ ୯ ତାରିଖରେ ପାର୍ବତୀ ନାୟକକୁ ଗିରଫ କରି ସୁନା ଚେନ୍‌ ଜବତ କରିଥିଲା ପୁଲିସ । ପାର୍ବତୀକୁ ପଚରା ଉଚରା ସମୟରେ ପୁଲିସ ରାଜ୍ୟରେ ଏକ ବଡ଼ ଗ୍ୟାଙ୍ଗ୍‌ ଲୁଟରେ ସାମିଲ ରହିଥିବା ଜାଣିବାକୁ ପାଇଥିଲା । ପାର୍ବତୀ ଦେଇଥିବା ତଥ୍ୟ ଓ ମୋବାଇଲ ସିଡିଆର ବାହାର କରି କଟକର ଏକ ସ୍ଥାନରେ ଏହି ଲୁଟେରା ଗ୍ୟାଙ୍ଗ୍‌ ରହୁଥିବା ଜାଣିବାକୁ ପାଇଥିଲା । ସୋମବାର ବିଳମ୍ବିତ ରାତିରେ ବୈଦ୍ୟନାଥପୁର ଥାନା ଆଇଆଇସି ସୁଚିତ୍ରା ପରିଡ଼ା, ଏଏସ୍‌ଆଇ ଗିରିଗୋବର୍ଦ୍ଧନ ଜେନା ଓ ଏଏସ୍‌ଆଇ ବିଜୟ କୁମାର ସୁନାସଗଡ଼ ସ୍ୱତନ୍ତ୍ର ଟିମ୍‌ ଗଠନ କରି କଟକରେ ଚଢ଼ଉ କରି ପ୍ରଥମେ କାର୍‌ ଡ୍ରାଇଭରକୁ ଗିରଫ କରିଥିଲେ । ସେତେବେଳେ ଗ୍ୟାଙ୍ଗର ମୁଖ୍ୟ ରାଜା ବୋଲି ଜଣାପଡିଥିଲା । ରାଜାଙ୍କ ମାଆକୁ ପୂର୍ବରୁ ଗିରଫ କରିଥିବା ବେଳେ ତାଙ୍କ ବଡ଼ମା ନାଗୁଙ୍କୁ ଗିରଫ କରିଥିଲା । ଏହାପରେ ଅନ୍ୟଅଭିଯୁକ୍ତଙ୍କୁ ପୁଲିସ କାବୁ କରି ବ୍ରହ୍ମପୁର ଆଣିଥିଲା ।