ଫିରିଙ୍ଗିଆ,୩୦/୫: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତର ବିଶି ପଦର ଗାଁ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ମହିଳାଙ୍କ ସହ ତାଙ୍କର ଦୁଇବର୍ଷର ଶିଶୁ ପୁତ୍ର ଗୁରୁତର ଆହତ ହେବା ସହ ଅନ୍ୟ ଦୁଇଜଣ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି।

ଗୋଛାପଡା ଥାନା କଟରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା କାଣାପାଟି ଗାଁର ମେନକା ବେହେରା ତାଙ୍କ ଭାଇ ଦୁଃଶାସନ ଦିଗାଲ ଓ ତାଙ୍କର ଏକ ଦୁଇ ବର୍ଷର ଶିଶୁ ପୁତ୍ର ଏକ ବାଇକରେ କୌଣସି କାମରେ ସଲାଗୁଡାରୁ ନିଜ ଗାଁକୁ ଫେରୁଥିବା ସମୟରେ ପିସୁ ପଦର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା I ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ ଆହତ ଲୋକମାନଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲେନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବାରୁ ସେହି ରାସ୍ତାରେ ଅସୁଥୁବା ବିଦ୍ୟୁତ ବିଭାଗର ଏକ ବୋଲେରୋରେ ପ୍ରଥମେ ଗୋଛାପଡା ମେଡିକାଲକୁ ଆଣିଥିଲେ I ପରେ ମା ଓ ଶିଶୁର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା I 

ସେହିପରି ଆଜି ସକାଳ ପ୍ରାୟ ଏଗାରଟା ସମୟରେ ଫୁଲବାଣୀ ବାଲିଗୁଡା ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏକ ବାଇକ ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ଅପରାହ୍ନ ପାଞ୍ଚଟା ସମୟରେ ଏହି ରାସ୍ତାର ମାସରୀପଡା ଛକ ନିକଟରେ ଏଆରଏସଏସ ନାମକ ଏକ ଠିକା ସଂସ୍ଥାର ମିକ୍ସଚର ଡମ୍ଫର ଏକବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି I ତେବେ ବାଇକ ଆରୋହୀ ଜଣକ ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତ ଅଧୀନରେ ଥିବା ଡାଙ୍ଗଡ଼ିକିଆ ଗାଁର ଶ୍ରାବଣ କହଁର ବୋଲି ଜଣାପଡ଼ିଛି। 

ଶ୍ରାବଣ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡ୍ରାଇଭର ଭାବରେ କାର୍ଯ୍ୟରତ ଥିଲେ I ଦୁର୍ଘଟଣା ପରେ ତାଙ୍କୁ ସ୍ଥାନୀୟ ଲୋକେ ଏକ ଅଟୋରେ ପ୍ରଥମେ ଫିରିଙ୍ଗିଆ ମେଡିକାଲକୁ ଆଣିଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି I