ଚଣ୍ଡିଗଡ, ୧୮/୧୨ : ବିବାହର ୧୫-୨୦ ବର୍ଷ ପରେ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ଛାଡପତ୍ର ଦେବା ଘଟଣା ସମାଜରେ କାଁଭାଁ ଦେଖିବାକୁ ମିଳିଥାଏ । କିନ୍ତୁ ବିବାହର ୪୪ ବର୍ଷ ପରେ ନିଜର ୭୩ ବର୍ଷୀୟା ପତ୍ନୀଙ୍କୁ ୭୦ ବର୍ଷ ବୟସ୍କ ସ୍ୱାମୀ ଛାଡପତ୍ର ଦେବା ଏକ ବିରଳ ଘଟଣା । କେବଳ ଏତିକି ନୁହେଁ ପତ୍ନୀଙ୍କୁ ଭରଣପୋଷଣ ଦେବା ଲାଗି ସ୍ୱାମୀ ଘର, ଜମି ଓ ସୁନାଗହଣା ବିକ୍ରି କରି ୩ କୋଟି ଟଙ୍କା ପ୍ରଦାନ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଛାଡପତ୍ର ଦେଖିବାକୁ ମିଳିଛି ହରିଆଣାରେ । 

ସୂଚନା ଅନୁସାରେ ସୁଭାଷ ଚାନ୍ଦ ଓ ସନ୍ତୋଷ କୁମାରୀଙ୍କ ବିବାହ ୧୯୮୦ ମସିହା ଅଗଷ୍ଟ ୨୭ ତାରିଖରେ ହୋଇଥିଲା। ସେମାନଙ୍କର ୨ ଝିଅ ଓ ଜଣେ ପୁଅ ବି ଅଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ଖରାପ ହୋଇଥିଲା । ଶେଷରେ ୨୦୦୬ ମସିହାରୁ ସ୍ୱାମୀ ଓ ସ୍ତ୍ରୀ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ଏଥିସହ ସେମାନେ ଛାଡପତ୍ର ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ସେଥିପାଇଁ ସୁଭାଷ କର୍‌ନାଲ ପରିବାର ଅଦାଲତରେ ଛାଡପତ୍ର ଆବେଦନ କରିଥିଲେ । କିନ୍ତୁ ୨୦୧୩ରେ ପରିବାର ଅଦାଲତ ତାଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ । କିନ୍ତୁ ଏଥିରେ ସୁଭାଷଙ୍କ ମନ ମାନିନଥିଲା । ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଛାଡପତ୍ର ପିଟିସନ ଫାଇଲ କରିଥିଲେ । ହାଇକୋର୍ଟରେ ଦୀର୍ଘ ୧୧ ବର୍ଷ ଧରି ମାମଲା ବିଚାରାଧୀନ ଭାବେ ପଡିରହିଥିଲା । ଶେଷରେ ହାଇକୋର୍ଟ ଉକ୍ତ ପିଟିସନକୁ ଗତ ନଭେମ୍ବର ୪ ତାରିଖରେ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇ ଦେଇଥିଲେ । ସେଠାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା । ସ୍ୱାମୀ ଭରଣପୋଷଣ ବାବଦକୁ ୩ କୋଟି ୧୦ ଲକ୍ଷ ଟଙ୍କା ଦେଇ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ରାଜି ହୋଇଥିଲେ । 

ସୁଭାଷଙ୍କ ଓକିଲ ରାଜିନ୍ଦର ଗୋୟଲ କହିଥିଲେ କି ଜମି ବିକ୍ରି କରି ୨.୧୬ କୋଟି ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ, ଫସଲ ବିକ୍ରି କରି ନଗଦ ୫୦ ଲକ୍ଷ ଟଙ୍କା ଏବଂ ୪୦ ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା ଦିଆଯିବ । ଶେଷରେ ସୁଭାଷ ଜମି ଓ ଫସଲ ବିକ୍ରି କରିବା ସହ ସମସ୍ତ ସୁନା ଓ ରୁପା ଗହଣା ପତ୍ନୀଙ୍କୁ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଥିଲେ କି ଭରଣପୋଷଣ ମିଳିବା ପରେ ସ୍ୱାମୀ କିମ୍ବା ତାଙ୍କର କୌଣସି ଉତ୍ତରାଧିକାରୀଙ୍କ ସମ୍ପତ୍ତି ଉପରେ ପତ୍ନୀ କିମ୍ବା ପିଲାମାନଙ୍କର ଅଧିକାର ରହିବ ନାହିଁ । ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ପତ୍ନୀ କିମ୍ବା ପିଲାମାନେ ତାଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେ ନାହିଁ । ଉତ୍ତରାଧିକାର ଆଇନ ଅନୁସାରେ ସ୍ୱାମୀଙ୍କ ସମ୍ପତ୍ତିର ଆବଣ୍ଟନ କରାଯିବ । କିନ୍ତୁ ଏଥିରେ ପତ୍ନୀ କିମ୍ବା ପିଲାଙ୍କୁ ସାମିଲ କରାଯିବ ନାହିଁ । ମଧ୍ୟସ୍ଥତା କେନ୍ଦ୍ରରେ ହୋଇଥିବା ଏହି ବୁଝାମଣାକୁ ହାଇକୋର୍ଟ ଗ୍ରହଣ କରିବା ସହ ସୁଭାଷଙ୍କ ଛାଡପତ୍ର ଆବେଦନର ଅନ୍ତ ଘଟାଇଥିଲେ ।