କଟକ, ୧୩/୦୨: ନେଲ୍କା ନିଭାଡା ହେଉଛି ଟାଟା ନେଲକୋର ଏକ ପୁରୁଣା ଓ ବିରଳ ଟେବୁଲ୍ ମଡେଲ୍ ରେଡିଓ । ଏହା ଭାରତରେ ୧୯୭୦ ଦଶକର ଶେଷ ଭାଗରୁ ୧୯୮୦ ଦଶକ ମଧ୍ୟରେ ପ୍ରଚଳିତ ହୋଇଥିଲା । ଆରମ୍ଭ ଭାଗରେ ବହୁତ ଜନପ୍ରିୟ ଥିଲା । ଯଦିଓ ଏହାର ଉତ୍ପାଦନ ସଂଖ୍ୟା ବେଶ୍ କମ୍ ଥିଲା ତେଣୁ ଆଜିର ସମୟରେ ଏହା ଭିଣ୍ଟେଜ୍ ତଥା ଆଣ୍ଟିକ୍ ରେଡିଓ ଭାବେ ବହୁତ ମୂଲ୍ୟବାନ । ବିଶେଷକରି ସଂଗ୍ରାହକ ମାନଙ୍କ ପାଇଁ ଏହାର ଗୁରୁତ୍ୱ ରହିଆସିଛି । ନିର୍ଦ୍ଦିଷ୍ଟ ଭାବେ ନେଲକା ନିଭାଡାର ଏକ ରେଡିଓ ରେଭେନ୍ସା ବାଳିକ ବିଦ୍ୟାଳୟର ଷ୍ଟୋର୍ରୁମ୍ ରହିଛି । ଏବେ ରେଭେନ୍ସାର ଐତିହ୍ୟ କୋଠା ନିର୍ମାଣ କରାଯାଉଥିବା ବେଳେ ଏହି ରେଡିଓକୁ ଏଠାରେ ସଂରକ୍ଷଣ କରି ରଖାଯିବାକୁ ଦାବି ହୋଇଛି ।
ଆଜି ବିଶ୍ୱ ରେଡିଓ ଦିବସରେ ଏହି ବିରଳ ଟେବୁଲ୍ ମଡେଲ୍ ରେଡିଓ ଅନେକଙ୍କୁ ମିଠା ଅନୁଭବ ଦେବ । ରେଭେନ୍ସା ବାଳିକା ବିଦ୍ୟାଳୟ ଓଡ଼ିଶାର ଏକ ଐତିହ୍ୟ ସମ୍ପନ୍ନ ସ୍କୁଲ୍ । ୧୯୧୮ ମସିହାରେ ମଧୁସୂଦନ ଦାସଙ୍କ ଚେଷ୍ଟାରେ ବିଦ୍ୟାଳୟ ପୂର୍ଣ୍ଣ ସରକାରୀ ବିଦ୍ୟାଳୟରେ ପରିଣତ ହୋଇଥିଲା । ପରବର୍ତ୍ତୀ ସମୟରେ ରେଡିଓ ପ୍ରସାରଣକୁ ନେଇ ସାରା ଓଡ଼ିଶାରେ ଉତ୍ସାହ ବୃଦ୍ଧି ପାଇଥିଲା । କାରଣ ୧୯୪୮ ମସିହାରେ କଟକରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହୋଇସାରିଥିଲା । ଯେହେତୁ ବାଳିକା ବିଦ୍ୟାଳୟ ଭାବେ ଏହି ସ୍କୁଲ୍ର ଖ୍ୟାତି ରହିଥିଲା ତେଣୁ ରେଡିଓ ପ୍ରସାରଣ ବାର୍ତ୍ତା ଜଣାଇବାକୁ ସେ ସମୟରେ ଛାତ୍ରୀ ମାନଙ୍କୁ ସ୍କୁଲ୍ କର୍ତ୍ତୃପକ୍ଷ ଉତ୍ସାହିତ କରୁଥିବା ଜଣାଯାଏ । ଯେହେତୁ ଜ୍ଞାନକୌଶଳର ବିକାଶ ହୋଇ ନଥିଲା, ତେଣୁ ରେଡିଓ ଏକମାତ୍ରା ବାର୍ତ୍ତା ବାହକ ଭାବେ ସେ ସମୟରେ ଛାତ୍ରୀଙ୍କ ବୌଦ୍ଧିକ ବିକାଶର ମାଧ୍ୟମ ସାଜିଯାଇଥାଇପାରେ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି । ଏହାର ପ୍ରମାଣ ରେଭେନ୍ସା ଷ୍ଟୋର୍ ରୁମ୍ରେ ଦେଖିବାକୁ ମିଳିଛି । ନେଲ୍କା ନିଭାଡା ହେଉଛି ଟ୍ରାନ୍ସିଷ୍ଟର୍ ଟେବୁଲ୍ ମଡେଲ୍ ରେଡିଓ । ଏହାର ୩ଟି ବ୍ୟାଣ୍ଡ୍ ରହିଥିଲା । ଯାହାଫଳରେ ଏହା ଦେଶୀ ଓ ବିଦେଶୀ ଷ୍ଟେସନ୍ ଧରିବାରେ ଭଲ ଥିଲା । ଟୋନ୍ କଣ୍ଟ୍ରୋଲ୍, ଫାଇନ୍ ଟ୍ୟୁନିଂରେ ଏହା ଅନ୍ୟ ରେଡିଓ ତୁଳନାରେ ବେଶ୍ ପାରଙ୍ଗମ ଥିଲା । ସାଧାରଣତଃ ପ୍ଲାଷ୍ଟିକ୍ କ୍ୟାବିନେଟ୍ ବା ଖୋଳ ସହିତ ଏହା କ୍ଲାସିକ୍ ଲୁକ୍ ଦିଏ । କିଛି ନିର୍ଦ୍ଦିଷ୍ଟ ମଡେଲ୍ କାଠ ଫିନିସ୍ କରାଯାଇଥିଲା । ତେବେ ରେଭେନ୍ସାରେ ଯେଉଁ ଭିଣ୍ଟେଜ୍ ରେଡିଓଟି ରହିଛି ତାର କ୍ୟାବିନେଟ୍ କାଠର ରହିଥିବାର ଦେଖିବାକୁ ମିଳିଛି । ଏହି ରେଡିଓର ଇତିହାସ ଦୃଷ୍ଟିରୁ ଏହାର ସଂରକ୍ଷଣ କରାଯାଇପାରିଲେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି କୁହାଯାଉଛି ।
ଆହୁରି ପଢ଼ନ୍ତୁ :- ବିଶ୍ୱ ରେଡିଓ ଦିବସ: ଆଜି ରେଡିଓ ଆମ ପାଇଁ ଇତିହାସ, ହେଲେ ମନରୁ ଲିଭିନି ପ୍ରେମ