ନୂଆଦିଲ୍ଲୀ, ୨୪/୯ : ଶାହରୁଖ୍ ଖାନ୍ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା, ରାନୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ। ସେହିପରି ସିନେମା ଜଗତରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସବୁଠୁ ସମ୍ମାନାସ୍ପଦ ପୁରସ୍କାର ଦାଦା ସାହେବ ଫାଲ୍କେ ସମ୍ମାନ ପାଇଛନ୍ତି ମାଲାୟାଲମ୍ ଅଭିନେତା ମୋହନଲାଲ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ୭୧ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଉପଢୌକନ ସହିତ ଗୋଲ୍ଡେନ୍ ଲୋଟସ୍ ସମ୍ମାନ ପ୍ରଦାନ କରିଛନ୍ତି। ସମାରୋହରେ ଉପସ୍ଥିତ ସମସ୍ତେ ଷ୍ଟାଣ୍ଡିଂ ଓଭେସନ୍ ଜରିଆରେ ମୋହନଲାଲଙ୍କୁ ସମ୍ମାନ ଜଣାଇଛନ୍ତି ।
ପୁରସ୍କାର ପାଇବା ପରେ ମୋହନଲାଲ କହିଛନ୍ତି ଯେ, ‘ଏହା ମୋ ପାଇଁ ମହାନ ଗୌରବ ଓ କୃତଜ୍ଞତାର ମୁହୂର୍ତ୍ତ ଯେ ମୁଁ ଆଜି ଏଠି ଠିଆ ହୋଇଛି । ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରତିନିଧି ରୂପେ ଏଠାରେ ଠିଆ ହେବା ମୋ ପାଇଁ ଅତ୍ୟନ୍ତ ବିନମ୍ର ଓ ଗୌରବପୂର୍ଣ୍ଣ ମୁହୂର୍ତ୍ତ । ମୁଁ ଅତ୍ୟନ୍ତ ବିନମ୍ରତାର ସହ ବ୍ୟକ୍ତ କରୁଛି ଯେ ମୁଁ ଏହି ସମ୍ମାନ ପ୍ରାପ୍ତ କରିଥିବା ଦେଶର ସର୍ବକନିଷ୍ଠ କଳାକାର ଏବଂ ନିଜ ରାଜ୍ୟରୁ ରାଷ୍ଟ୍ରୀୟ ମାନ୍ୟତା ପ୍ରାପ୍ତ କରିଥିବା ୨ୟ ବ୍ୟକ୍ତି । ଏହି ମୁହୂର୍ତ୍ତ କେବଳ ମୋର ନୁହେଁ, ସମଗ୍ର ମାଲାୟାଲମ୍ ସିନେମା ପରିବାରର । ସତ କହିବାକୁ ଗଲେ, ମୁଁ କଦାପି ଏହି ମୁହୂର୍ତ୍ତର ସ୍ୱପ୍ନ ଦେଖିବାକୁ ମଧ୍ୟ ସାହସ କରିନଥିଲି । ମୋର ସବୁଠୁ ବଡ଼ ସ୍ୱପ୍ନ ମଧ୍ୟରେ ବି ଏହା ନ ଥିଲା । ସେଥିପାଇଁ ଏହା କେବଳ ସ୍ୱପ୍ନ ସତ ହେବା ଭଳି ନୁହେଁ, ବରଂ ତା’ଠୁ ଅଧିକ.. ଯାଦୁକରୀ ଓ ପବିତ୍ର । ସିନେମା ମୋ ଆତ୍ମାର ସ୍ପନ୍ଦନ ।’
ମାଲାୟାଲମ୍ ସୁପର୍ଷ୍ଟାର ମୋହନଲାଲ ୧୯୭୮ରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ଦୀର୍ଘ ୪ ଦଶନ୍ଧିର କ୍ୟାରିଅର୍ରେ ସେ ପ୍ରାୟ ୪୦୦ ଫିଲ୍ମରେ କାମ କରିଛନ୍ତି । ୫ ଥର ଜାତୀୟ ଚଳଚ୍ଚିତ୍ର ସମ୍ମାନ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି । ଶାହରୁଖ୍ଙ୍କୁ ଫିଲ୍ମ ‘ଯୱାନ’ ଓ ବିକ୍ରାନ୍ତଙ୍କୁ ‘ଟ୍ୱେଲ୍ଥ ଫେଲ୍’ ପାଇଁ ଶ୍ରେଷ୍ଠ ଅଭିନେତା ସମ୍ମାନ ପ୍ରଦାନ କରାଯାଇଛି । ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଲାଭ କରିଛନ୍ତି ରାନୀ ମୁଖାର୍ଜୀ । ୩ ଜଣଙ୍କ କ୍ୟାରିଅର୍ର ଏହା ପ୍ରଥମ ଜାତୀୟ ସମ୍ମାନ । ୧୯୯୨ରେ ଫିଲ୍ମ ‘ଦିୱାନା’ରୁ ସିନେ ଜଗତରେ ଏଣ୍ଟ୍ରି କରିଥିଲେ ଶାହରୁଖ । ଦୀର୍ଘ ୪ ଦଶନ୍ଧିର କ୍ୟାରିଅର୍ରେ ୧୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ୧୪ ଫିଲ୍ମଫେୟାର ସମ୍ମାନ ମଧ୍ୟ ଲାଭ କରିଛନ୍ତି । ଟିଭି ଶୋ’ ‘ବାଲିକା ବଧୂ’ରୁ କ୍ୟାରିଅର ଆରମ୍ଭ କରିଥିବା ବିକ୍ରାନ୍ତ ଧୀରେ ଧୀରେ ଫିଲ୍ମ ଦୁନିଆରେ ପାଦ ଥାପିଲେ । ‘ଛପାକ୍’, ‘ଟ୍ୱେଲ୍ଥ ଫେଲ୍’ ଓ ‘କାର୍ଗୋ’ ଭଳି ଫିଲ୍ମରୁ ସେ ପରିଚୟ ପାଇଲେ । ରାନୀ ୧୯୯୬ରେ ‘ରାଜା କୀ ଆଏଗୀ ବାରାତ୍’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ । ‘କୁଛ୍ କୁଛ୍ ହୋତା ହୈ’, ‘ବ୍ଲାକ୍’ ଓ ‘ମର୍ଦାନୀ’ ଭଳି ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ସେ କାମ କରିଛନ୍ତି । ମାଲାୟାଲମ୍ ଅଭିନେତ୍ରୀ ଉର୍ବଶୀଙ୍କୁ ‘ଓଲୁଝୁକ୍କୂ’ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ମିଳିଛି । ଗୁଜରାଟୀ ଫିଲ୍ମ ‘ୱଶ୍’ର ଅଭିନେତ୍ରୀ ଜାନକୀ ବୋଡୀୱାଲାଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି । ଶାହରୁଖ୍ଙ୍କ ଫିଲ୍ମ ‘ଯୱାନ’ର ଗୀତ ‘ଚଲେୟା’ ପାଇଁ ଶିଳ୍ପା ରାଓଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦ ଗାୟିକା ପୁରସ୍କାର ମିଳିଛି । ଫିଲ୍ମ ‘ରକି ଔର୍ ରାନୀ କୀ ପ୍ରେମ୍ କାହାନୀ’ର ଗୀତ ‘ଢିଂଢୋରା ବାଜେ ରେ’ ପାଇଁ ବୈଭବୀ ମର୍ଚାଣ୍ଟ୍ଙ୍କୁ ଶ୍ରେଷ୍ଠ କୋରିଓଗ୍ରାଫି ସମ୍ମାନ ମିଳିଛି । ୨୦୨୩ରେ ମୁକ୍ତିପ୍ରାପ୍ତ ସାନ୍ୟା ମଲହୋତ୍ରାଙ୍କ ଫିଲ୍ମ ‘କଟ୍ହଲ’କୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିଛି । ଏହାର ନିର୍ଦ୍ଦେଶକ ୟଶୋବର୍ଦ୍ଧନ ମିଶ୍ରା ସମ୍ମାନ ଗ୍ରହଣ କରିଛନ୍ତି ।