ପୁରୀ,୦୯/୧୨: ପ୍ଲାଷ୍ଟିକ ରାକ୍ଷାସ ଆଁରେ ଗିଳି ହୋଇଗଲାଣି ଧାର୍ମିକ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର । ବ୍ୟବସାୟିକ  ପ୍ରତିଷ୍ଠାନଠାରୁ ଆରମ୍ଭ କରି ବ୍ୟକ୍ତିଗତ  ଅନୁଷ୍ଠାନ ସବୁଠି ବେଧଡକ୍‌ ପ୍ଲାଷ୍ଟିକ  ବ୍ୟବହାର କରାଯାଉଛି । ପ୍ଲାଷ୍ଟିକ ବ୍ୟବହାର  ଉପରେ ରୋକ ଲଗାଇବା ପାଇଁ ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି  ନା ସରକାରୀ ପଦକ୍ଷେପ ନିଆଯାଉଛି ।  ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର  କରିବା ପୁରୀରେ ସଂପୂର୍ଣ୍ଣ ନିଷେଦ୍ଧ ଘୋଷଣା  ହୋଇଛି । ହେଲେ ଏହି ଘୋଷଣା କେବଳ  କାଗଜପତ୍ରରେ ସୀମିତ ରହିଛି । ଖୁଲମଖୁଲା  ସବୁଠି ଏକକ ବ୍ୟବହୃତ ପ୍ଲାଷ୍ଟିକର  କାରବାର ଚାଲିଥିଲେ ବି ପୌରପାଳିକା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ।  ପାଖାପାଖି ବର୍ଷେ ହେବ ପୌରପାଳିକା  ପକ୍ଷରୁ କୌଣସି ଦୋକାନରେ ଚଢ଼ଉ  କରାଯାଇନି । ପ୍ଲାଷ୍ଟିକ ବର୍ଜ୍ୟର ପ୍ରକ୍ରିୟାକରଣ  ପାଇଁ ଅନେକ ବ୍ୟବସ୍ଥା ହୋଇଛି । ହେଲେ  ପୁରୀ ସହରରୁ ବାହାରୁଥିବା ପ୍ଲାଷ୍ଟିକର ମାତ୍ରା ପ୍ରକ୍ରିୟାକରଣ ପାଇଁ ରହିଥିବା ବ୍ୟବସ୍ଥାଠାରୁ ଢେର ଅଧିକ । 

ପୁରୀ ସହରରେ ପ୍ରତିବର୍ଷ  ହାରାହାରି ୭୨୦ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି ହେଉଥିବା ବେଳେ ସେଥିମଧ୍ୟରୁ  ମାତ୍ର ୫୬୦ ଟନ୍‌ ପ୍ଲାଷ୍ଟିକ ପ୍ରକ୍ରିୟାକରଣ  ହୋଇପାରୁଛି । ବଳକା ୧୫୦ ଟନ୍‌ରୁ  ଅଧିକ ପ୍ଲାଷ୍ଟିକ ଏଣେତେଣେ ପଡ଼ି ରହୁଛି ।  ନଳାଗୁଡ଼ିକରେ ଜମି ରହୁଛି । ଖୋଲା ପଡ଼ିଆ ସବୁ ଧୀରେଧୀରେ ଅଳିଆଗଦାରେ  ପରିଣତ ହୋଇଯାଉଛି । ବର୍ଷକୁ ବର୍ଷ  ଏହି ପ୍ରକ୍ରିୟାକରଣ ହୋଇପାରୁନଥିବା  ପ୍ଲାଷ୍ଟିକର ମାତ୍ରା ବଢ଼ିଚାଲିଛି ।  

ପୁରୀ ସହରକୁ ସ୍ୱଚ୍ଛ ସୁନ୍ଦର କରିବା ପାଇଁ  ୨୦୧୯ ଗାନ୍ଧୀ ଜୟନ୍ତୀରୁ ପୁରୀକୁ ପଲିଥିନ  ମୁକ୍ତ ସହର ଘୋଷଣା କରାଯାଇଥିଲା।  ତତ୍‌କାଳୀନ ଜିଲ୍ଲାପାଳ ଏଥିପାଇଁ ତୃଣମୂଳ  ସ୍ତରରେ ଅନେକ ପଦକ୍ଷେପ ଗ୍ରହଣ  କରିଥିଲେ । ସଚେତନତା ଏତେମାତ୍ରାରେ ବୃଦ୍ଧି ପାଇଥିଲା ଯେ ଲୋକେ କୌଣସି ଖାଦ୍ୟ  କିଣିବାକୁ ଘରୁ ଗିନା ତାଟିଆ ଟିଫିନ୍‌ ଧରି  ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଥିଲା । ସହରରେ ବର୍ଜ୍ୟ ପରିଚାଳନା ଠିକ୍‌ ରୂପେ  ହେଉଛି କି ନାହିଁ ଏହା ଉପରେ ନଜର  ରଖିବାକୁ ଏକ ଜାତୀୟ ସ୍ତରୀୟ ଫିଡ୍‌ ବ୍ୟାକ୍‌  ଏଜେନ୍ସି ମଧ୍ୟ ପୁରୀରେ କାମ କରୁଥିଲା ।  ଏହି ଏଜେନ୍ସି ପୁରୀର ବିଭିନ୍ନ ସ୍ଥାନରେ  ସ୍ୱଚ୍ଛତାକୁ ତଦାରଖ କରୁଥିଲା । କେଉଁଠି  ଅଳିଆ ଜମି ରହିଲେ କି କେଉଁଠି ଏକକ  ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର କରାଗଲେ  ଏହି ସଂସ୍ଥା ପ୍ରଶାସନର ସାହଯୋଗରେ  ଏସବୁକୁ ବନ୍ଦ କରୁଥିଲା । ଦେଶର ସବୁଠାରୁ  ସ୍ୱଚ୍ଛ ସହର ଭାବେ ପରିଚିତ ଇନ୍ଦୋର  ସହରରେ ମଧ୍ୟ ଏହି ସଂସ୍ଥା କାମ କରୁଛି ।  

ପୁରୀକୁ ଇନ୍ଦୋର ଭଳି ସ୍ୱଚ୍ଛ ସୁନ୍ଦର କରିବା  ଲକ୍ଷ୍ୟ ତତ୍‌କାଳୀନ ଜିଲ୍ଲାପାଳ ବଲୱନ୍ତ  ସିଂହ ନିଜସ୍ୱ ପ୍ରଚେଷ୍ଟାରେ ଏହି ସଂସ୍ଥାକୁ  ପୁରୀକୁ ଆଣିଥିଲେ । ପୁରୀରେ ପାଖାପାଖି  ୨ ବର୍ଷ କାମ କରିବା ମଧ୍ୟରେ ପୁରୀର  ସ୍ୱଚ୍ଛତାରେ ମଧ୍ୟ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ  ଆସିଥିଲା । ହେଲେ ପରବର୍ତ୍ତୀ ସମୟରେ  ଏହି ଏଜେନ୍ସିକୁ ସହରରୁ ବିଦା କରାଗଲା ।  କେବଳ ସେତିକି ନୁହେଁ ଏକ ଘରୋଇ  ସଂସ୍ଥା ପୁରୀରୁ ପ୍ଲାଷ୍ଟିକ ବର୍ଜ୍ୟ ନେବା ପାଇଁ  ପୌରସଂସ୍ଥା ସହ ଚୁକ୍ତି କରିଥିଲା । ଏହି  ସଂସ୍ଥା ପ୍ରତି ମାସରେ ପୌରସଂସ୍ଥାକୁ ୧୦  ଲକ୍ଷ ଟଙ୍କା ଦେଇ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ  କରୁଥିଲା । ୨ ବର୍ଷ ହେବ ଏହି ସଂସ୍ଥାଠାରୁ  ମଧ୍ୟ ଚୁକ୍ତି ପ୍ରତ୍ୟାହାର କରି ନିଆଯାଇଛି ।  ଯାହାଦ୍ୱାରା ପୁରୀ ପୌରାଞ୍ଚଳରେ ଥିବା ୬ଟି  ଯାକ ଏମ୍‌ଆର୍‌ଏଫ୍‌କୁ ଯାଉଥିବା ପ୍ଲାଷ୍ଟିକର  ମାତ୍ରା ବୃଦ୍ଧି ପାଇଚାଲିଛି । ଯେତେ ମାତ୍ରାରେ  ପ୍ଲାଷ୍ଟିକ ବର୍ଜ୍ୟ ଏମ୍‌ଆର୍‌ଏଫ୍‌କୁ ଯାଉଛି,  ତା’ର ଅଧା ପ୍ଲାଷ୍ଟିକ ବି ଖାଲି ହେଉନାହିଁ ।  

ପୁରୀ ପର୍ଯ୍ୟଟନ ସହର ହୋଇଥିବାରୁ  ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ  ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ମଧ୍ୟ ବୃଦ୍ଧି  ପାଇ ଚାଲିଛି। ଥର୍ମକୋଲ୍‌ ଦନା ମଧ୍ୟ ପ୍ଲାଷ୍ଟିକ  ବର୍ଜ୍ୟର ଅନ୍ୟ ଏକ କାରଣ ପାଲଟିଛି ।  ପରିବେଶ ବିଜ୍ଞାନରେ ଗବେଷଣା  କରୁଥିବା ସୁପ୍ରଭା ମିଶ୍ର କହିଛନ୍ତି, ପ୍ଲାଷ୍ଟିକ  ବର୍ଜ୍ୟ ମୃତ୍ତିକା ପ୍ରଦୂଷଣର ପ୍ରମୁଖ କାରଣ  ପାଲଟିଛି । ଏହା ମାଟିରେ ମିଶୁନଥିବାରୁ  ଜଳ ପ୍ରବାହ ବାଧାପ୍ରାପ୍ତ ହୁଏ । ବର୍ଷା ଜଳ  ଭୂତଳକୁ ପ୍ରବେଶ କରିପାରେନି । ଫଳରେ  ଭୂତଳ ଜଳ ମାତ୍ରା କମିଚାଲେ । ପ୍ଲାଷ୍ଟିକ  ମାଟିରେ ମିଶିବାକୁ ଶହଶହ ବର୍ଷ ଲାଗିଯାଏ ।  ପ୍ଲାଷ୍ଟିକକୁ ପୋଡ଼ିବା ଦ୍ୱାରା ନିର୍ଗତ ହେଉଥିବା  ବିଷାକ୍ତ ଧୂଆଁ ମଧ୍ୟ ଫୁସ୍‌ଫୁସ୍‌ ଜନୀତ ରୋଗ  ସୃଷ୍ଟି କରେ ବୋଲି ସେ ପ୍ରକାଶ କରିଛନ୍ତି।