ବିଦାୟୀ ବର୍ଷ ୨୦୨୪ରେ ୮ ବଡ଼ ବିମାନ ଦୁର୍ଘଟଣା ଘଟିଛି । ଏଥିରେ ୪୦୨ ଜଣଙ୍କ ଜୀବନ ଯାଇଛି । ଅଧିକାଂଶ ଦୁର୍ଘଟଣା ଖରାପ ପାଣିପାଗ ଯୋଗୁ ଘଟିଛି ।

ଜାନୁଆରୀ ୨୪: ବର୍ଷ ଆରମ୍ଭରେ ରୁଷ୍‌ରେ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଥିଲା । ବେଲଗୋରୋଡଠାରେ ଏକ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୭୪ ଜଣଙ୍କ ମୃତ୍ୟୁ ଘଟିଥିଲା । ବିମାନରେ ୬୫ ୟୁକ୍ରେନୀୟ କଏଦୀ ଏବଂ ୯ ରୁଷୀୟ କ୍ରୁ ମେମ୍ବର ଥିଲେ । ୟୁକ୍ରେନ୍‌ର ମିସାଇଲ ମାଡ଼ ଯୋଗୁ ଦୁର୍ଘଟଣା ଘଟିଥିବା ରୁଷ୍‌ କହିଥିବାବେଳେ ଏହାକୁ ରୁଷ୍‌ର ଷଡ଼ଯନ୍ତ୍ର ଦର୍ଶାଇଥିଲା ୟୁକ୍ରେନ୍‌ । 

ମାର୍ଚ୍ଚ ୧୨: ରୁଷ୍‌ର ଇଭାନୋଭୋ ଓବ୍ଲାଷ୍ଟ୍‌ରେ ଏକ କାର୍ଗୋ ବିମାନ ଇଲ୍ୟୁସିନ୍‌ ଆଇଏଲ୍‌-୭୬ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୫ ଜଣଙ୍କ ଜୀବନ ଯାଇଥିଲା । ସେମାନଙ୍କ ମଧ୍ୟରେ ୭ ଯାତ୍ରୀ ଏବଂ ୮ କ୍ରୁ ସଦସ୍ୟ ଥିଲେ । ବିମାନର ଇଞ୍ଜିନ୍‌ରେ ନିଆଁ ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଥିଲା । 

ମେ ୧୯: ମେ ୧୯ରେ ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଖରାପ ପାଣିପାଗ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ରଇସି, ଇରାନ ବିଦେଶ ମନ୍ତ୍ରୀ ହୁସେନ୍‌ ଅମିରାଅବ୍‌ଦୁଲ୍ଲାହିଅନ୍‌ଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିଲା । ପାହାଡ଼ିଆ ଅଞ୍ଚଳ ପାର୍‌ କରୁଥିବାବେଳେ ବିମାନଟି କ୍ରାଶ୍‌ ହୋଇଥିଲା । 

ଜୁନ୍‌ ୧୦: ଆଫ୍ରିକୀୟ ଦେଶ ମାଲାୱିରେ ଉପରାଷ୍ଟ୍ରପତି ସାଉଲୋସ୍‌ କ୍ଲାସ୍‌ ଚିଲିମାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଉପରାଷ୍ଟ୍ରପତିଙ୍କ ମୃତ୍ୟୁ ଘଟିଥିଲା । ଜୁନ୍‌ ୧୦ରେ ବିମାନଟି ଗାଏବ ହେବା ପରେ ଏହାର ଭଗ୍ନାବଶେଷ ମିଳିଥିଲା । ସେଥିରେ ଥିବା ସମସ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । 

ଜୁଲାଇ ୨୪: ନେପାଳର କାଠମାଣ୍ଡୁରେ ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସୌର୍ଯ୍ୟ ଏୟାରଲାଇନ୍ସର ଏକ ବିମାନ ପୋଖରା ଯିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୧ ବର୍ଷ ପୁରୁଣା ଏହି ବିମାନ ମରାମତି ପରେ ଟେଷ୍ଟିଂ ପାଇଁ ଯାଉଥିଲା । 

ଅଗଷ୍ଟ ୯: ବ୍ରାଜିଲର ସାଓ ପାଓଲୋ ରାଜ୍ୟର ଭିନ୍‌ହେଡୋ ସହରରେ ଭୋଇପାସ୍‌ ୨୨୮୩ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଥିବା ସମସ୍ତ ୬୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହା ଏକ ଘରୋଇ ବ୍ରାଜିଲିଆନ୍‌ ଯାତ୍ରୀବାହୀ ବିମାନ ଥିଲା । ଏବେ ବି ଦୁର୍ଘଟଣାର କାରଣ ଯାଞ୍ଚ ଚାଲିଛି । 

ଡିସେମ୍ବର ୨୫: ଆଜରବୈଜାନ୍‌ରୁ ରୁଷ୍‌ ଯାଉଥିବା ଏକ ବିମାନ କଜାଖସ୍ତାନର ଅକ୍‌ତାଉ ଏୟାରପୋର୍ଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିଲା । ଏଥିରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିଲା । ବିମାନଟି ରୁଷ୍‌ର ଗ୍ରୋଜ୍‌ନିରେ ପହଞ୍ଚିବା ବେଳେ ଗ୍ରୋଜ୍‌ନି ଏୟାରସ୍ପେସ୍‌ରେ ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ କରିଥିଲା । ରୁଷ୍‌ର ଏୟାର ଡିଫେନ୍ସ ସିଷ୍ଟମ ଡ୍ରୋନ୍‌କୁ ରୋକିବାକୁ ଉଦ୍ୟମ କରୁଥିବାବେଳେ ଦୁର୍ଘଟଣା ଘଟିଥିବା ରୁଷ୍‌ କହିଥିଲା । 

ଡିସେମ୍ବର ୨୯: ଦକ୍ଷିଣ କୋରିଆର ମୁଆନ୍‌ ବିମାନବନ୍ଦରରେ ବିମାନ ଦୁର୍ଘଟଣା ଯୋଗୁ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୬ କ୍ରୁ ସଦସ୍ୟଙ୍କ ସମେତ ୧୮୧ ଜଣ ଥିଲେ । ତେବେ ସୌଭାଗ୍ୟବଶତଃ ୨ କ୍ରୁ ସଦସ୍ୟ ଜୀବନ୍ତ ଉଦ୍ଧାର ହୋଇଛନ୍ତି ।