ଭୁବନେଶ୍ୱର, ୨୦।୨: ଶ୍ରୀ ସତ୍ୟ ସାଇ ମହିଳା କଲେଜରେ ଆତ୍ମରକ୍ଷା କ୍ଲବ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି । ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାନୁସାରେ ସେଲ୍ଫ ଡିଫେନ୍ସ କ୍ଲବ (SDC) ଅଧୀନରେ ଶ୍ରୀ ସତ୍ୟ ସାଇ କଲେଜ ଫର ଉଇମେନ୍, ଭୁବନେଶ୍ୱରରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ୧୧ରୁ ୧୯ ତାରିଖ ପର୍ଯ୍ୟନ୍ତ ୮ ଦିନିଆ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ନିହାରିକା ଦାସଙ୍କ ନିର୍ଦ୍ଦେଶନା ଓ ପ୍ରେରଣାରେ ସଫଳ ଭାବେ ପରିଚାଳିତ ହୋଇଥିଲା । ତାଙ୍କ ସୁଦୃଷ୍ଟି ଓ ଉତ୍ସାହ ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସୀ ଓ ସଚେତନ ହେବାରେ ପ୍ରେରିତ କରିଥିଲା ।
ଏହା ବି ପଢ଼ନ୍ତୁ... ଅନ୍ୟାୟ ବିରୁଦ୍ଧରେ ଗର୍ଜିବେ ବିଜେଡି ମହିଳା ! ନୂତନ କର୍ମକର୍ତ୍ତାଙ୍କୁ ଭେଟି ଗୁରୁମନ୍ତ୍ର ଦେଲେ ନବୀନ
କାର୍ଯ୍ୟକ୍ରମର ସମନ୍ୱୟକାରୀ ଭାବେ ଜୂଲଜି ବିଭାଗର ଅଧ୍ୟାପିକା ଶ୍ରୀମତୀ ବିନ୍ଦୁଲତା ପଣ୍ଡା ଦାୟିତ୍ୱ ନିଭାଇଥିଲେ । ସେ ପ୍ରଶିକ୍ଷଣର ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ଭାବରେ ପରିଚାଳନା କରିଥିଲେ । ପ୍ରଶିକ୍ଷଣ ସମୟରେ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳ ଓ ସଙ୍କଟ ସମୟରେ ନିଜକୁ କିପରି ସୁରକ୍ଷିତ ରଖିବେ ସେ ବିଷୟରେ ପ୍ରାୟୋଗିକ ଶିକ୍ଷା ଦିଆଯାଇଥିଲା । ଗତକାଲି ଭାଲେଡିକ୍ଟୋରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମଟି ଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ଆରମ୍ଭ ହୋଇଥିଲା । ଏହି ଅବସରରେ ଅଧ୍ୟକ୍ଷା ଓ ବିଭିନ୍ନ ବିଭାଗର ଅଧ୍ୟାପକ/ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ଛାତ୍ରୀମାନେ ଶିକ୍ଷା ପାଇଥିବା ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରଦର୍ଶନ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଦାର୍ଶନିକ ବିଭାଗର ଅଧ୍ୟାପିକା ଓ SDC ସଦସ୍ୟା ଶ୍ରୀମତୀ ଜୟନ୍ତୀ ସିଂହ ଧନ୍ୟବାଦ ଜ୍ଞାପନ କରି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ସରକାର ପ୍ରୋତ୍ସାହିତ ଆତ୍ମରକ୍ଷା କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସଚେତନତା ଓ ସାହସ ବୃଦ୍ଧି କରିବାରେ ସାର୍ଥକ ସାବ୍ୟସ୍ତ ହୋଇଛି ।