ଭୁବନେଶ୍ବର,୨୬।୧୦ : ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ରବିବାର ସମ୍ଭାବ୍ୟ ବାତ୍ୟା  ମୁକାବିଲା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ବାତ୍ୟାର ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପ ଏବଂ ଆଗକୁ କିଭଳି ପ୍ରସ୍ତୁତି ହୋଇଛି ସେବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ମନ୍ତ୍ରୀ। 

ମନ୍ତ୍ରୀ କହିଛନ୍ତି, ରାଜ୍ୟର ୮ ଟି ଜିଲ୍ଲା ରେଡ୍‌ ଜୋନରେ ରହିଛି। ଏହି ଜିଲ୍ଲାରେ ବାତ୍ୟାର ପ୍ରତିଫଳନ ରହିବ। ଏହା ସହ କୋରାପୁଟ, ନବରଙ୍ଗପୁର,ରାୟଗଡ଼ା, ଗଜପତି, ଗଞ୍ଜାମ,କନ୍ଧମାଳ,କଳାହାଣ୍ଡି ପ୍ରଭାବିତ ହେବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ପାଇଁ ଭୂସ୍ଖଳନ, ଅକସ୍ମିକ ବନ୍ୟା ସମ୍ଭାବନା ରହିଛି। ତେଣୁ ଏସବୁ ଜିଲ୍ଲାରେ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ସରକାର ସମସ୍ତ ପ୍ରସ୍ତୁତ କରିଛନ୍ତି। ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛୁ।

ଗଜପତି ଜିଲ୍ଲାରେ ଅଧିକ ଭୂସ୍ଖଳନ ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାର ସବୁଠାରେ ଓଡ଼ିଆରଏଫ୍ ଟିମ୍ ଟିମ୍ ପ୍ରସ୍ତୁତ ରହିଛନ୍ତି। ମାଲକାନଗିରିରେ ୩ ଓଡ୍ରାଫ ଓ ୧ ଏନଡିଆରଏଫ୍ ଟିମ୍ ସଜାଗ ରହିଛନ୍ତି। ୮ ଅଗ୍ନିଶମ ବାହିନୀ ଯନ୍ତ୍ରପାତି ସହ ସମସ୍ତ ଜିଲ୍ଲାରେ ପ୍ରସ୍ତୁତ ରହିଛନ୍ତି। ୮ ଜିଲ୍ଲାରେ ୧୨୮ ଟିମ୍ ନିୟୋଜିତ ହେଲେଣି।

ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଇଛି। ସେହିଭଳି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅସୁସ୍ଥ, ଗର୍ଭବତୀ ମହିଳା ଓ ବୟସ୍କଙ୍କ ଏକ ତାଲିକା ଜିଲ୍ଲା ସ୍ତରରେ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ। ସୋମବାର ସଂଧ୍ୟା ୫ଟା ସୁଦ୍ଧା ଆସନ୍ନ ପ୍ରସବାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯିବ ଚାଷ କ୍ଷେତ୍ରକୁ ରକ୍ଷା କରିବା ପାଇଁ ଚାଷୀଙ୍କୁ ଅପିଲ କରାଯାଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ।

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପାହାଡ଼ିଆ ଅଞ୍ଚଳକୁ ଚିହ୍ନଟ କରି ପ୍ରତିଷେଧକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ପଥର ଖସିବାର ସମ୍ଭାବନା ଅଛି ସେଠାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ନବହାରିବା ପାଇଁ ସଚେତନ କରାଯାଇଛି।

ରାଜ୍ୟର ସମସ୍ତ ଡାକ୍ତରଖାନା, ରିଲିଫ ସେଣ୍ଟର୍ ସବୁକୁ ଅତିରିକ୍ତ ଶକ୍ତି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଗଛ ପଡ଼ିବା ଭଳି ସମସ୍ୟା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ମେସିନ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ସମସ୍ତେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ।