ଦାରିଙ୍ଗବାଡି,୨୦/୦୨: ରାଜ୍ୟ ସରକାର ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଓ ୮୦ ଭାଗରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମଙ୍କୁ ୩୫୦୦ ଟଙ୍କା ଦେବା ନେଇ ଘୋଷଣା କରିଥିଲେ । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ତାହା ଆଜି କାର୍ଯ୍ୟକାରୀ ହୋଇ ପାରିନଥିବା ଦେଖିବାକୁ ମିଳିଛି । ଜଣେ ୮୦ ଭାଗରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମଙ୍କ ପକ୍ଷରେ ଦେଖିବାକୁ ମିଳିଛି କିଛି ଏଭଳି ଅଭିଯୋଗ । 

ସୂଚନା ମୁତାବକ, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିଆଙ୍ଗବାଲି ପଞ୍ଚାୟତ ମଣିପୁର ଗ୍ରାମର ରାଧାନାଥ ପ୍ରଧାନ । ରାଧାନାଥ ପ୍ରଧାନଙ୍କୁ ୮୦ ଭାଗ ସ୍ଥାୟୀ ଶାରୀରିକ ଭିନ୍ନକ୍ଷମ ନେଇ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି । ଭତ୍ତା ଯୋଜନାରେ ସରକାରଙ୍କ ଘୋଷଣା ପ୍ରକାରେ ରାଧାନାଥ ମାସକୁ ୩ ହଜାର ୫ ଶହ ଟଙ୍କା ପାଇବାକୁ ଯୋଗ୍ୟ ଅଟନ୍ତି । ହେଲେ ସେ ଏବେ ୧୨୦୦ ଟଙ୍କା ହିଁ ପାଉଛନ୍ତି । ଘୋଷଣା ଘୋଷଣା ବାଟରେ ରହିଥିବା ବେଳେ ଭିନ୍ନକ୍ଷମ ଜଣଙ୍କ ସରକାରୀ ସହାୟତାରୁ ବଞ୍ଚିତ ହୋଇ ରହିଛନ୍ତି । ସେ ଚାଲିକି କୁଆଡେ ଯାଇ ପାରୁଛନ୍ତି ନା କଣ କରି ପାରୁଛନ୍ତି । କହିବେ କାହାକୁ, ଶୁଣିବ କିଏ? ପରିସ୍ଥିତିରେ ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ଖାଲି ଯେ ସରକାରୀ ଭତ୍ତା ନୁହଁ ବରଂ ଆଜି ପର୍ଯ୍ୟନ୍ତ ସେ ଭଙ୍ଗା ଘରେ ରହୁଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଟିଏ ମଧ୍ୟ ମିଳିପାରିନାହିଁ । ଏଭଳି ଭାବେ ଜଣେ ୮୦ ଭାଗ ଭିନ୍ନକ୍ଷମଙ୍କୁ ସରକାରୀ ସ୍ତରରେ ଗୁରୁତ୍ଵ ନଦେବା ଓ ସରକାରୀ ସହାୟତା ପ୍ରଦାନ ନକରିବା ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିବା ସହ ରାଧାନାଥଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି ।