କେନ୍ଦ୍ରାପଡ଼ା,୨୨/୫ : ଭତ୍ତା ଟଙ୍କା ପାଇଁ ରାସ୍ତାରେ ଘୁସୁରି ଘୁସୁରି ଗଲେ ବୃଦ୍ଧ । ୮୦ବର୍ଷୀୟ ବୃଦ୍ଧ ପଞ୍ଚାୟତ କାର୍ଯ୍ୟାଳୟକୁ ଏଭଳି ଭାବେ ଯିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ସଦର ବ୍ଲକ ଅଧୀନ କୋର ପଞ୍ଚାୟତରେ ।
ସୂଚନା ଅନୁସାରେ, କୋର ଗାଁର ବୃଦ୍ଧ ଶ୍ରୀଧର ସାହୁ । ଗୁରୁବାର ମାସିକ ଭତ୍ତା ଟଙ୍କା ପାଇଁ ରାସ୍ତାରେ ଘୁସୁରି ଘୁସୁରି ଯାଉଥିବା ଦେଖିବାକୁ ମିଳିଥିଲା l ପୂର୍ବରୁ ଶ୍ରୀଧରଙ୍କ ଝିଅ ତାଙ୍କ ଭତ୍ତା ନେଉଥିଲେ । ମାତ୍ର ପଞ୍ଚାୟତ ଅଧିକାରୀ ଚଳିତ ମାସରୁ ଝିଅକୁ ଭତ୍ତା ଦେବା ପାଇଁ ମନା କରିଦେଇଥିଲେ l ଫଳରେ ଚାଲିବାକୁ ଅକ୍ଷମ ଥିବା ଶ୍ରୀଧର ନିଜ ଭତ୍ତା ନେବା ପାଇଁ ଘୁସୁରି ଘୁସୁରି ପଞ୍ଚାୟତ ଅଫିସକୁ ଯାଉଥିଲେ l
ଖବରପାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧା ବାଟରେ ଶ୍ରୀଧରଙ୍କୁ ଭତ୍ତା ଦେଇଥିଲେ l କୋର ପଞ୍ଚାୟତରେ ଭତ୍ତା ପ୍ରଦାନ ନେଇ ନାନା ଅନିୟମିତତା ଅଭିଯୋଗ ହୋଇଛି l ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।