ଆସିକା, ୧୮/୦୬ : ଆଖିକୁ ଦିଶୁନି, ଚାଲିବାକୁ ଅକ୍ଷମ। ଭତ୍ତା ପାଇଲେ ଦୁଇ ପ୍ରାଣୀଙ୍କ ପେଟକୁ ଦାନା ଓ ରୋଗ ପାଇଁ ଔଷଧ କିଣିବେ। ଏହି ଆଶାରେ ଗ୍ରୀଷ୍ମ ତାତିକୁ ଖାତିର ନକରି ୮୫ ବର୍ଷୀୟ ବୃଦ୍ଧ ଶିବ ମଳିକ ବୁଧବାର ଆଣ୍ଠେଇ ଆଣ୍ଠେଇ ନିମିନା ପଞ୍ଚାୟତ ଅଫିସ୍‌କୁ ଯାଇଥିଲେ। ତିନି ମାସ ହେଲା ଭତ୍ତା ମିଳି ନଥିବା ନେଇ ଗୁହାରି କରିବାକୁ ଯାଇଥିଲେ ସେ। ଏପରିକି ପଞ୍ଚାୟତ ଅଫିସ୍‌ରେ ଧାରଣା ଦେଲେ। କର୍ତ୍ତୃପକ୍ଷଙ୍କ ଠାରୁ ନିରାଶବାଣୀ ଶୁଣି ଭତ୍ତା ବିନା ଫେରିବାକୁ ବାଧ୍ୟ ହୋଇଛନ୍ତି ସେ।

ଶୁଣ୍ଢିପଲ୍ଲୀ ଗ୍ରାମର ଶିବ ମଳିକଙ୍କ ପୁଅ ଝିଅ କେହି ନାହାନ୍ତି। ଯାହା ଭତ୍ତା ମିଳେ ସ୍ୱାମୀ-ସ୍ତ୍ରୀ ଦୁହେଁ ସେତିକିରେ ହିଁ ଚଳନ୍ତି। ହେଲେ ଗତ ତିନି ମାସ ହେବ ଭତ୍ତା ମିଳିନି । ଫଳରେ ଖାଇବା ଓ ଔଷଧ ପାଇଁ ଏଣେତେଣେ ହାତ ପତାଇବାକୁ ପଡୁଛି। ବୁଧବାର ଭତ୍ତା ମିଳିବା ଆଶାରେ ପଞ୍ଚାୟତ ଅଫିସ୍‌ ଆସିଥିଲେ। ହେଲେ ଭତ୍ତା ଟଙ୍କା ମିଳୁ ନଥିବା ପ୍ରତିବାଦରେ ବହୁ ହିତାଧିକାରୀ ଅଫିସ୍‌ ଗେଟ୍‌ରେ ତାଲା ପକାଇ ଧାରଣା ଦେଇଥିଲେ । ଭିତରେ ସରପଞ୍ଚ, ପିଇଓ ଓ ଆଉ କିଛି ଜଣ ଅଟକି ରହିଥିଲେ। ଧାରଣାରେ ଶିବ ମଧ୍ୟ ସାମିଲ ହୋଇଥିଲେ। ସାତ ଘଣ୍ଟା ଖରାରେ ଆଉଟୁପାଉଟୁ ହୋଇ ସେମିତି ଧାରଣାରେ ବସିଥିଲେ ଶିବଙ୍କ ସହ ଅନ୍ୟ ଆନ୍ଦୋଳନକାରୀ। ଦାବି କରିଥିଲେ ଭତ୍ତା ଟଙ୍କା ବ୍ୟାଙ୍କ୍‌ ଖାତାକୁ ଦିଆ ନଯାଇ ହାତରେ ଦିଆଯାଉ। ନଚେତ୍‌ ନଗଦ ଟଙ୍କା ପାଉଥିବା ଅନ୍ୟ ହିତାଧିକାରୀମାନଙ୍କ ଭତ୍ତା ମଧ୍ୟ ସ୍ଥଗିତ ରଖାଯାଉ । ସରପଞ୍ଚ ବିଦ୍ୟାନ୍ତ ଚର୍ଚ୍ଚି, ପିଇଓ ଏ.ଭିକାରୀ ପ୍ରଧାନ ପ୍ରମୁଖ ଧାରଣାରତ ହିତାଧିକାରୀଙ୍କୁ ବହୁତ ବୁଝାସୁଝା କରିଥିଲେ ମଧ୍ୟ ସୁଫଳ ମିଳି ନଥିଲା

ଆସିକା ବ୍ଲକ୍ ପ୍ରଶାସନ ନିର୍ଦ୍ଦେଶ କ୍ରମେ ୮୨୫ ଜଣ ମଧୁବାବୁ ପେନ୍ସନ୍ ହିତାଧିକାରୀଙ୍କ ଜୁନ୍ ମାସର ଭତ୍ତା ନଗଦ ଟଙ୍କା ଆକାରରେ ବଣ୍ଟନ ପାଇଁ ବୁଧବାର ଦିନ ଧାର୍ଯ୍ୟ ହୋଇଥିଲା। ସକାଳୁ ଶତାଧିକ ବୃଦ୍ଧ ବୃଦ୍ଧା, ବିଧବା, ଭିନ୍ନକ୍ଷମ ସେମାନଙ୍କ ଖାତା ଧରି ଧାଡିରେ ଜଗି ରହିଥିଲେ। ତେବେ ଭତ୍ତା ମିଳୁଥିବା ଖବର ପାଇ କେନ୍ଦ୍ରୀୟ ଯୋଜନାରେ ଅନ୍ତର୍ଭୁକ୍ତ ଆହୁରି ବହୁତ ହିତାଧିକାରୀ ମଧ୍ୟ ପଞ୍ଚାୟତ ଅଫିସ୍କୁ ଛୁଟି ଆସିଥିଲେ। ପିଇଓ ଏବଂ ସରପଞ୍ଚ ଭତ୍ତା ଟଙ୍କା ବାଣ୍ଟିବାକୁ ଗଲାବେଳେ ଜାତୀୟ ବାର୍ଦ୍ଧକ୍ୟ ପେନ୍ସନ୍ ଯୋଜନାର ହିତାଧିକାରୀ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ କାହାରିକୁ ଭିତରକୁ ଛାଡ଼ି ନଥିଲେ କି ବାହାରକୁ ଆସିବା ପାଇଁ ଦେଇ ନଥିଲେ। ନିମିନା ପଞ୍ଚାୟତରେ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନ୍ସନ୍ ଯୋଜନାରେ ବୃଦ୍ଧ ବୃଦ୍ଧା ୨୭୨ ଜଣ, ଭିନ୍ନକ୍ଷମ ୨୦ ଜଣ, ବିଧବା ୯୪ ଜଣ ରହିଛନ୍ତି। ସେମାନେ ଏପ୍ରିଲ୍, ମେ ଓ ଜୁନ୍ ମାସର ଭତ୍ତା ଟଙ୍କା ନିଜ ବ୍ୟାଙ୍କ୍ ଜମା ଖାତାକୁ ଆସୁନଥିବାରୁ ମଧୁବାବୁ ପେନ୍ସନ୍ ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ଦେବାକୁ ହେବ ନାହିଁ ବୋଲି ଅଡ଼ି ବସିଥିଲେ । ଶେଷରେ ଆସିକା ବିଡିଓ ରାଜେନ୍ଦ୍ର ନାୟକ, ଏବିଡିଓ ସୁଶାନ୍ତ କୁମାର ବେହେରା ଆସି ବୁଝାସୁଝା କରିଥିଲେ । ଦୁଇ ଦିନ ପାଇଁ ମଧୁବାବୁ ପେନ୍ସନ୍ ଭତ୍ତା ସ୍ଥଗିତ ରଖିବାକୁ ପିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଡିଓ । ୭ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ଭତ୍ତା ସମସ୍ୟା ସମାଧାନ ହୋଇଯିବ ବୋଲି ଆଶ୍ୱାସନା ଦେବା ପରେ ସକାଳ ୮ଟାରୁ ଚାଲିଥିବା ଧାରଣା ଅପରାହ୍ଣ ପ୍ରାୟ ୩ଟା ବେଳକୁ ପ୍ରତ୍ୟାହୃତ ହୋଇଥିଲା। ସେପଟେ ବିଡିଓ କହିଛନ୍ତି- ସରକାରୀସ୍ତରରେ ୱେବ୍ସାଇଟ୍, ସଫ୍ଟ୍ୱେୟାର୍ ପରିବର୍ତ୍ତନ କାରଣରୁ ଭତ୍ତା ମିଳିବାରେ ବିଳମ୍ବ ହେଉଛି । ସପ୍ତାହକ ମଧ୍ୟରେ ସମସ୍ତଙ୍କୁ ଭତ୍ତା ପ୍ରଦାନ କରାଯିବ।

ଆହୁରି ପଢନ୍ତୁ- SIR କାର୍ଯ୍ୟରେ ଅବହେଳା ଅଭିଯୋଗ,୨ ବିଏଲ୍‌ଓ ନିଲମ୍ବିତ କଲେ ଜିଲ୍ଲାପାଳ

ରାଜଧାନୀକୁ ଛୁଇଁଛି ବର୍ଷା ବିହୀନ ମୌସୁମୀ, ସୁ ସୁ ପବନ ବହୁଛି କିନ୍ତୁ ସବୁ ଫୁସ ! ମେଘ ଖଣ୍ଡକୁ ଜଗୁଛି ଅଦୃଶ୍ୟ ବଳୟ ?