ନୂଆଦିଲ୍ଲୀ, ୦୧/ ୧୧: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ଖୁବଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ। ୨୦୨୬ ଜାନୁଆରୀ ୧ରୁ ଲାଗୁ ହେବାର ସମ୍ଭାବନା ରହିଛି। ଏହାଦ୍ଵାରା ୧ କୋଟିରୁ ଅଧିକ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ସହ ପେନସନଭୋଗୀମାନେ ଉପକୃତ ହେବେ। ଫିଟ୍‌ମେଣ୍ଟ ଫ୍ୟାକ୍ଟରରେ ପ୍ରମୁଖ ପରିବର୍ତ୍ତନ ହେବ। ଯଦିଓ ସରକାରୀ ସଂଖ୍ୟା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, ତଥାପି ଆକଳନ କରାଯାଉଛି ଯେ ଅଷ୍ଟମ ବେତନ କମିଶନ ଅଧୀନରେ ଫିଟମେଣ୍ଟ ଫ୍ୟାକ୍ଟର ୨.୫ ରୁ ୨.୮୬ ଯାଏଁ ହୋଇପାରେ। ଏହାଦ୍ଵାରା ବେତନରେ ୩୦ ରୁ ୩୫ ପ୍ରତିଶତ ବୃଦ୍ଧି ହେବ। ଯଦି ଏହାକୁ ଚୂଡ଼ାନ୍ତ କରାଯାଏ, ତେବେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୦ ଲକ୍ଷରୁ ଅଧିକ ପେନସନଭୋଗୀଙ୍କ ମୂଳ ଦରମାରେ ଯଥେଷ୍ଟ ବୃଦ୍ଧି ହେବ।

ଉଦାହରଣ ସ୍ଵରୂପ ଯେଉଁ କର୍ମଚାରୀଙ୍କ ମୂଳ ଦରମା ୫୦ ହଜାର ଟଙ୍କା ରହିଛି, ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ ହେଲେ ୧,୨୮,୫୦୦ ଟଙ୍କା ଦରମା ହୋଇଯିବ। ସେହିପରି ଯଦି ଫ୍ୟାକ୍ଟର ୨.୮୬ ରହିବ ତେବେ ନୂଆ ବେତନ ୧,୪୩,୦୦୦ ଟଙ୍କା ହେବ। ସପ୍ତମ ବେତନ ଆୟୋଗରେ ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ ଥିଲା। ଏହାଦ୍ଵାରା ନ୍ୟୁନତମ ମୂଳ ବେତନ ୭ ହଜାରରୁ ବଢି ୧୮୦୦୦ କରାଯାଇଥିଲା।

ଫିଟମେଣ୍ଟ ଫ୍ୟାକ୍ଟର ହେଉଛି ବେତନ କମିଶନ ଅଧୀନରେ ନୂତନ ଦରମା ଗଣନା କରିବା ପାଇଁ ବ୍ୟବହୃତ ଏକ ପ୍ରମୁଖ ସୂତ୍ର।

ସଂଶୋଧିତ ଦରମା ନିର୍ଣ୍ଣୟ କରିବା ପାଇଁ :
ନୂତନ ବେସିକ୍ ଦରମା = ପୁରୁଣା ବେସିକ୍ ଦରମା × ଫିଟମେଣ୍ଟ ଫ୍ୟାକ୍ଟର