ନୂଆପଡ଼ା,୧୭/୦୭: ନୂଆପଡ଼ା ଜିଲ୍ଲା କୋମନା ଥାନା ସାହାଜଟ ସେବାଶ୍ରମରେ ଏକ ଅଘଟଣ । ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗଛରେ ଝୁଲି ପଡ଼ି ଜୀବନ ହାରିଛନ୍ତି । ମୃତକ ଛାତ୍ର ହେଲେ ଅଶ୍ୱିନୀ ଦାସ ବନଛୋର(୧୪ ବର୍ଷ) । ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ବୟାନ ସନ୍ଦେହକୁ ବଢ଼ାଇ ଦେଇଛି ।
ସୂଚନା ମୁତାବକ, ଖଡ଼ିଆଳ ଥାନା ବଡ଼ମହେଶ୍ୱର ଗାଁର ତୁଳସୀ ଦାସ ବନଛୋରଙ୍କ ପୁଅ ଆଶ୍ଵିନୀ ସାହାଜଟ ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ସେବାଶ୍ରମରେ ଶିକ୍ଷକ ତଥା ସମ୍ପର୍କୀୟ ମାମୁଁ ଜଗଦୀଶ ନାଗଙ୍କ ପାଖରେ ରହି ପାଠ ପଢୁଥିଲେ । ତେବେ ବୁଧବାର ସନ୍ଧ୍ୟାରେ ଅଶ୍ୱିନୀ ସେବାଶ୍ରମ ପରିସର ବାହାରକୁ ଯାଇଥିଲେ । ରାତିରେ ଅଶ୍ୱିନୀ ବେକରେ ଶାଲ୍ ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଖବର ପାଇ ସେବାଶ୍ରମ କର୍ତ୍ତୃପକ୍ଷ ଓ ଛାତ୍ରମାନେ ଘଟଣା ସ୍ଥଳରେ ପହଞ୍ଚି ଅଶ୍ୱିନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅଶ୍ୱିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁବାର ସକାଳୁ ଖବର ପ୍ରସାରିତ ହେବାରୁ କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ସାହାଜଟ ସେବାଶ୍ରମରେ ଭିଡ଼ ଜମିଥିଲା ।
ଅନ୍ୟପକ୍ଷରେ ପରିବାର ଲୋକେ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ ପୁଅ ଅଶ୍ୱିନୀ ଅସୁସ୍ଥ ଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏଭଳି ପରିବାର ଲୋକଙ୍କ ଅଭିଯୋଗ ସନ୍ଦେହ ଘେରରେ ରହିଛି । ତେବେ ସମ୍ପୃକ୍ତ ଶିକ୍ଷକଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକେ ଏଭଳି ଅଭିଯୋଗ କରିଥିବା ଚର୍ଚ୍ଚାର ବିଷୟ ହେଉଛି । ମଧ୍ୟାହ୍ନରେ କୋମନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମଧ୍ୟାହ୍ନରେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପସିଂ ମାଝି, ବିଜେଡି ଜିଲ୍ଲା ସମ୍ପାଦକ ସୁଧୀର ମିଶ୍ର ସେବାଶ୍ରମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।