ନୂଆଦିଲ୍ଲୀ,୧୯/୧୧: ପାକିସ୍ତାନର ଖୈବର ପଖ୍ତୁନଖଓ୍ବାରେ ଆତଙ୍କୀ ଆକ୍ରମଣ । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଫଳରେ ୯ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ୮ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଖୈବର ପୋଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଖୈବର ପଖ୍ତୁନଖଓ୍ବାରେ ତିରାହ ଘାଟି ନିକଟସ୍ଥ ଲୁର୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଏହି ଅଞ୍ଚଳରେ ତେହରିକ-ଏ-ତାଲିବାନ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଏଠାରେ ସକ୍ରିୟ ରହିଛି । ଫଳରେ ବାରମ୍ବାର ଏହି ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହୋଇଛି । ଏହି ଘଟଣା ପୂର୍ବରୁ ଟିଟିପି ଆତଙ୍କୀ ସଂଗଠନ ଅନେକ ଥର ହମଲା କରିଛି । ଶନିବାର ଆତଙ୍କୀ ଆକ୍ରମଣ ଘଟଣାରେ ପାକିସ୍ତାନର ଜଣେ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି । ସେପଟେ ୯ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ପାକିସ୍ତାନ ସେନା ।ସ୍ଥାନୀୟ ସୂତ୍ରରୁ ପ୍ରକାଶ ଯେ ନିକଟବର୍ତ୍ତୀ ଅଞ୍ଚଳର କିଛି ବାସିନ୍ଦା ମଧ୍ୟ ଆହତ ହୋଇଥିଲେ।