ଭୁବନେଶ୍ବର, ୭।୩ : ଓଡିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରେଜ୍ ଫାଉଣ୍ଡେସନ୍ ଆନୁକୁଲ୍ୟରେ ସ୍ୱୟଂସିଦ୍ଧା-୨୦୨୬ ଓ ୫ମ ସ୍ୱୟଂସିଦ୍ଧା ସମ୍ମାନ କଟକ ସ୍ଥିତ ସହୀଦଦ୍ଭବନ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ମେୟର ସୁବାଷ ଚନ୍ଦ୍ର ସିଂହ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହିପରି ସମ୍ମାନୀୟ ଅତିଥି ଭାବେ କଟକ ମହାନଗର ନିଗମର ଡେପୁଟି ମେୟର ଦମୟନ୍ତୀ ମାଝି, ପ୍ରତିଷ୍ଠିତା ଚିକିତ୍ସାବିତ୍ ପ୍ରଫେସର ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ, କଟକ ସହରାଞ୍ଚଳ ପୁଲିସ୍ ଏସିପି ଅମିତାଭ ମହାପାତ୍ର, ଆନ୍ତର୍ଜାତୀୟ ଲୋକପ୍ରିୟ ଓଡିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ସାଶ୍ୱତ ଜୋଷି, ରୁଚି ଫୁଡଲାଇନ୍ର ଅଧ୍ୟକ୍ଷା ସଙ୍ଗୀତା ସାହୁ ଯୋଗ ଦେଇଥିଲେ।ବିଶିଷ୍ଟ ମହିଳା ଉଦ୍ୟୋଗୀ ତଥା ସମାଜ ସେବୀ ଓ ରେଜ୍ ଫାଉଣ୍ଡେସନର ପ୍ରତିଷ୍ଠାତା ରଶ୍ମି ସାହୁ ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ମେୟର କହିଥିଲେ ଯେ ମହିଳାମାନଙ୍କର ପ୍ରଗତୀରେ ରାଷ୍ଟ୍ରର ପ୍ରଗତୀ । ସ୍ୱର୍ଗତଃ ଡ଼ ଶରତ କୁମାର ସାହୁଙ୍କ ସୁକନ୍ୟା ନିଜେ ଜଣେ ସ୍ୱୟଂସିଦ୍ଧା ଓ ଅନେକ ମହିଳାମାନଙ୍କର ପ୍ରେରଣାର ଉତ୍ସ । ତାଙ୍କର ପ୍ରୟାସ ନିଆରା ଓ ସ୍ୱାଗତ ଯୋଗ୍ୟ । ପ୍ରଫେସର ଅର୍ପିତା ପ୍ରିୟଦର୍ଶିନୀ କହିଥିଲେ ଯେ ଇଶ୍ୱରୀୟ ସୃଷ୍ଟିରେ ନାରୀର ସୃଷ୍ଟି ଏକ ସ୍ୱତନ୍ତ୍ରତା ବହନ କରିପାରିଛି । ଅପୂର୍ବ ଶକ୍ତିର ପ୍ରତୀକ ନାରୀ ଟିଏ କିଛି ବି କରିପାରେ । ଏକ ବିଂଶ ଶତାଦ୍ଧୀର ପ୍ରତ୍ୟେକ ନାରୀ ଜଣେ ଜଣେ ସ୍ୱୟଂସିଦ୍ଧା ।

ଏହି ଅବସରରେ ଚଳିତ ବର୍ଷ ଓଡିଶାର ୯ ଜଣ ପ୍ରତିଭାବାନ୍ ମହିଳା ମାନଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ୨୦୨୬ ପ୍ରଦାନ କରାଯାଇଥିଲା । ଆଠଗଡର ଲୋକପ୍ରିୟ ଧୂପ ବ୍ୟବସାୟୀ ପ୍ରମିଳା ରାଉତକୁ ଜୀବନ ବ୍ୟାପୀ ସାଧନା ପୁରଷ୍କାରରେ ସମ୍ମାନୀତ କରାଯାଇଥିବା ବେଳେ ବିଶିଷ୍ଟ ଲେଖିକା ଭାବେ ଗାୟତ୍ରୀବାଳା ପଣ୍ଡାଙ୍କୁ, ଶ୍ରେଷ୍ଠ ଆଦର୍ଶ ମହିଳା ଚାଷୀ ଭାବେ ମାଣ୍ଡିଆରାଣୀ ଡ ରାଇମତି ଘିଉରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ଆଦର୍ଶ ମହିଳା ସମ୍ମାନରେ ବିଶିଷ୍ଠ ପ୍ରଯୋଜିକା ଓ ଅଭିନେତ୍ରୀ ସୌଭାଗ୍ୟଲକ୍ଷ୍ମୀ ଜେନାଙ୍କୁ ସମ୍ମାନୀତ କରାଯାଇଥିଲା । ଶ୍ରେଷ୍ଠ ମହିଳା କ୍ରୀଡାବିତ୍ ଭାବେ ଜୟଶ୍ରୀ ସ୍ୱାଇଁ, ଶ୍ରେଷ୍ଠ ମହିଳା ସାମ୍ବାଦିକା ଭାବେ ନ୍ୟୁଜ୍ ସେଭେନ୍ର ବରିଷ୍ଠ ସମ୍ବାଦିକା ତପସ୍ୱନୀ ପଟ୍ଟନାୟକ, ଶ୍ରେଷ୍ଠ ମହିଳା ଉଦ୍ଦ୍ଭାବକ ଭାବେ କବିତା ତ୍ରିପାଠୀ, ଶ୍ରେଷ୍ଠ ଉଦୀୟମାନ ମହିଳା ଭାବେ କ୍ରିଷ୍ଣା ପ୍ରିୟଦର୍ଶିନୀ ରାଉତ ଏବଂ ଶ୍ରେଷ୍ଠ ମହିଳା ସମାଜ ସେବିକା ଭାବେ ଶୁଭଲକ୍ଷ୍ମୀ ସ୍ୱାଇଁଙ୍କୁ ସମ୍ମାନୀତ କରାଯାଉଥିଲା ।

କଟକ ଚୌଦ୍ୱାର ଉଦ୍ଧାର ଫାଉଣ୍ଡେସନ୍ର ଶିଶୁ କଳାକାର ମାନେ ସ୍ୱତନ୍ତ୍ର ନୃତ୍ୟ ପରିବେଷଣ କରିଥିବା ବେଳେ ଯାଜପୁର ସେଣ୍ଟଜାଭିୟର୍ସର ଛାତ୍ରିମାନେ ଦଶବତାର ପ୍ରଦର୍ଶନ କରିଥିଲେ । ବିଶିଷ୍ଠ କଣ୍ଠଶିଳ୍ପୀ ଜୟଶ୍ରୀଧଳ ହୃଦୟସ୍ପର୍ଶୀ ସଂଙ୍ଗୀତ ଉଠ କଙ୍କାଳ.....ଜାଗ ଦୁର୍ବଳ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମଙ୍କୁ ପ୍ରିତୀ ପ୍ରିୟଦର୍ଶିନୀ ଉପସ୍ଥାପନା କରିଥିବାବେଳେ ଉଲ୍ଲାସଚନ୍ଦ୍ର ବେହୁରା ସହଯୋଗ କରିଥିଲେ । ରେଜ୍ ଫାଉଣ୍ଡେସନର ସଂପାଦକ ଅଭିନାଷ ସିଂହ, ବରିଷ୍ଠ ସଦସ୍ୟ ଓ ସଦସ୍ୟା ଯଥା ଶ୍ରୀକାନ୍ତ ମହାପାତ୍ର, ଶିଳ୍ପା ଦାସ ଆଦ୍ୟାଶା ପଟ୍ଟନାୟକ, ରାଜା ନିର୍ମାଲ୍ୟ, ମନୋରଞ୍ଜନ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।