ମନମୁଣ୍ଡା, ୧୩।୭: ଗଞ୍ଜେଇ ଚୋରା ଚାଲାଣ ବେଳେ ମନୋହରପୁର ଗ୍ରାମ ଅଞ୍ଚଳରେ ମନମୁଣ୍ଡା ପୁଲିସ ଚଢାଉ କରି ୯୦୦ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ୨ଟି କାର, ପିସ୍ତଲ ଓ ୧୦ ଲକ୍ଷ ଟଙ୍କା ପୁଲିସ ଜବତ କରିଛି। ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କଣ୍ଟାମାଳ ଥାନା ରୁଣ୍ଡିମହୁଲ ଗ୍ରାମର ଭବାନୀଶଙ୍କର ବାରିକ (୨୮) , ମିଥୁନ ଖଟୁଆ (୨୮), ଟୁରିଦେଉଳର ପ୍ରହଲ୍ଲାଦ ମେହେର (୩୫), ସେଲାମାଳର ବିଜୟ ପ୍ରସାଦ ଗାଇଗୌରିଆ (୨୫), ଘଣ୍ଟାପଡ଼ା ଥାନା ଅଶୋକ ରଣା (୨୮), ମନମୁଣ୍ଡା ଥାନା ଲୁଣପଙ୍ଗାର ପ୍ରମୋଦ ମିଶ୍ର (୩୦), ନରସିଂହପୁରର ଶରତ ପ୍ରଧାନ (୨୬)।
ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଆଇଆଇସି ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ମନୋହରପୁର ଗ୍ରାମ ଅଞ୍ଚଳରେ ମନମୁଣ୍ଡା ପୋଲିସ ଅଚାନକ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ସେଠାରେ ଥିବା କିଛି ବ୍ୟକ୍ତି ଗଞ୍ଜେଇ ଭର୍ତ୍ତି ବସ୍ତା ଛାଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ପୋଲିସ ମୋଟ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୪-୫ ଜଣ ପଳାଇଯାଇଥିଲେ। ଏକଜିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟ୍ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ପୁଲିସ ତଲାସି କରି ୯୦୦ କିଲୋଗ୍ରାମ ଗଞ୍ଜେଇ, ୭ଟି ମୋବାଇଲ ଫୋନ, ଏକ ୯ ମି.ମି. ଦେଶୀ ବନ୍ଧୁକ ଏବଂ ୧୦ ଲକ୍ଷ ଟଙ୍କା ନଗଦ , ୭ ଟି ପାସ୍ ବୁକ , ଗୋଟିଏ ଚେକ ଏବଂ ୨ ଟି କାର ପୁଲିସ ଜବତ କରିଥିଲା।
ଭବାନୀ ଶଙ୍କର ବାରିକ ଏହି ଚୋରା କାରବାରର ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି। ତାଙ୍କ ସହ ଜଡିତ ବ୍ୟାଙ୍କ ପାସବୁକ୍ ଓ ଚେକ୍ ବୁକ୍ ଆର୍ଥିକ କାରବାରର ପ୍ରମାଣ ଭାବେ ଜବତ କରାଯାଇଛି ବୋଲି ବୌଦ୍ଧ ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ମନମୁଣ୍ଡା ଥାନା ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏସଡି ପିଓ ଲରେନ୍ ରାଉତ ରାୟ , ମନମୁଣ୍ଡା ଆଇଆଇସି ଚିରଞ୍ଜିବୀ ବେହେରା , କଣ୍ଟାମାଳ ଆଇଆଇସି ଶ୍ରୀ ମହାନ୍ତି ଉପସ୍ଥିତ ଥିଲେ।