କୁଆଁପାଳ, ୨୭/୦୮ : ବୟସ ୯୧ ଛୁଇଁଲାଣି। ଆଉ ଚାଲିବୁଲି ପାରୁ ନାହାଁନ୍ତି। ଭତ୍ତା ଟଙ୍କା ଦେବାକୁ ମନା କରିଦେଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ଅନ୍ୟ କିଛି ଉପାୟ ନପାଇ ଟ୍ରଲିରେ ବୁହା ହୋଇ ଆସିଲେ ବୃଦ୍ଧା। ଭତ୍ତା ଟଙ୍କା ପାଇଁ ଦହଗଞ୍ଜ। ମାହାଙ୍ଗା ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅଧିକାରୀମାନଙ୍କ ଆନ୍ତରିକତାଶୂନ୍ୟ ଅମାନବିକ ମନୋଭାବ ପଦାରେ ପଡ଼ିଛି। ଦିବ୍ୟାଙ୍ଗ, ଅସହାୟ ଓ ବୟସାଧିକ ଯୋଗୁଁ ଚଳପ୍ରଚଳ କରିପାରୁନଥିବା ବ୍ୟକ୍ତିଙ୍କ ନିକଟରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଟଙ୍କା ପହଞ୍ଚାଇବାକୁ ସରକାରୀ ନିର୍ଦ୍ଦେଶ ରହିଛି। ଏଥିପ୍ରତି ପ୍ରଶାସନିକ ଅଧିକାରୀମାନେ କିନ୍ତୁ ଆନ୍ତରିକତା ଦେଖାଉ ନାହାନ୍ତି।
ଅଭିଯୋଗରୁ ପ୍ରକାଶ, ମାହାଙ୍ଗା ବ୍ଲକ୍ ଚାହାପଡ଼ା ପଞ୍ଚାୟତ ଭଁରାଜ ଗ୍ରାମର ଶ୍ରୀମତୀ ସାହୁ(୯୧) ଭତ୍ତା ହିତାଧିକାରୀ ହୋଇଥିବା ବେଳେ ସେ ଚଳପ୍ରଚଳ କରିପାରୁ ନାହାନ୍ତି । ତାଙ୍କର ଭତ୍ତା ଟଙ୍କା ଛତ୍ରତୋଟାସ୍ଥିତ କାନାରା ବ୍ୟାଙ୍କକୁ ଆସିଥାଏ । ବ୍ୟାଙ୍କକୁ ଆସିବା ପାଇଁ ମାଆ ଅକ୍ଷମ ଥିବାରୁ ତାଙ୍କୁ ଭତ୍ତା ଟଙ୍କା ଦେବାକୁ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ସାକ୍ଷାତ କରି ପୁଅ ବନ୍ଧୁସୂଦନ ନିବେଦନ କରିଥିଲେ । ହେଲେ ଏହାକୁ ବ୍ୟାଙ୍କ୍ କର୍ମଚାରୀ କର୍ଣ୍ଣପାତ କରି ନଥିଲେ । ବ୍ୟାଙ୍କ୍ରୁ ନିରାଶ ହେବାରୁ ବାଧ୍ୟ ହୋଇ ବନ୍ଧୁସୂଦନ ତାଙ୍କ ମା’ଙ୍କୁ ଦୟନୀୟ ଅବସ୍ଥାରେ ଏକ ଟ୍ରଲିରେ ଶୁଆଇ ବ୍ୟାଙ୍କକୁ ଆଣିଥିଲେ । ତଥାପି ବ୍ୟାଙ୍କ୍ କର୍ତ୍ତୃପକ୍ଷ ମାନବିକତା ଦେଖାଇ ନଥିଲେ । ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶ୍ରୀମତୀ ସାହୁ ଟ୍ରଲି ଉପରେ ଶୋଇ ରହିଥିଲେ । ବନ୍ଧୁସୁଦନ ଟଙ୍କା ଉଠାଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଶୀଘ୍ର ଟଙ୍କା ଦେବା ପାଇଁ ଅନୁରୋଧ କରିବା ସହ ପରିସ୍ଥିତି ସଂପର୍କରେ ଜଣାଇଥିଲେ। ହେଲେ ଅଧିକାରୀ ବିରକ୍ତି ଭାବ ପ୍ରକାଶ କରିବା ସହ ତହସିଲଦାର୍ ଓ ବିଡିଓଙ୍କ ପାଖରୁ ଲେଖା ଆଣ ବୋଲି କହି ବ୍ୟାଙ୍କ୍ ଖାତାକୁ ଚିରି ଦେବାକୁ ଧମକ ଦେଇଥିଲେ ।
ଜଣେ ଶଯ୍ୟାଶାୟୀ ବୃଦ୍ଧାଙ୍କୁ ଭତ୍ତା ଅର୍ଥ ଉଠାଣ ନିମନ୍ତେ ବ୍ୟାଙ୍କ୍ କତ୍ତୃପକ୍ଷ ଅଗ୍ରାଧିକାର ଦେବା ବଦଳରେ ଏଭଳି ବିରକ୍ତି ଭାବ ପ୍ରକାଶ କରିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବରିଷ୍ଠ, ଅସହାୟ ଏବଂ ଶଯ୍ୟାଶାୟୀ ଭତ୍ତା ହିତାଧିକାରୀଙ୍କୁ ଆବଶ୍ୟକ ସ୍ଥଳେ ବ୍ୟାଙ୍କ୍ ମିତ୍ରମାନେ ଭତ୍ତା ଅର୍ଥ ତାଙ୍କ ବାସଭବନରେ ଦେବାର ନିୟମ ଥିବାବେଳେ ମାହାଙ୍ଗା ବ୍ଲକ୍ରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ସଂପୃକ୍ତ ବ୍ୟାଙ୍କ୍ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । ଏ ନେଇ ଛତ୍ରତୋଟା କାନାରା ବ୍ୟାଙ୍କ୍ ଶାଖା ପରିଚାଳକ ପ୍ରେମାନନ୍ଦ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ମୁଁ ସକାଳେ ଏକ ବିଦ୍ୟାଳୟକୁ କାର୍ଯ୍ୟରେ ଯାଇଥିଲି । ମୋର କୌଣସି ଅଧିକାରୀ ଭତ୍ତା ଅର୍ଥ ଉଠାଣ ନେଇ କାହାରିକୁ ଦୁର୍ବ୍ୟବହାର କରିନାହାନ୍ତି । ଉକ୍ତ ହିତାଧିକାରୀଙ୍କୁ ତହସିଲ୍ଦାର, ବିଡିଓ କିମ୍ବା ସରପଞ୍ଚଙ୍କ ଠାରୁ ଲିଖିତ ପତ୍ର ଆଣି ବ୍ୟାଙ୍କ୍ରେ ଦେବା ପାଇଁ କୁହାଯାଇଥିଲେ ବି ସେ ତାହା ଦେଇନାହାନ୍ତି । ୮୦ବର୍ଷ ପରେ ବହୁ ସମୟରେ ବୃଦ୍ଧବୃଦ୍ଧାଙ୍କ ଆଙ୍ଗୁଳି ଛାପ ମେସିନ୍ରେ ଆସୁନଥିବାରୁ ବ୍ୟାଙ୍କ୍ ମିତ୍ରମାନେ ଅର୍ଥ ପ୍ରଦାନ କରି ପାରୁନାହାନ୍ତି । ଠିକ୍ କାଗଜପତ୍ର ବ୍ୟାଙ୍କ୍ରେ ନ ଦେଇପାରିବାରୁ ବୃଦ୍ଧବୃଦ୍ଧା ବ୍ୟାଙ୍କକୁ ଆସି ଅର୍ଥ ଉଠାଣ କରୁଛନ୍ତି । ତେବେ ବ୍ୟାଙ୍କ୍ କର୍ମଚାରୀମାନେ ବିଭିନ୍ନ ସମୟରେ ବ୍ୟକ୍ତିଗତ ଭାବେ ବୃଦ୍ଧବୃଦ୍ଧା ହିତାଧିକାରୀଙ୍କ ଘରେ ଭତ୍ତା ଅର୍ଥ ପ୍ରଦାନ କରୁଥିବା ସେ କହିଛନ୍ତି ।