କୋଲକାତା: ପଶ୍ଚିମବଙ୍ଗର ହରିଦେବପୁର ଅଞ୍ଚଳରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ୨୦ ବର୍ଷିୟା ଯୁବତୀଙ୍କୁ ତାଙ୍କ ଜନ୍ମଦିନରେ ତାଙ୍କର ଦୁଇ ଜଣ ବନ୍ଧୁ ମିଶି ଦୁଷ୍କର୍ମ କରିଥିବା ଜଣାପଡିଛି। ଏହି ଘଟଣା ଗତ ଶୁକ୍ରବାର ଘଟିଥିବା ବେଳେ ଏହି ଘଟଣାରେ ସାମିଲ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛନ୍ତି। ତେବେ ପୋଲିସ ଏକ ମାମଲା ରୁଜୁ କରିବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ, ପୀଡିତା ଯୁବତା ଜଣଙ୍କ କିଛି ମାସ ପୂର୍ବରୁ ଏହି ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ଚନ୍ଦନ ମଲ୍ଲିକଙ୍କୁ ଭେଟିଥିଲେ। ତେବେ ମଲ୍ଲିକ ପୀଡିତାଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ନିଜକୁ ଦକ୍ଷିଣ କୋଲକାତା ପୂଜା କମିଟିର ମୁଖ୍ୟ ବୋଲି କହିବା ସହ ଅନ୍ୟତମ ଅଭିଯୁକ୍ତ ଦୀପଙ୍କ ସହ ତାଙ୍କ ଭେଟଘାଟ କରାଇଥିଲେ। ଏହାସହ ସେମାନେ ପୀଡିତାଙ୍କୁ କମିଟିରେ ସାମିଲ କରାଇଦେବା ନେଇ ତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ କଥାବର୍ତ୍ତା ଆରମ୍ଭ କରିଥିଲେ।
ଗତ ଶୁକ୍ରବାର ପୀଡିତା ଜଣଙ୍କର ଜନ୍ମଦିନ ଥିବାରୁ ମୁଖ୍ୟ ଅଭିଯୁକ୍ତ ଦ୍ୱୟ ତାଙ୍କୁ ରିଜେଣ୍ଟ ପାର୍କ ଅଞ୍ଚଳରେ ଥିବା ଫ୍ଲାଟକୁ ନେଇଯାଇଥିଲେ। ସେମାନେ ସେଠାରେ କେକ୍ କାଟିବା ସହ ଭୋଜି ମଧ୍ୟ କରିଥିଲେ। ଏହାପରେ ପୀଡିତା ଜଣଙ୍କ ଘରକୁ ଯିବାପାଇଁ ବାହାରିବାରୁ ଅଭିଯୁକ୍ତ ଦ୍ୱୟ ଘରର କବାଟ ବନ୍ଦ କରିଦେବା ସହ ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏହି ପାଶବିକ ଅତ୍ୟାଚାର ପରେ ସୁଯୋଗ ଦେଖି ପୀଡିତା ଉକ୍ତ ସ୍ଥାନରୁ ଖସିଆସି କୌଣସିମତେ ଘରେ ପହଞ୍ଚିଥିଲେ।
ଏନେଇ ପୀଡିତା ଜଣଙ୍କ ହରିଦେବପୁର ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି। ଯେଉଁଥିରେ ସେ ମୁଖ୍ୟ ଆରୋପୀ ଚନ୍ଦନ ମଲ୍ଲିକ ଓ ଦୀପ ନାଁରେ ଅଭିଯୋଗ କରିଥିବା ସୂଚନା ମିଳିଛି। ଏହି ମାମଲା ଦାୟର ହେବାପରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଛାଉ ଜାରି ରଖିଥିବା ବେଳେ ଅଭିଯୁକ୍ତ ଦ୍ୱୟ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି।
ଆପଣଙ୍କୁ ଜଣାଇରଖୁ ଯେ ଚଳିତ ବର୍ଷ ଜୁନ ମାସରେ ମଧ୍ୟ ଜଣେ ୨୪ ବର୍ଷିୟା ଆଇନ ଛାତ୍ରୀ ନିଜ କଲେଜ କ୍ୟାମ୍ପସ ମଧ୍ୟରେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଯେଉଁଥିରେ ତିନି ଜଣ ଛାତ୍ରଙ୍କ ସମେତ ଜଣେ ସିକ୍ୟୁରିଟି ଗାର୍ଡ ସାମିଲ ରହିଥିଲେ। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜେଲ୍ ପଠାଇଛି।