ଭୁବନେଶ୍ୱର,୧୯/୧୦: ଓଡ଼ିଶାର ନବୀକରଣ ଏବଂ ଷ୍ଟାର୍ଟ- ଅପ୍ ଇକୋସିଷ୍ଟମ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ । ଭାରତ ସରକାରଙ୍କ ନୀତି ଆୟୋଗ ଅଧୀନ ଅଟଳ ଇନୋଭେସନ୍ ମିଶନ୍ ପକ୍ଷରୁ ବିଶ୍ୱବିଦ୍ୟାଳୟରେ ଅଟଳ ଇନ୍କ୍ୟୁବେସନ ସେଣ୍ଟର-ସୋଆ ଫାଉଣ୍ଡେସନ୍ ପ୍ରତିଷ୍ଠା କରିବା ପାଇଁ ସମ୍ମାନଜନକ ଅନୁଦାନ ମିଳିଛି । ଫଳରେ ସୋଆ ଓଡ଼ିଶାରେ ତୃତୀୟ ଅଟଳ ଇନ୍କ୍ୟୁବେସନ୍ ସେଣ୍ଟର ପ୍ରତିଷ୍ଠା କରିଛି ଯାହାକି ନବୀକରଣ ଓ ଉଦ୍ୟୋଗୀକରଣକୁ ନେଇ ବିକଶିତ ଭାରତ ୨୦୪୭ର ପରିକଳ୍ପନାକୁ ସଫଳ ରୂପାନ୍ତର କରିବା ପାଇଁ କାର୍ଯ୍ୟ କରିବ।
ଏଥିପାଇଁ ଏଆଇସି ବୋର୍ଡ ରୁମ୍ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଫାକଲ୍ଟି ମେମ୍ବର ଏବଂ ନେତୃବର୍ଗଙ୍କର ଭୂମିକାକୁ ପ୍ରଶଂସା କରିଥିଲେ । ସେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କ ଦୂରଦର୍ଶୀ ମାର୍ଗଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ । ଏଆଇସି ସୋଆ ଫାଉଣ୍ଡେସନ୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ କହିଥିଲେ, ଏଆଇସିସୋଆ ଫାଉଣ୍ଡେସନ୍ ପୂର୍ବ ଭାରତର ଉଦ୍ୟୋଗୀକରଣ ଦିଗରେ ସହାୟକ ହେବ । ହେଲ୍ଥଟେକ୍, ଏଗ୍ରିଟେକ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ/ ମେସିନ୍ ଲର୍ଣ୍ଣିଂ, କ୍ଲିନ୍ଟେକ୍ ଏବଂ ସାମାଜିକ ନବୀକରଣ କ୍ଷେତ୍ରର ଷ୍ଟାର୍ଟ- ଅପ୍ ଗୁଡ଼ିକ ପାଇଁ ସହାୟକ ହେବ ।
ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ । ଡେପୁଟି ଜେନେରାଲ ମ୍ୟାନେଜର ରାଜୀବ କୁମାର, ଅଟଳ ଇନୋଭେସନ୍ ମିଶନ୍ର ଲକ୍ଷ୍ୟ ସମ୍ପର୍କରେ କହିଥିଲେ । ୨୦୨୨ରେ ଏଆଇସି-ସୋଆ ଫାଉଣ୍ଡେସନ୍ର ଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ପ୍ରଫେସର ଗୌତମ ରଥ, ଡକ୍ଟର ମନୀଷା ଆଚାର୍ଯ୍ୟ, ପ୍ରଫେସର ନରେଶ ସାହୁ, ପ୍ରଫେସର ରେଣୁ ଶର୍ମା, ସ୍କିଲ ଡେଭେଲପ୍ମେଣ୍ଟ ଆଣ୍ଡ କର୍ପୋରେଟ ରିଲେସନ୍ସର ଡିଜିଏମ୍ ଅଶୋକ ନାୟକ ଏବଂ ବିଶ୍ୱବିଦ୍ୟାଳୟର ନେତୃବର୍ଗଙ୍କ ଉତ୍ସର୍ଗୀକୃତ ଅବଦାନ ରହିଛି । ସେମାନଙ୍କର ପ୍ରଚେଷ୍ଟା ଯୋଗୁଁ ସରକାରୀ ସ୍ତରରେ ୧୦ କୋଟି ଟଙ୍କାର ଅନୁଦାନ ମିଳିପାରିଛି । ଏଆଇସିସୋଆ ଫାଉଣ୍ଡେସନ୍ ପ୍ରତିଷ୍ଠା ହେବା ଫଳରେ ସୋଆ ବିଶ୍ୱବିଦ୍ୟାଳୟ ଷ୍ଟାର୍ଟ- ଅପ୍ ଗୁଡ଼ିକୁ ସଶକ୍ତ କରି ନୂତନ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିପାରିବ ଯାହା ଦ୍ୱାରା ଦେଶ ଆତ୍ମନିର୍ଭର ଭାରତ ରାସ୍ତାରେ ଆଗଭର ହୋଇପାରିବ ।