କୋଣାର୍କ,୧୯/୯ : ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ବୋଟିଂ କମ୍ପ୍ଲେକ୍ସ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ୍ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ଫଳରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଚାଳକ ସୁରେନ୍ଦ୍ର ବେହେରା (୩୬)। କୋଣାର୍କରୁ ବାଇକରେ ନିଜ ଗାଁ ଟିକନା ଫେରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା। ଗୁରୁତର ଅବସ୍ଥାରେ ଚନ୍ଦ୍ରଭାଗା ମେରାଇନ ପୋଲିସ୍ ଉଦ୍ଧାର କରି କୋଣାର୍କ ମେଡ଼ିକାଲ ଓ ପରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଯୁବକଙ୍କ ଏକ ମାସର ପୂତ୍ର ସନ୍ତାନ ଥିବାବେଳେ ପିତାଙ୍କର ମଧ୍ଯ ପୂର୍ବରୁ ଦେହାନ୍ତ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରାମଚଣ୍ଡିସ୍ଥିତ ଲୋଟସ ରିସର୍ଟରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କର ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଓ ଦୁର୍ଘଟଣା ଜନିତ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । ଚନ୍ଦ୍ରଭାଗା ମେରାଇନ ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ପ୍ରତିମା ସାହୁ ସୂଚନା ଦେଇଛନ୍ତି।