ନୂଆଦିଲ୍ଲୀ ୦୭/୧୦: ରିୟଲିଟି ଶୋ’ ‘ରାଇଜ୍ ଆଣ୍ଡ୍ ଫଲ୍’ରୁ ବାହାରି ସାରିଛନ୍ତି ଅଭିନେତ୍ରୀ ଆହାନା କୁମରା । ଶୋ’ରେ ଭୋଜପୁରୀ ଷ୍ଟାର୍ ପୱନ ସିଂହଙ୍କ ସହ ତାଙ୍କ ଝଗଡ଼ା ଶିରୋନାମା ହୋଇଥିଲା । ଏବେ ଆହାନା କହିଛନ୍ତି, ପୱନ ସିଂହଙ୍କ ଉପରେ ସେ ଦେଇଥିବା କମେଣ୍ଟ୍ ପାଇଁ ତାଙ୍କୁ ରେପ୍ ଓ ହତ୍ୟା ଧମକ ମିଳୁଛି । ଆହାନା ଶୋ’ର ନିର୍ମାତାଙ୍କ ନିକଟରେ ଅଭିଯୋଗ କରିବା ପରେ ନିର୍ମାତା ସେହି ଭିଡିଓ କ୍ଲିପ୍କୁ ଡିଲିଟ୍ କରିଛନ୍ତି ।
ନିକଟରେ ଏକ ମନୋରଞ୍ଜନଧର୍ମୀ ସଂସ୍ଥା ସହ ସାକ୍ଷାତକାରରେ ଆହାନାଙ୍କୁ ପଚରାଯାଇଥିଲା, ଶୋ’ରେ ସେ କହିଥିବା କଥାକୁ ନେଇ ପଶ୍ଚାତାପ କରୁଛନ୍ତି କି? ଆହାନା କହିଥିଲେ, ନାଁ, ଶୋ’ରେ ମୁଁ ଯାହା ବି କହିଥିଲି, ରାଗରେ କହିଥିଲି । କାରଣ ମୋ ସହ ଏମିତି କିଛି ହୋଇଥିଲା, ଯେଉଁଥିପାଇଁ ସେତେବେଳେ ସେସବୁ କହିବା ମୁଁ ଠିକ୍ ମନେକଲି । କିନ୍ତୁ କିଛି ଲୋକ ଏହାକୁ ନକାରାତ୍ମକ ଢଙ୍ଗରେ ଉପସ୍ଥାପନ କଲେ ଏବଂ ମୋ ବିରୋଧରେ ଏଭଳି ଭିଡିଓ ପୋଷ୍ଟ୍ କଲେ, ଯାହା ମୁଁ ଶୋ’ରେ କହିନଥିଲି । ଶୋ’ରୁ ବାହାରିବା ପରେ ମୋତେ ଶତାଧିକ ରେପ୍ ଓ ହତ୍ୟା ଧମକ ମିଳିଲା । ନିର୍ମାତାଙ୍କୁ ଅଭିଯୋଗ କରିବା ପରେ ସେମାନେ ଭିଡିଓ ହଟାଇଲେ ଏବଂ କ୍ଷମା ମାଗିଲେ ।
ତେବେ ପୱନ ସିଂହଙ୍କ ବିଷୟରେ ଶୋ’ରେ ଆହାନା କିଛି କଥା କହିଥିଲେ, ଯାହା ତାଙ୍କ ଫ୍ୟାନ୍ ପସନ୍ଦ କଲେ ନାହିଁ । ତାକୁ ଲୋକେ ଆଜି ବି ଭୁଲିନାହାନ୍ତି ଏବଂ ତାଙ୍କୁ ଧମକ ଦେଉଛନ୍ତି । କିନ୍ତୁ ଏବେ ଉଭୟଙ୍କ ମଧ୍ୟରେ ଝଗଡ଼ାର ସମାଧାନ ହୋଇସାରିଛି । ଲୋକେ ମଧ୍ୟ କଥାକୁ ଏଇଠି ଶେଷ କରିଦେବା କଥା ବୋଲି ଆହାନା କହିଥିଲେ ।