ଭୁବନେଶ୍ୱର ୦୪/୧୧: ଯୁଦ୍ଧଗ୍ରସ୍ତ ସୁଦାନରେ ଜଣେ ଓଡ଼ିଆ ପୁଅ ଆଦର୍ଶ ବେହେରା ଅପହରଣ । ଘଟଣାକୁ ନେଇ ଚିନ୍ତା ପ୍ରକଟ କଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବନୀ ପଟ୍ଟନାୟକ। ଭାରତ ସରକାର ଏବଂ ବୈଦେଶିକ ମନ୍ତ୍ରଣାଳୟଙ୍କୁ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ସେ ନିଜ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ କରିଛନ୍ତି ।


ଏକ୍ସରେ ଲେଖିଛନ୍ତି ଯେ, ସୁଦାନ ଉଗ୍ରବାଦୀ ସଙ୍ଗଠନ ‘ରାପିଡ୍‌ ସପୋର୍ଟ ଫୋର୍ସେସ (ଆର୍‌ଏସ୍‌ଏଫ୍‌)’  ଜଗତ୍‌ସିଂହପୁର ଯୁବକ ଆଦର୍ଶ ବେହେରାଙ୍କୁ ପଣବନ୍ଦୀ କରିଛି । ସେଠାରୁ ତୁରନ୍ତ ଆଦର୍ଶଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଏବଂ ବୈଦେଶିକ ମନ୍ତ୍ରଣାଳୟଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଏଥି ସହିତ ସୁଦାନ ବୈଦେଶିକ ମନ୍ତ୍ରଣାଳୟକୁ ସହଯୋଗ କରିବାକୁ ମଧ୍ୟ କହିଛନ୍ତି । 

ଉଗ୍ରବାଦୀ ସଙ୍ଗଠନ ଆର୍‌ଏସ୍‌ଏଫ୍‌ ଦ୍ୱାରା ଅପହୃତ ହୋଇଥିବା ଯୁବକ ଜଣକ ହେଉଛନ୍ତି ଆଦର୍ଶ ବେହେରା (୩୬) । ଘର ଜଗତ୍‌ସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ୍ ଅଧୀନ ତରଜଙ୍ଗା ପଞ୍ଚାୟତସ୍ଥିତ କୋଟକଣା ଗାଁରେ । ଏବେ ତାଙ୍କୁ ଉଗ୍ରବାଦୀମାନେ ସୁଦାନର ଅଲ୍‌ଫସିରରେ ବନ୍ଦୀ କରି ରଖିଛନ୍ତି । ସେଠାରେ ଆର୍‌ଏସ୍‌ଏଫ୍‌ ଉଗ୍ରବାଦୀଙ୍କ  ଦବ୍‌ଦବା ଥିବାରୁ ତାଙ୍କୁ ପଣବନ୍ଦୀ ରଖାଯାଇଛି ।